ଆମ୍ବୁଲାନ୍ସ, ପୋଲିସ ଗାଡିରେ ସାଇରନ୍ ବଦଳରେ ଶୁଭିବ ଭାରତୀୟ ମଧୁର ସଙ୍ଗୀତ । କେନ୍ଦ୍ର ମନ୍ତ୍ରୀ କହିଲେ ପ୍ରସ୍ତୁତ ଚାଲିଛି ପ୍ଲାନ୍…

275

କନକ ବ୍ୟୁରୋ: ଆମ୍ବୁଲାନ୍ସ ଓ ପୋଲିସ ଗାଡିରେ ଆଉ ଶୁଭିବାକୁ ନ ମିଳିପାରେ ସାଇରନ୍ ଶବ୍ଦ । ଏହି ଶବ୍ଦ ବଦଳରେ ଏଣିକି ଆମ୍ବୁଲାନ୍ସ ଓ ପୋଲିସ ଗାଡିରେ ଶୁଭିବ ଭାରତୀୟ ମଧୁର ସଙ୍ଗୀତ । କେନ୍ଦ୍ରୀୟ ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରି ଏନେଇ ଏକ ନିୟମ ଆଣିବାକୁ ଯୋଜନା ପ୍ରସ୍ତୁତ କରୁଥିବା ସୂଚନା ଦେଇଛନ୍ତି । ତେବେ ଏହି ଭାରତୀୟ ମଧୁର ସଙ୍ଗୀତ ଉପରେ ସେ ଅଧିକ ଅଧ୍ୟୟନ କରୁଛନ୍ତି, ଯାହାକୁ ଖୁବଶୀଘ୍ର ଏକ ଆଇନ୍ ପ୍ରସ୍ତୁତ କରି ଲାଗୁ କରାଯିବ ବୋଲି ନୀତିନ ଗଡକରି କହିଛନ୍ତି ।

ସୋମବାର ମହାରାଷ୍ଟର୍ ନାସିକଠାରେ ଏକ ରାଜପଥର ଉଦଘାଟନ ସମାରୋହରେ କେନ୍ଦ୍ରୀୟ ମନ୍ତ୍ରୀ ନୀତିନ ଗଡକରି ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି, ମୁଁ ଏବେ ଆମ୍ବୁଲାନ୍ସ ଓ ପୋଲିସ ଗାଡିରେ ବ୍ୟବହାର ହେଉଥିବା ସାଇରନ ଉପରେ ଅଧ୍ୟୟନ କରୁଛି । ଏହି ସାଇରନ ବଦଳରେ ଏକ ମଧୁର ଭାରତୀୟ ସଙ୍ଗୀତକୁ ଆମ୍ବୁଲାନ୍ସ ଓ ପୋଲିସ ଗାଡିରେ ବ୍ୟବହାର କରାଯିବ । ଏହାଦ୍ୱାରା ଲୋକଙ୍କ କାନକୁ ଏହା ଭଲ ଶୁଭିବା ସହିତ ରାସ୍ତାରେ ଯାଉଥିବା ଯାତ୍ରୀ ମଧ୍ୟ ଏହାଦ୍ୱାରା ହଇରାଣ ହେବେ ନାହିଁ । ଏହାଦ୍ୱାରା କାନରେ ମଧ୍ୟ ଖରାପ ପ୍ରଭାବ ପଡିବ ନାହିଁ ବୋଲି ସେ କହିଛନ୍ତି ।

ଅନ୍ୟପଟେ ନୀତିନ ଗଡକରୀ କହିଛନ୍ତି, ଏକ ଲକ୍ଷ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେଉଥିବା ମୁମ୍ବାଇ-ଦିଲ୍ଲୀ ହାଇୱେ ଏବେ ନିର୍ମାଣଧୀନ ଅଛି । ହେଲେ ଏହା ଭିବଣ୍ଡି ଦେଇ ଜବାହାର ନେହେରୁ ପୋର୍ଟ ଟ୍ରଷ୍ଟ ପାଖରେ ପହଞ୍ଚିବ । ତା ସହିତ ସମୁଦ୍ରରେ ଏକ ପୋଲ ନିର୍ମାଣ ପାଇଁ ଯୋଜନା ଚାଲିଛି । ଯାହାକି ବାନ୍ଦ୍ରାରୁ ବର୍ଲିକୁ ଯୋଡିବ । ଏହାଦ୍ୱାରା ନରିମନ ପଏଣ୍ଟରୁ ଦିଲ୍ଲୀକୁ ଯିବାକୁ କେବଳ ୧୨ ଘଣ୍ଟା ସମୟ ଲାଗିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ଭାରତରେ ପ୍ରତିବର୍ଷ ୫ଲକ୍ଷ ଦୁର୍ଘଟଣା ଘଟୁଛି । ଯେଉଁଥିରେ ପ୍ରାୟ ଦେଢ ଲକ୍ଷ ଲୋକ ଜୀବନ ହରାଉଛନ୍ତି । ତେଣୁ ରାଜପଥକୁ ଦୁର୍ଘଟଣାମୁକ୍ତ ରଖିବାକୁ ଭାରତ ସରକାର ଚେଷ୍ଟା କରୁଥିବା ସେ କହିଛନ୍ତି ।

ତେବେ ମୁମ୍ବାଇ-ପୁଣେ ହାଇୱେରେ ଦୁର୍ଘଟଣା ସଂଖ୍ୟା ପ୍ରତିଶତ କମିଯାଇଛି । ତାମିଲନାଡୁ ସରକାର ମଧ୍ୟ ନିଜ ରାଜ୍ୟରେ ଦୁର୍ଘଟଣା ସଂଖ୍ୟାକୁ କମ କରିବାରେ ସଫଳ ହୋଇଛନ୍ତି । ହେଲେ ଏଯାବତ ମହାରାଷ୍ଟ୍ରରେ ଏହା ସମ୍ପୂର୍ଣ୍ଣ ସମ୍ଭବ ହୋଇପାରିନି । ତେଣୁ ଏନେଇ କାମ ଆଗକୁ ଚାଲିଛି ବୋଲି କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରି କହିଛନ୍ତି ।