ବିନା ‘କଳା’ରେ କୋଣାର୍କ । ଲୁହା ଭାରା ହଟିବା ପରେ ଶ୍ରୀହୀନ ଲାଗୁଛି ବ୍ଲାକ୍ ପାଗୋଡ଼ା, କାରୁକାର୍ଯ୍ୟପୂର୍ଣ୍ଣ ପଥର ସ୍ଥାନରେ ଖଂଜା ଯାଇଛି ସାଧା ପଥର ।

415

କନକ ବ୍ୟୁରୋ : ଆପଣ ଏବେ କୋଣାର୍କ ଗଲେ ବିନା କଳା ଓ କାରୁକାର୍ଯ୍ୟର କୋଣାର୍କ ଦେଖିବାକୁ ପାଇବେ । କାରଣ ଲୁହା ବିମ୍ ଗୁଡିକୁ ହଟାଯାଇ ଏବେ ସେହି ସ୍ଥାନରେ ସାଧା ପଥର ଲଗାଯାଇଛି । ଓଡିଶାର କାରୁକାର୍ଯ୍ୟ ସମ୍ପନ୍ନ ଇତିହାସର ଏହି ମୁକସାକ୍ଷୀ କୋଣାର୍କ ସୂର୍ଯ୍ୟ ମନ୍ଦିର ବୋଧହୁଏ ଆଉ କିଛି ବର୍ଷ ପରେ ସାଧା ପଥରର ମନ୍ଦିର ପାଲଟିଯିବ ।

ଯେଉଁଠି ଦିନେ ପଥର ଜୀବନ ପାଇଥିଲା, ସେଇ କୋଣାର୍କରେ ହୁଏତ ଆଉ ଜୀବନ ନାହିଁ, ଅଛି କେବଳ ପଥର । ଧିରେ ଧିରେ କୋଣାର୍କ ହରାଇଛି ତାର ଦୁର୍ଲଭ କାରୁକାର୍ଯ୍ୟ । ଦୁରରୁ ଦେଖାଯାଉଥିବା ବ୍ଲାକ୍ ପାଗୋଡ଼ା ଏବଂ ପାଖରୁ ଦେଖାଯାଉଥିବା ଐତିହ୍ୟ ଭିତରେ ଆକାଶ-ପାତାଳ ଫରକ୍ । କାରୁକାର୍ଯ୍ୟ ପୂର୍ଣ୍ଣ ଚିତ୍ର ଓ ମୁର୍ତ୍ତି ବଦଳରେ ଖଂଜି ଦିଆଯାଇଛି ସାଧା ପଥର । ଆଉ ଯେତେବେଳେ ଭାରତୀୟ ସର୍ବେକ୍ଷଣ ସଂସ୍ଥା ଏଏସଆଇ ପକ୍ଷରୁ ମନ୍ଦିରର ଚାରିକଡ଼ରେ ଲାଗିଥିବା ଲୁହା ଭାରା ହଟାଇ ଦିଆଯାଇଛି, ସେତେବେଳେ ଆହୁରି ସ୍ପଷ୍ଟ ଦେଖାଯାଉଛି ସାଧା ପଥର । ଆଉ ଏତିକି ବେଳେ ପର୍ଯ୍ୟଟକ ପ୍ରଶ୍ନ କରୁଛନ୍ତି, କୋଣାର୍କରେ ଆଉ ଦେଖିବାକୁ ଅଛି କ’ଣ ?

 

କାରୁକାର୍ଯ୍ୟକୁ ନେଇ କୋଣାର୍କ । ଆଉ ଯେତେବେଳେ କାରୁକାର୍ଯ୍ୟପୂର୍ଣ୍ଣ ପଥର ବଦଳରେ କେବଳ ସାଧା ପଥର ଖଂଜି ଦିଆଯିବ ତେବେ ରହିବ କ’ଣ ? ହୁଏତ, କେବଳ ସ୍ମାରକୀ ପାଲଟିଯିବ ଓଡ଼ିଶାର ଐତିହ୍ୟସଂପନ୍ନ ପର୍ଯ୍ୟଟନ ସ୍ଥଳ । ଆଉ ଠିକ୍ ସେହି କଥା ହିଁ ପଚାରୁଛନ୍ତି ଦୂରଦୂରାନ୍ତରୁ କୋଣାର୍କ ଆସୁଥିବା ପର୍ଯ୍ୟଟକ ।

ଐତିହ୍ୟସ୍ଥଳର ସଂରକ୍ଷଣରେ ସମସ୍ୟାକୁ ଦୃଷ୍ଟିରେ ରଖି ହାଇକୋର୍ଟ ଆମିକସ୍ କ୍ୟୁରି ନିଯୁକ୍ତ କରିଥିଲେ । ଆଉ ଆମିକସ୍ କ୍ୟୁରିଙ୍କ ଅନୁଧ୍ୟାନ କରି କେନ୍ଦ୍ରୀୟ ରିପୋର୍ଟ ଅନୁଯାୟୀ କୋଣାର୍କରୁ ଲୁହା ପାଇପ୍ ମୁକ୍ତ କରି କଳଙ୍କ ପ୍ରତିରୋଧ ବିଗ୍ ଲଗାଇବାର ପ୍ରକ୍ରିୟା ଆରମ୍ଭ ହୋଇଛି । ହେଲେ କାରୁକାର୍ଯ୍ୟପୂର୍ଣ୍ଣ ମୁର୍ତି ଓ ପଥର ବଦଳରେ ସାଧା ପଥର ଲାଗିଥିବାରୁ ଏହା ପର୍ଯ୍ୟଟକଙ୍କୁ ନିରାଶ୍ କରିଛି ।