କନକ ବ୍ୟୁରୋ: ଭାରତ ସୀମା ଭିତରକୁ ଜୋରଜବରଦସ୍ତ ପସି ଆସିଥିବା ଚୀନ୍ ଶେଷରେ ପଛକୁ ଫେରିଛି । ଭାରତ ଚୀନ ମଧ୍ୟରେ ଲାଗି ରହିଥିବା ସୀମା ବିବାଦ ସମାଧାନ ଆଡକୁ ଗତି କରୁଛି । ଉଭୟ ରାଷ୍ଟ୍ର ମଧ୍ୟରେ ବୁଝାମଣା ପରେ ଗୁରୁବାର ଦିନ ଭାରତ ଓ ଚୀନର ଟ୍ୟାଙ୍କର ବିବାଦୀୟ ଅଂଚଳରୁ ପଛକୁ ଫେରିଛନ୍ତି । ଗତ ବର୍ଷ ଜୁନ୍ ମାସରୁ ଏହି ଅଂଚଳରେ ସୀମା ବିବାଦ ଆରମ୍ଭ ହୋଇଥିଲା । ଜାନୁୟାରୀ  ୨୪ତାରିଖରେ ବୈଠକ ପରେ ସେନା ପ୍ରତ୍ୟାହାର ପାଇଁ ଉଭୟ ଦେଶ ରାଜି ହୋଇଥିଲେ । ଆଉ ଏହା ହେଉଛି ତାହାର ପ୍ରମାଣ ।

Advertisment

ଭାରତ ଚୀନ୍ ମଧ୍ୟରେ ବୁଝାମଣା ହୋଇଥିବା ନେଇ ରାଜ୍ୟସଭାରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ସୂଚନା ଦେଇଥିଲେ । ଯାହାଫଳରେ ୨୦୨୦ ଏପ୍ରିଲ ପୂର୍ବ ସ୍ଥିତି ଫେରିଆସିବା ଆଶା କରାଯାଉଛି । ଦୁଇ ଦେଶ ନିଜ ନିଜ ସୈନ୍ୟଙ୍କୁ ପଛକୁ ହଟାଇବାକୁ ଚୁକ୍ତି ପରେ ସେନା ପଛକୁ ଫେରିଛନ୍ତି । ତେବେ ଏହି ଡିସଏନଗେଜମେଂଟରେ ଭାରତ କିଛି ହରାଇବ ନାହିଁ ବୋଲି କହିଛନ୍ତି ରାଜନାଥ ।

ପେଙ୍ଗଙ୍ଗ ହ୍ରଦର ଉତ୍ତର ଓ ଦକ୍ଷିଣ ତଟକୁ ନେଇ ଦୁଇ ଦେଶ ମଧ୍ୟରେ ବୁଝାମଣା ହୋଇଛି । ଚୀନ ପେଙ୍ଗଙ୍ଗର ଫିଙ୍ଗର ୮ ପରେ ସେନା ରଖିବା ନେଇ ବୁଝାମଣା ହୋଇଥିବା କହିଛନ୍ତି ରାଜନାଥ । ଏଲଏସିରେ ଚୀନକୁ କଡ଼ା ଜବାବ ଦିଆଯାଇଛି । ତେବେ ସୀମାରେ ଯାହା ନିର୍ମାଣ ହୋଇଛି ତାହାକୁ ହଟାଇ ଦିଆଯିବ । ଏହାସହ ଭାରତର ଏକ ଇଂଚ ଜାଗା କେହି ନେଇ ପାରିବେନି ନାହିଁ ବୋଲି ଚେତାଇ ଦେଇଛନ୍ତି ରାଜନାଥ ।

ଅପରପକ୍ଷରେ ପାକିସ୍ତାନ ଓ ଚୀନ୍ ଭାରତର କେତେ ଜାଗା ଅକ୍ତିଆର କରିଛନ୍ତି ତାହାର ବିବରଣୀ ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ । ୧୯୬୨ ମସିହାରେ ହୋଇଥିବା ଯୁଦ୍ଧ ବେଳେ ଚୀନ୍ ଅନାଧିକୃତ ଉପାୟରେ କେନ୍ଦ୍ର ଶାସିତ ଅଂଚଳ ଲଦାଖର ପ୍ରାୟ ୩୮ହଜାର ବର୍ଗ କିଲୋମିଟର ଜମି ଦଖଲ କରିନେଇଛି ଏବଂ ପାକିସ୍ତାନ ଅନାଧିକୃତ ଉପାୟରେ ପାକ୍ ଅଧିକୃତ କଶ୍ମୀରରେ ଥିବା ଭାରତର ୫୧୮୦ ବର୍ଗ କିଲୋମିଟର ଜମିକୁ ଚୀନ୍ ହାତରେ ଦେଇଦେଇଛି । ଏହାର ଅର୍ଥ ଚୀନ୍ ବେଆଇନ ଭାବେ ଭାରତର ୪୩ ହଜାର ବର୍ଗ କିଲୋମିଟରରୁ ଅଧିକ ଜମିକୁ କବଜାରେ ରଖିଛି । ଚୀନ୍ ପୂର୍ବ କ୍ଷେତ୍ରରେ ଅରୁଣାଚଳ ପ୍ରଦେଶର ପ୍ରାୟ ୯୦ ହଜାର ବର୍ଗକିଲୋମିଟର ଜମିକୁ ନିଜର ବୋଲି ଘୋଷଣା କରିଛି । ଭାରତ କେବେହେଲେ ଏହି ବେଆଇନ ଜବରଦଖଲକୁ ସ୍ୱୀକାର କରିବ ନାହିଁ ବୋଲି ରାଜ୍ୟସଭାରେ କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ।

ସୂଚନାଯୋଗ୍ୟ ଯେ, ଭାରତ ଚୀନ୍ ମଧ୍ୟରେ ଗତବର୍ଷ ଜୁନ୍ ମାସରୁ ଲଦାଖ ଅଂଚଳରେ ଉତେଜନା ଲାଗିରହିଥିଲା । ଦୁଇ ଦେଶର ସେନା ମୁହାଁମୁହିଁ ହୋଇଥିଲେ । ବିବାଦର ସମାଧାନ ପାଇଁ ଦୁଇ ଦେଶର ସେନା ମଧ୍ୟରେ ବୈଠକ ପରେ ବୈଠକ ବସିଥିଲା । ଶେଷରେ ଜାନୁୟାରୀ ୨୪ରେ ହୋଇଥିବା ବୈଠକ ପରେ ବୁଝାମଣା ହୋଇଥିଲା ଏବଂ ଏହାର ଫଳସ୍ୱରୂପ ସେନା ପ୍ରତ୍ୟାହାର ହୋଇଛନ୍ତି ।