ପିପିଲି ଫଳାଫଳ : ପଞ୍ଚାୟତ ନିର୍ବାଚନ ପାଇଁ କଣ ଦେବ ସଂକେତ?

140

କନକ ବ୍ୟୁରୋ : ଆସୁଛି ପିପିଲି ଫଳାଫଳ । ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଥିବା ବେଳେ ପିପିଲିରେ କିଏ ବିଜୟୀ ହେବ ତାହା ଉପରେ ପୂରା ରାଜ୍ୟର ନଜର ରହିଛି । କାରଣ ଏହି ନିର୍ବାଚନ ଫଳାଫଳ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ବଡ ସଂକେତ ଦେବ । ଛୋଟ ନିର୍ବାଚନ ହେଲେ ମଧ୍ୟ ଏହାର ପ୍ରଭାବ ଯଥେଷ୍ଟ ଅଧିକ ରହିବ । କାରଣ ଆଉ ମାସ କେଇଟା ପରେ ପଞ୍ଚାୟତ ନିର୍ବାଚନ ଓହ୍ଳାଇବେ ୩ ପ୍ରମୁଖ ଦଳ । ତେଣୁ ଜନତାଙ୍କ ମୁଡ କଣ ରହିଛି, କେଉଁ ଆଧାରରେ ଭୋଟର ଭୋଟ ଦେଉଛନ୍ତି ତାହାର ଏକ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବ । ଯାହା ୩ ପ୍ରମୁଖ ଦଳ ପାଇଁ ବେଶ ଗୁରୁତ୍ୱ ବହନ କରୁଛି ।

ପିପିଲି ଉପ-ନିର୍ବାଚନର ଫଳାଫଳ ଯେଉଁ ଦଳ ସପକ୍ଷରେ ଯିବ ସେହି ଦଳ ଆଗାମୀ ପଞ୍ଚାୟତ ନିର୍ବାଚନରେ ମଧ୍ୟ ଫ୍ରଣ୍ଟଫୁଟରେ ରହିବ ବୋଲି କୁହାଯାଉଛି । କାରଣ ପଞ୍ଚାୟତ ନିର୍ବାଚନ ପୂର୍ବରୁ ପିପିଲି ଉପ-ନିର୍ବାଚନର ଫଳାଫଳ ଅନେକ କିଛି ସଂକେତ ଦେବ । ପିପିଲିରେ ବିଜେଡି ବିଜୟୀ ହେଲେ ସରକାର ବିରୋଧୀ ହାୱା ନାହିଁ ବୋଲି ବାର୍ତ୍ତା ଯିବ । ଯାହା ଦଳକୁ ଅନେକମାତ୍ରାରେ ପଞ୍ଚାୟତ ନିର୍ବାଚନରେ ଆଗରେ ରହିବ । ସେହିଭଳି ବିଜେଡିର ଗଡ କୁହାଯାଉଥିବା ପିପିଲିରେ ଯଦି ବିଜେପି ବିଜୟ ବାନା ଉଡାଏ ତେବେ ଏହା ପଞ୍ଚଞ୍ଚାୟତ ନିର୍ବାଚନ ପୂର୍ବରୁ ଦଳ ପାଇଁ ସବୁଠୁ ବଡ ଉପହାର ହୋଇପାରେ । କାରଣ ପିପିଲିରେ ବିଜେପି ବିଜୟୀ ହେଲେ କେବଳ ଯେ ବିଜେଡି ବିରୋଧରେ ସରକାର ବିରେଧୀ ହାୱା ବହୁଛି ବୋଲି ବାର୍ତ୍ତା ଯିବ ତାହା ନୁହେଁ ବରଂ ସଙ୍ଗଠନକୁ ଆହୁରି ଶକ୍ତି ମିଳିବ । ଏପରିକି ଭୋଟରଙ୍କ ମୁଡ୍ ବଦଳୁଥିବା ନେଇ ଏକ ଧାରଣା ତିଆରି ହେବ ଯାହାକୁ ପୁଞ୍ଜି କରି ବିଜେପି ପଞ୍ଚାୟତ ନିର୍ବାଚନକୁ ଓହ୍ଲାଇବ । ସେହିଭଳି ପିପିଲି ଉପ-ନିର୍ବାଚନର ଫଳାଫଳ କଂଗ୍ରେସ ଦଳ ଉପରେ ମଧ୍ୟ ଅନେକାଂଶରେ ପ୍ରଭାବ ପକାଇବ । କାରଣ ବିଜେଡି ପୂର୍ବରୁ ଏହା କଂଗ୍ରେସର ଗଡ ରହିଥିଲା । ଏପରିକି ଦଳ ୨୦୧୪ ନିର୍ବାଚନ ପର୍ଯ୍ୟନ୍ତ ପିପିଲିରେ ୨ ନମ୍ବର ସ୍ଥାନରେ ରହି ଆସୁଥିଲା । କିନ୍ତୁ ୨୦୧୯ରେ ଦଳ ୩ ନମ୍ବର ସ୍ଥାନକୁ ଖସିଥିଲା । ତେଣୁ ପିପିଲିରେ ଦଳ ବିଜୟୀ ହେଲେ ଏହା କଂଗ୍ରେସ କର୍ମୀଙ୍କ ମନରେ ନୂଆ ଜୋଶ ଭରିବା ସହ ରାଜ୍ୟରେ ଦଳର ଭବିଷ୍ୟତକୁ ନେଇ ନୂଆ ଆଶା ସଞ୍ଚାର ହେବ । ଏହାଛଡା ଦଳ ଯଦି ପୂର୍ବ ନିର୍ବାଚନ ଅପେକ୍ଷା ଭଲ ପ୍ରଦର୍ଶନ କରେ ତାହେଲେ ମଧ୍ୟ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ଭୋଟର ଅସନ୍ତୁଷ୍ଟ ଥିବା ନେଇ ସଂକେତ ମିଳିବ । ଆଉ ଏହି ପ୍ରସଙ୍ଗକୁ ଆଧାର କରି ଦଳ ପଞ୍ଚାୟତ ନିର୍ବାଚନକୁ ଓହ୍ଳାଇବ ।