କନକ ବ୍ୟୁରୋ: ଓଡ଼ିଶାରେ ଠକେଇ କରି ଛତିଶଗଡ଼ରୁ ଗିରଫ ହେଲେ ବ୍ୟାଙ୍କ ଅଧିକାରୀ । ପୁରୀ ପିପିଲି ଦାଣ୍ଡମକୁନ୍ଦପୁର ଆଇଡିବିଆ ବ୍ୟାଙ୍କର ଆସିଷ୍ଟାଣ୍ଟ ମ୍ୟାନେଜର ତନ୍ମୟ ମହାରଣାଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଇଓଡବ୍ଲୁ । ଛତିଶଗଡ଼ ରାୟପୁରରୁ ତାଙ୍କୁ ଗିରଫ କରାଯାଇଛି । ପିପିଲି ବିଡିଓ ଅଫିସର ୩ କୋଟି ୭୦ ଲକ୍ଷ ଟଙ୍କା ଠକେଇ କରି ଫେରାର ହୋଇଯାଇଥିଲେ ତନ୍ମୟ । ଏନେଇ ଅଭିଯୋଗ ହେବା ପରେ ତଦନ୍ତ ଆରମ୍ଭ କରିଥିଲା କ୍ରାଇମବ୍ରାଂଚ ଇଓଡବ୍ଲୁ ଟିମ୍ ।

ଅଭିଯୁକ୍ତକୁ ଧରିବା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରି ତଦନ୍ତ ଚାଲିଥିଲା । ଶେଷରେ ଛତିଶଗଡ଼ରୁ ତନ୍ମୟଙ୍କୁ ଗିରଫ କରି ଟ୍ରାନଜିଟ୍ ରିମାଣ୍ଡରେ ଭୁବନେଶ୍ୱର ଆଣିଛି ଇଓଡବ୍ଲୁ । ୨୦୧୮ରେ ବ୍ୟାଙ୍କର ଆସେଟ ଅଫିସର ଥିବା ବେଳେ ଟଙ୍କା ଲୁଟ୍ ପାଇଁ ଯୋଜନା କରିଥିଲେ ତନ୍ମୟ । ପରିବାର ସହଯୋଗୀ ଓ ସାଙ୍ଗଙ୍କ ସହ ମିଶି ବ୍ୟାଙ୍କରୁ ୩୫ଟି ମୁଦ୍ରା ଲୋନ୍ ମଂଜୁର କରିଥିଲେ । ଋଣ ନେବାର ଦୀର୍ଘ ଦିନ ଯାଏ ସୁଧ ଦେଇ ନଥିଲେ କିମ୍ବା ଟଙ୍କା ସୁଝି ନଥିଲେ । ପରେ ବିଡିଓ ଅଫିସରୁ ଆସିଥିବା ଫିକ୍ସଡ ଡିପୋଜିଟ ଟଙ୍କାରେ ଋଣ ଶୁଝି ଛତିଶଗଡ଼ ବ୍ରାଂଚ ଅଫିସକୁ ପଳାଇଥିଲେ । ଘଟଣା ଜଣାପଡ଼ିବା ପରେ ତାଙ୍କୁ ଗିରଫ କରାଯାଇଛି । ଅନ୍ୟ ସହଯୋଗୀଙ୍କୁ ମଧ୍ୟ ଖୁବଶୀଘ୍ର ଗିରଫ କରାଯିବ ବୋଲି କ୍ରାଇମବ୍ରାଂଚ ଇଓଡବ୍ଲୁ ପକ୍ଷରୁ କୁହାଯାଇଛି ।