ସରପଂଚ ବାଛୁଛି ପିପିଲି ନୂଆ ଶାସନ ପଂଚାୟତ : ୧୨ଟି ବୁଥରେ ମତାଧିକାର ସାବ୍ୟସ୍ତ କରିବେ ୪ହଜାର ୭ଶହ ଭୋଟର; ରେସରେ ତିନିଜଣ ପ୍ରାର୍ଥୀ

ସେପଟେ ଗୁଣୁପୁରରେ ଚାଲିଛି ଜିଲ୍ଲା ପରିଷଦ ଉପନିର୍ବାଚନ

167

କନକ ବ୍ୟୁରୋ : ପିପିଲି ନୂଆ ଶାସନ ପଂଚାୟତରେ ପଂଚାୟତ ଉପନିର୍ବାଚନ ଆରମ୍ଭ ହୋଇଛି । ସମୁଦାୟ ୧୨ଟି ବୁଥରେ ପଂଚାୟତର ୪ହଜାର ୭ଶହ ଭୋଟର ମତଦାନ କରିବେ । ସରପଂଚ ପାଇଁ ୩ଜଣ ପ୍ରାର୍ଥୀ ହୋଇଥିବା ବେଳେ ଏମାନଙ୍କୁ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର । ସୁରକ୍ଷିତ ମତଦାନ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି ପିପିଲି ପୋଲିସ । ପଂଚାୟତରେ ପୋଲିସ ପାଟ୍ରୋଲିଂ କରିବା ସହ ମ୍ଦାନ ଉପରେ ରଖିଛି ନଜର ।

ସେପଟେ, ରାୟଗଡ଼ା ପଦ୍ମପୁର ‘ଖ’ ଜୋନ ଜିଲ୍ଲା ପରିଷଦ ସଭ୍ୟ ଉପନିର୍ବାଚନ ପାଇଁ ମତଦାନ ଜାରି ରହିଛି । ଏହି ମତଦାନ ପ୍ରକ୍ରିୟା ସକାଳ ୭ଟାରୁ ଆରମ୍ଭ ହୋଇ ୧୨ଟା ପର୍ଯ୍ୟନ୍ତ ଚାଲିବ । ୭ଟି ପଂଚାୟତକୁ ନେଇ ଗଠିତ ଏହି ଜୋନରେ ୩୨ଟି ସମ୍ବେଦନଶିଳ ଓ ୨୫ଟି ଅତି ସମ୍ବେଦନଶିଳ ବୁଥ ରହିଛି । ୮୫ଟି ବୁଥରେ ମତଦାନ କରିବେ ଭୋଟର । ଏହି ଜୋନରେ ୨୧ ହଜାର ୯ଶହ୯୫ ଭୋଟର ରହିଥିବା ବେଳେ ୧୧ ହଜାର ୩୫୦ ମହିଳା ଭୋଟର ଓ ୧୦ ହଜାର ୬ଶହ ୪୫ଜଣ ପୁରୁଷ ଭୋଟର ରହିଛନ୍ତି । ଉପ ନିର୍ବାଚନ ମଇଦାନରେ ବିଜେଡ଼ି ପକ୍ଷରୁ କରୁଣାକର ଶବର, କଂଗ୍ରେସ ପକ୍ଷରୁ ମାନୁଆଲ ମାଝି, ବିଜେପି ପକ୍ଷରୁ ବିଦ୍ୟାଧର ଶବର ଓ ସିପିଆଇଏମ୍ଏଲ ପକ୍ଷରୁ ବାବୁଲ ମାଝିଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର ।

୨୦୧୭ରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଭାବେ ଡ଼ାକ୍ତର ପୁରୁଷୋତମ ଗମାଙ୍ଗ ଏହି ଜୋନରୁ ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବେ ନିର୍ବାଚିତ ହୋଇ ରାୟଗଡ଼ା ଜିଲ୍ଲାପରିଷଦ ଅଧ୍ୟକ୍ଷ ପଦ ହାତେଇଥିଲେ । ତେବେ ଗତ ୨୦୧୯ରେ ଡ଼ିସେମ୍ବର ୨୪ତାରିଖରେ ଏକ ସଡ଼କ ଦୁର୍ଘଟଣାରେ ପଦ୍ମପୁର ‘ଖ’ ଜୋନର ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ମୃତ୍ୟୁ ହୋଇଥିଲା । ଦୀର୍ଘଦିନ ଧରି ଏହି ଜୋନରେ ସଭ୍ୟ ପଦ ଖାଲି ପଡ଼ିଥିବା ବେଳେ ଆଜି ଏଠାରେ ନିର୍ବାଚନ ଅନୁଷ୍ଠିତ ହେଉଛି ।ତେବେ ନିର୍ବାଚନରେ କିଏ ସଭ୍ୟପଦ ହାତେଇବ ତାହା ୨୫ ତାରିଖରେ ଘୋଷଣା ହେବ ।