କନକ ବ୍ୟୁରୋ: ଧାନ ଓ କପା ଚାଷ କରି ଗୁଜୁରାଣ ମେଣ୍ଟାଉଥିବା ଲୋକଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ଜଣେ ଯୁବ ଚାଷୀ ପୀତବାସ ଶବର । କିଛି ଭିନ୍ନ ଓ ନୂଆ କରିବାକୁ ଯାଇ ସେ ଆରମ୍ଭ କରିଛନ୍ତି ଫୁଲ ଚାଷ । ନିଜ ଗାଁରେ ରହି ସ୍ୱଳ୍ପ ସମ୍ବଳରେ ଗେଣ୍ଡୁ ଫୁଲ ଚାଷକରି ନିଜର ଆର୍ଥିକ ସ୍ଥିତିରେ ଆଣିପାରିଛନ୍ତି ଉନ୍ନତି ।

ଯୁବଚାଷୀଙ୍କ ନିଆରା ପ୍ରୟାସ । ଏକର ଏକର ଜମିରେ କରିଛନ୍ତି ଗେଣ୍ଡୁଫୁଲ ଚାଷ । ରାୟଗଡ଼ା ଗୁଣୁପୁର ବ୍ଲକ ଅନ୍ତର୍ଗତ ଭାଲେରିକୁଡ଼ିଆ ଗାଁର ଆଧିକାଂଶ ଲୋକ ଧାନ, କପା ଓ ପନିପରିବା ଚାଷ କରନ୍ତି । କିନ୍ତୁ ପାରମ୍ପରିକ ଚାଷ ଅପେକ୍ଷା ଫୁଲ ଚାଷରୁ ଯେ ଭଲ ରୋଜଗାର କରିହେବ ତାହା ପ୍ରମାଣିତ କରିଛନ୍ତି ଯୁବଚାଷୀ ପୀତବାସ । ଏହି ଚାଷ କରି ସେ ସ୍ଥାନୀୟ ଅଂଚଳର ଚାଷୀଙ୍କ ପାଇଁ ସେ ଉଦାହରଣ ପାଲଟିଛନ୍ତି । ପୂର୍ବରୁ ଏହି ଚାଷୀ ଜଣଙ୍କ ଧାନ ଓ କପା ଚାଷ କରୁଥିଲେ । କିନ୍ତୁ ଏହି ଚାଷରେ ତାଙ୍କୁ କ୍ଷତି ସହିବାକୁ ପଡ଼ୁଥିଲା । ଅଧିକ ଖର୍ଚ୍ଚ କରି କ୍ଷତି ସହିବାକୁ ପଡ଼ୁଥିଲା । ଏବେ ଗେଣ୍ଡୁଫୁଲ ଚାଷରୁ ତାଙ୍କୁ ଭଲ ଲାଭ ମିଳୁଥିବା ସେ କହିଛନ୍ତି ।

ପୂର୍ବରୁ ଏହି ଅଞ୍ଚଳରେ କେହି ଫୁଲଚାଷ କରୁନଥିବାରୁ ଆନ୍ଧ୍ର ପ୍ରଦେଶ ଉପରେ ନିର୍ଭର କରୁଥିଲେ ବ୍ୟବସାୟୀ । ଏଠାକାର ବ୍ୟବସାୟୀ ଆନ୍ଧ୍ରପ୍ରଦେଶରୁ ଫୁଲ କିଣୁଥିଲେ । ଏବେ ଯୁବଚାଷୀ ପୀତବାସ ସ୍ଥାନୀୟ ଅଞ୍ଚଳର ଆବଶ୍ୟକତା ପୁରଣ କରୁଛନ୍ତି । ସ୍ଥାନୀୟ ବ୍ୟବସାୟୀ ତାଙ୍କ ଠାରୁ ଫୁଲ କିଣି ବ୍ୟବସାୟ କରୁଛନ୍ତି । ଜୈବୀକ ପ୍ରଣାଳୀରେ ଫୁଲ ଚାଷ କରି ଦୈନିକ ୫୦ କିଲୋରୁ ଅଧିକ ଫୁଲ ଅମଳ କରୁଛନ୍ତି ପୀତବାସ । କିଲୋପ୍ରତି ୧୨୦ ଟଙ୍କାରେ ବିକ୍ରି କରି ସେ ଲାଭବାନ ହେଉଛନ୍ତି । ଏହି ଚାଷ ପାଇଁ ହେକ୍ଟର ପିଛା ତାଙ୍କୁ ୪୦ ହଜାରରୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି । ଗୁଣୁପୁର ସହର ସହ ଆଖପାଖ ଅଂଚଳର ବ୍ୟବସାୟୀ ମାନେ ତାଙ୍କ କ୍ଷେତ ନିକଟକୁ ଆସି ଫୁଲ କିଣି ନେଉଛନ୍ତି । ଏଥିରୁ ମିଳୁଥିବା ଅର୍ଥରେ ଚଳୁଛି ପୀତବାସଙ୍କ ପରିବାର ।

ତେବେ କିଛି ନୂଆ ପ୍ରକାରର ଚାଷ କରିଥିବାରୁ ଯୁବ ଚାଷୀଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ । ବାସ୍ତବରେ ଯୁବ ଚାଷୀଙ୍କ ଏଭଳି ପ୍ରୟାସ ଅନ୍ୟ ଚାଷୀଙ୍କ ପାଇଁ ନିଶ୍ଚୟ ପ୍ରେରଣାଦାୟୀ ।