ପିପିଲି ଉପନିର୍ବାଚନ ପାଇଁ ମତଦାନ ଜାରି । ଦିନ ୧୧ଟା ସୁଦ୍ଧା ପିପିଲିରେ ୨୪.୭୬ % ମତଦାନ

60

କନକ ବ୍ୟୁରୋ : ନେତା ବାଛୁଛି ପିପିଲି । କିଏ ହେବେ ପିପିଲିର ପରବର୍ତ୍ତୀ ବିଧାୟକ । ସେଥିପାଇଁ ମତଦାନ ଆରମ୍ଭ ହୋଇଛି । ପିପିଲି ଉପନିର୍ବାଚନ ପାଇଁ ମତଦାନ ଜାରି ରହିଛି । ଦିନ ୧୧ଟା ସୁଦ୍ଧା ପିପିଲିରେ ୨୪.୭୬ % ମତଦାନ ହୋଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଶାନ୍ତି ଶୃଙ୍ଖଳା ସହ ଭୋଟ ଗ୍ରହଣ ଚାଲିଛି । କୌଣସି ଅପ୍ରୀତିକର ପରିସ୍ଥିତିର ଖବର ଏପର୍ଯ୍ୟନ୍ତ ଆସିନାହିଁ । ପାଗ ମଧ୍ୟ ଅନୁକୂଳ ରହିଛି, ଭୋଟରଙ୍କ ସଂଖ୍ୟା ବଢୁଛି, ଆଗକୁ ଆହୁରି ମଧ୍ୟ ଭୋଟରଙ୍କ ସଂଖ୍ୟା ବଢିବ ବୋଲି ଆଶା କରାଯାଉଛି ।

୬ଟି ଭି ଭି ପାଟ ମେସିନରେ ଯାନ୍ତ୍ରିକ ତ୍ରୁଟି ଦେଖାଯାଇଥିଲା, ପରବର୍ତ୍ତୀ ସମୟରେ ସମସ୍ୟାର ସମାଧାନ କରାଯାଇ ଭୋଟ ଗ୍ରହଣ ଚାଲିଛି । ୨୦ଟି ଆଦର୍ଶ ବୁଥ କରାଯାଇଛି । ସଂଧ୍ୟା ୬ଟା ଯାଏଁ ଏଠାରେ ମତଦାନ ହେବ । ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ କରୋନାରେ ମୃତ୍ୟୁ ପରେ ଏହି ଉପନିର୍ବାଚନ ହେଉଛି । ତେବେ ଦୁଇ ଦୁଇଥର ନିର୍ବାଚନ ସ୍ଥଗିତ ରହିବା ପରେ ଶେଷରେ ହେଉଛି ଭୋଟିଂ । ଏ ନେଇ ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ । କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ଓ କରୋନା ସଂକ୍ରମଣ ଯୋଗୁଁ ନିର୍ବାଚନକୁ ସ୍ଥଗିତ ରଖିଥିଲେ ନିର୍ବାଚନ କମିଶନ୍ ।

ବିଜେଡି ଓ ବିଜେପି ପାର୍ଥୀଙ୍କୁ ଅପରିବର୍ତିତ ରଖି କେବଳ କଂଗ୍ରେସକୁ ନୂଆ ପ୍ରାର୍ଥୀ ଦେବାପାଇଁ ସୁଯୋଗ ମିଳିଥିଲା । ତେଣୁ ଏବେ ବିଜେଡିର ରୁଦ୍ର ମହାରଥୀ, ବିଜେପିର ଆଶ୍ରୀତ ପଟ୍ଟନାକଙ୍କ ସହ କଂଗ୍ରେସରୁ ଲଢେଇ କରୁଛନ୍ତି ବିଶ୍ୱକେଶନ ହରିଚନ୍ଦନ । ଉପନିର୍ବାଚନକୁ କୋଭିଡ ମୁକ୍ତ ରଖିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ମତଦାନ କେନ୍ଦ୍ରକୁ ଆସୁଥିବା ଭୋଟରଙ୍କ ଥର୍ମାଲ ସ୍କ୍ରିନିଂ କରାଯାଉଛି । ଅସ୍ୱଭାବିକ ତାପମାତ୍ରା ଥିଲେ କିମ୍ବା କରୋନାର କିଛି ଲକ୍ଷଣ ଦେଖା ଯାଉଥିଲେ ଏକ ଟୋକନ ଦେଇ ଶେଷ ୧ ଘଂଟାରେ ଭୋଟ୍ ଦେବାପାଇଁ ବ୍ୟବସ୍ଥା ହୋଇଛି ।