ପିପିଲି ଉପନିର୍ବାଚନରେ ରେକର୍ଡ ମତଦାନ : ୭୮.୨୪% ଭୋଟିଂ; ସାଧାରଣ ନିର୍ବାଚନରେ ହୋଇଥିଲା ୭୬% ଭୋଟିଂ

136

କନକ ବ୍ୟୁରୋ : ପିପିଲି ଉପନିର୍ବାଚନରେ ହୋଇଛି ରେକର୍ଡ ସଂଖ୍ୟାରେ ମତଦାନ । ଶେଷ ସୂଚନା ଅନୁସାରେ ୭୮.୨୪ ପ୍ରତିଶତ ଭୋଟିଂ ହୋଇଛି । ସାଧାରଣ ନିର୍ବାଚନରେ ହୋଇଥିଲା ୭୬ ପ୍ରତିଶତ ଭୋଟିଂ । ଆସନ୍ତା ୩ରେ ଭୋଟ ଗଣତି କରାଯିବ । ଗତକାଲି ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି ପିପିଲି ଉପନିର୍ବାଚନ ପାଇଁ ମତଦାନ । ଭୋଟରମାନେ ସେମାନଙ୍କ ପରବର୍ତ୍ତୀ ବିଧାୟକ ବାଛିଛନ୍ତି ।

କେତେକ ଇଭିଏମରେ ତ୍ରୁଟି ଯୋଗୁ ମତଦାନ ବିଳମ୍ବ ହୋଇଥିଲା । ଗୋଟିଏ ବୁଥରେ ରାତି ସାଢେ ୯ଟା ଯାଏଁ ଭୋଟିଂ ହୋଇଥିଲା । ବିଳମ୍ବିତ ରାତି ସୁଦ୍ଧା ସମସ୍ତ ଇଭିଏମ୍ ପୁରୀ ୱେୟାର ହାଉସରେ ପହଂଚିଛି । ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ଉପସ୍ଥିତରେ ସମସ୍ତ ଇଭିଏମ୍ ଓ ଅନ୍ୟ କାଗଜପତ୍ର ଯାଂଚ କରାଯାଇଥିଲା । ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତରେ ୱେର ହାଉସ୍ ଷ୍ଟ୍ରଙ୍ଗରୁମରେ ଇଭିଏମ୍ ରଖାଯାଇଛି । ପିପିଲି ଉପନିର୍ବାଚନ ପାଇଁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ୩୪୮ରୁ ୨୦୧ ସମ୍ବେଦନଶୀଳ ବୁଥ୍ ରହିଥିବା ବେଳେ ଏହା ଉପରେ କଡ଼ା ନଜର ରଖାଯାଇଥିଲା । ବିଭିନ୍ନ ବୁଥରେ ବିଏସ୍ଏଫ୍ ଓ ପୋଲିସ ମୁତୟନ କରାଯାଇଥିଲା । ଆସନ୍ତା ୩ ତାରିଖରେ ହେବ ଭୋଟ ଗଣତି ।