ହରଡ଼ ଘଣାରେ ପିପିଲି କଂଗ୍ରେସ । ନିର୍ବାଚନ ଲଢିବେନି ଯୁଧୀଷ୍ଠିର, ବିଳମ୍ବରେ ଟିକେଟ ମିଳିବା ନେଇ ହେଲେ ଖପ୍ପା, କ’ଣ କରିବ କଂଗ୍ରେସ ?

287

କନକ ବ୍ୟୁରୋ: ନିର୍ବାଚନ ଲଢିବେନି ଯୁଧିଷ୍ଠିର । ପିପିଲି ବିଧାନସଭା ଆସନ ପାଇଁ କଂଗ୍ରେସ ଯୁଧିଷ୍ଠିର ସାମନ୍ତରାୟଙ୍କୁ ପ୍ରାର୍ଥୀ କରିଥିବା ବେଳେ ଚଳିତ ନିର୍ବାଚନରୁ ସେ ଓହରିଯାଇଛନ୍ତି । ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ଘୋଷଣା କରିଛନ୍ତି ଯୁଧିଷ୍ଠିର । ଜାଣି ଶୁଣି ତାଙ୍କୁ ଏତେ ବିଳମ୍ବରେ ଟିକେଟ ଦିଆଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି । ଦଳୀୟ କର୍ମୀଙ୍କ ସହ ଆଲୋଚନା ପରେ ନିର୍ବାଚନ ନଲଢ଼ିବାକୁ ନିଷ୍ପତି ନେଇଥିବା ସ୍ପଷ୍ଟ କରିଛନ୍ତି ଯୁଧିଷ୍ଠିର ।

ଅନ୍ୟପଟେ ସେ ଏବେ ବି କଂଗ୍ରେସରେ ଅଛନ୍ତି, କିନ୍ତୁ ଏହି ନିର୍ବାଚନ ଲଢିବେ ନାହିଁ ବୋଲି କହିଛନ୍ତି । ଯୁଧିଷ୍ଠିରଙ୍କ ଏଭଳି ନିଷ୍ପତି କଂଗ୍ରେସ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିପାରେ ବୋଲି କୁହାଯାଉଛି । କାରଣ ଆସନ୍ତା ୨୩ ତାରିଖରେ ପୁରୀ ସଂସଦୀୟ କ୍ଷେତ୍ର ଅଧିନରେ ଯାଉଥିବା ଏହି ପିପିଲି ଆସନ ପାଇଁ କଂଗ୍ରେସ ଯୁଧୀଷ୍ଠିରଙ୍କୁ ଟିକେଟ୍ ଦେଇଥିଲା । ହେଲେ ସେ ନିର୍ବାଚନରୁ ଓହରିଯାଇଥିବା କହିବା ପରେ ଆଗାମୀ ଦିନରେ ପିପିଲି ଭଳି ଏକ ଗୁରୁତ୍ୱପୂର୍ଣ୍ଣ ଆସନରେ କଂଗ୍ରେସର ପ୍ରାର୍ଥୀ କିଏ ହେବ ତାକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି ।

ଅନ୍ୟପଟେ ବିଜେଡି ପୁଣି ଥରେ ଏହି ଆସନରୁ ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କୁ ପ୍ରାର୍ଥୀ କରିଛି । ଯୁଧିଷ୍ଠିର ଓ ପ୍ରଦୀପ ପିପିଲିର ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦି ଭାବେ ବେଶ୍ ଜଣାଶୁଣା । ହେଲେ ବର୍ତ୍ତମାନ କଂଗ୍ରେସ ଏଠାରେ କାହାକୁ ଯୁଧିଷ୍ଠିରଙ୍କ ବିକଳ୍ପ ଭାବେ ବାଛିବ ତାହା ଉପରେ ସମସ୍ତଙ୍କ ନଜର ରହିଛି ।