କରୋନାରେ ଆଖି ବୁଜିଲେ ପୀୟୁଷ ଚାୱଲାଙ୍କ ବାପା । ଟ୍ୱିଟ୍ କରି ଶ୍ରଦ୍ଧାଞ୍ଜଳି ଦେଲା ମୁମ୍ବାଇ ଇଣ୍ଡିଆନ୍ସ ।

226

କନକ ବ୍ୟୁରୋ : କରୋନାରେ ଆଖି ବୁଜିଲେ କ୍ରିକେଟର ପୀୟୁଷ ଚାୱାଲଙ୍କ ବାପା । ଆଜି ସକାଳୁ ପୀୟୁଷଙ୍କ ବାପା ପ୍ରମୋଦ କୁମାରଙ୍କ ଦେହାନ୍ତ ହୋଇଛି । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛି ମୁମ୍ବାଇ ଇଣ୍ଡିଆନ୍ସ । ଏଭଳି କଠିନ ସମୟରେ ପୀୟୁଷ ଓ ତାଙ୍କ ପରିବାର ସହ ଦଳ ରହିଛି । ସେହିଭଳି ପୀୟୁଷ ଚାୱାଲା ମଧ୍ୟ ବାପାଙ୍କ ମୃତ୍ୟୁ ନେଇ ଇନଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି । ବାପାଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରିବା ସହ ପୀୟୁଷ କହିଛନ୍ତି, ଆପଣଙ୍କ ବିନା ଆଉ ଜୀବନ ପୂର୍ବଭଳି ରହିବନି ।

ଚଳିତ ଆଇପିଏଲରେ ମୁମ୍ବାଇ ଟିମରେ ସାମିଲ ହୋଇଥିଲେ ପୀୟୁଷ । ତେବେ ଟୁର୍ଣ୍ଣାମେଣ୍ଟ ସ୍ଥଗିତ ହେବା ପୂର୍ବରୁ  ୭ଟି ମ୍ୟାଚ୍ ଖେଳାଯାଇଥିଲେ ମଧ୍ୟ କୌଣସି ମ୍ୟାଚରେ ଖେଳିବାକୁ ସୁଯୋଗ ପାଇନଥିଲେ ପୀୟୁଷ । ଏହାପୂର୍ବରୁ ଆଇପିଏଲରେ ବିଭିନ୍ନ ଦଳ ପକ୍ଷରୁ ଖେଳି ସାରିଛନ୍ତି ପୀୟୁଷ  । ତେବେ କୋଲକାତା ଟିମ ପକ୍ଷରୁ ଖେଳୁଥିବା ବେଳେ ବେଶ ପ୍ରଭାବୀ ପ୍ରଦର୍ଶନ କରିଥିଲେ ପୀୟୁଷ । ଏପରିକି ୨୦୧୪ରେ କୋଲକାତା ଟିମ୍ ଚାମ୍ପିୟନ ହୋଇଥିବା ବେଳେ ପୀୟୁଷ ଦଳର ସଦସ୍ୟ ରହିଥିଲେ । ତେବେ ୨୦୧୯ରେ ତାଙ୍କୁ ରିଲିଜ୍ କରି ଦେଇଥିଲା କେକେଆର । ତେବେ ୨୦୨୦ରେ ଚେନ୍ନାଇ ସୁପର କିଙ୍ଗସ ତାଙ୍କୁ ଦଳରେ ସାମିଲ କରିଥିଲା । କିନ୍ତୁ ତାହା ଥିଲା ମାତ୍ର ଗୋଟିଏ ବର୍ଷ ପାଇଁ । ଚଳିତଥର ନିଲାମୀରେ ପୀୟୁଷଙ୍କୁ କିଣିଥିଲା ମୁମ୍ବାଇ ।

ଏହାପୂର୍ବରୁ ରାଜସ୍ଥାନ ରୟାଲ୍ସର ଦ୍ରୁତ ବୋଲର ଚେତନ ସକାରିଆଙ୍କ ବାପାଙ୍କର ମଧ୍ୟ କରୋନାରେ ମୃତ୍ୟୁ ହୋଇଥିଲା । କରୋନାରେ ସଂକ୍ରମିତ ହୋଇ ଦୀର୍ଘ ଦିନ ଧରି ଚିକିତ୍ସିତ ହେବା ପରେ କରୋନାରେ ପ୍ରାଣ ହରାଇଥିଲେ ଚେତନଙ୍କ ବାପା ।