କନକ ବ୍ୟୁରୋ : ଦେଶରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢୁଥିବା ବେଳେ ବିଭିନ୍ନ କ୍ଷେତ୍ର ପ୍ରଭାବିତ ହେବା ଆରମ୍ଭ କରିଛି । ବିଭିନ୍ନ ରାଜ୍ୟ ଗୁଡିକ ପକ୍ଷରୁ କଟକଣା ଲାଗୁ ହେଉଥିବାରୁ ସବୁ କିଛି ଆଉ ପୂର୍ବଭଳି ରହିନାହିଁ । ଆଉ ଏସବୁ ଭିତରେ ଆଗକୁ ବିଶ୍ୱ କ୍ରିକେଟର ଦାମୀ ଲିଗ୍ ଆଇପିଏଲ ଖେଳାଯିବ । ଚଳିତଥର ଆଇପିଏଲ ଭାରତରେ ହେବ ବୋଲି ପୂର୍ବରୁ ସ୍ପଷ୍ଟ କରିଛନ୍ତି ବିସିସିଆଇ ସମ୍ପାଦକ ଜୟ ଶାହା । କିନ୍ତୁ ଅନ୍ୟପଟେ ଭାରତରେ ଯେଉଁଭଳି ସଂକ୍ରମଣ ବୃଦ୍ଧି ପାଉଛି ତାହା ଆଇପିଏଲ ଆୟୋଜନ ଉପରେ କଳାବାଦଲ ଢାଙ୍କି ଦେଇଛି । କାରଣ ଏହା ପୂର୍ବରୁ କରୋନା ସଂକ୍ରମଣ ବଢୁଥିବା ହେତୁ ବିଭିନ୍ନ ଘରୋଇ ଲିଗକୁ ସ୍ଥଗିତ କରିଛି ବିସିସିଆଇ । ତେଣୁ ଏଭଳି ସ୍ଥଳେ ଆଇପିଏଲ ଆୟୋଜନକୁ ନେଇ ନାନାଦି ଚର୍ଚ୍ଚା ଆରମ୍ଭ ହୋଇଛି ।
କରୋନାର ପ୍ରଥମ ଲହର ଅର୍ଥାତ ୨୦୨୦ ଓ ଦ୍ୱିତୀୟ ଲହର ଅର୍ଥାତ ୨୦୨୧ରେ ଆଇପିଏଲକୁ ୟୁଏଇରେ ଆୟୋଜନ କରିବାକୁ ବିସିସିଆଇ ବାଧ୍ୟ ହୋଇଥିଲା । ୨୦୨୧ରେ ଆଇପିଏଲର ପ୍ରାରମ୍ଭିକ ମ୍ୟାଚଗୁଡ଼ିକ ଭାରତରେ ଆୟୋଜନ ହୋଇଥିଲେ ବି ସଂକ୍ରମଣ ବଢିବା ପରେ ବାଧ୍ୟ ହୋଇ ଅବଶିଷ୍ଟ ମ୍ୟାଚ ସେପ୍ଟେମ୍ବର ମାସରେ ୟୁଏଇରେ ଆୟୋଜନ କରାଯାଇଥିଲା । କିନ୍ତୁ ଚଳିତ ବର୍ଷ ସଂକ୍ରମଣ ବଢିଲେ ବି ବିଦେଶରେ ଆଇପିଏଲ ଆୟୋଜନ ନ କରିବାକୁ ବିସିସିଆଇ ଚିନ୍ତା କରୁଛି । କେବଳ ମୁମ୍ବାଇର ୩ଟି ଷ୍ଟାଡିୟମ ଓ୍ବାଙ୍ଖଡ଼େ, ସିସିଆଇ ଓ ଡିଓ୍ବାଇ ପାଟିଲ ଷ୍ଟାଡିୟମରେ ଆଇପିଏଲର ସବୁ ମ୍ୟାଚ ଆୟୋଜନ କରିବାକୁ ବିଚାର କରାଯାଉଛି । ବିସିସିଆଇ ପାଖରେ ଆଉ ଏକ ବିକଳ୍ପ ମଧ୍ୟ ରହିଛି, ତାହା ହେଉଛି ସବୁ ଦଳ ନିଜର ହୋମ ଗ୍ରାଉଣ୍ଡରେ ଖେଳିବେ । ଅନ୍ୟପକ୍ଷରେ ଏପ୍ରିଲ ୨ ବଦଳରେ ମାର୍ଚ୍ଚ ୨୫ରୁ ଆଇପିଏଲ ଆରମ୍ଭ ପାଇଁ ମଧ୍ୟ ବିଚାର କରାଯାଉଛି ।
ଏସବୁ ବାଦ୍ ଆଇପିଏଲର ମହାନିଲାମୀ ମଧ୍ୟ ଘୁଞ୍ଚିପାରେ ବୋଲି ଚର୍ଚ୍ଚା ହେଉଛି । ଚଳିତ ଥର ଆଇପିଏଲରେ ୧୦ଟି ଦଳ ଭାଗ ନେବେ ।ପୂର୍ବରୁ ୮ଟି ଦଳ ରିଟେନ ପ୍ରକ୍ରିୟାରେ ନିଜ ପସନ୍ଦର ଖେଳାଳୀଙ୍କୁ ଟିମରେ ସ୍ଥାନ ଦେଇ ସାରିଥିବା ବେଳେ ନୂଆ କରି ସାମିଲ ହୋଇଥିବା ୨ଟି ଦଳ ଏଯାବତ କୌଣସି ଖେଳାଳୀଙ୍କୁ ଚୟନ କରିନାହାନ୍ତି । ମହାନିଲାମୀ ପୂର୍ବରୁ ଏହି ଦୁଇ ଟିମ୍ ନିଜ ମନ ପସନ୍ଦର ଖେଳାଳୀଙ୍କୁ ଚୟନ କରିବେ ।