ପିପିଲିରେ ହାଇ ଭୋଲଟେଜ୍ ଉପନିର୍ବାଚନ : ଭୋଟରଙ୍କୁ ଆକୃଷ୍ଟ କରୁଛି ୩ ଦଳର ଲଢେଇ

111

କନକ ବ୍ୟୁରୋ : ପିପିଲିର ହାଇ ଭୋଲଟେଜ୍ ଉପନିର୍ବାଚନକୁ ନେଇ ମତଦାତାଙ୍କ ଭିତରେ ପ୍ରବଳ ଉତ୍ସାହ ରହିଛି । ଅଢେଇ ବର୍ଷରେ ମୋଟ୍ ୭ ହଜାର ୭୦୮ ନୂଆ ମତଦାତା ଯୋଡି ହୋଇଛନ୍ତି । ଗତଥର ୭୬ ଦଶମିକ ୨୫ ପ୍ରତିଶତ ମତଦାନ ହୋଇଥିଲା । ଏଥର ଏହା ୮୦ ପ୍ରତିଶତକୁ ଛୁଇଁବା ଆଶା । ଦିବଙ୍ଗତ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀ ଏବେ ବିଜେଡି ପ୍ରାର୍ଥୀ । ଗତଥର ୮୮ ହଜାର ଭୋଟ୍ ପାଇଥିବା ବିଜେଡି ଏଥର ଲକ୍ଷେ ପାର କରାଇବ ବୋଲି ଦାବି କରିଛି । ପୁରୁଖା ନେତା ଯୁଦ୍ଧିଷ୍ଠିର ସାମନ୍ତରାୟଙ୍କୁ ନିଜ ଆଡକୁ ଟାଣି ଆଣିଛି ବିଜେଡି । ନିଜ ପାରମ୍ପରିକ ଭୋଟକୁ ବିଜେଡି ଖାତାକୁ ଦେଇପାରନ୍ତି ଯୁଦ୍ଧିଷ୍ଠିର । ପ୍ରାୟ ଅଢେଇ ଶହ ପର୍ଯ୍ୟବେକ୍ଷକଙ୍କ ଟିମ୍ ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀଙ୍କ ପାଇଁ ଦିନରାତି ଏକ କରିଥିଲେ ।

‘ମିଶନ ପିପିଲି’ ରେସରେ ପଛୁଆ ନାହିଁ ବିଜେପି । ୨୦୧୪ରେ ପ୍ରାୟ ସାଢେ ୭ ହଜାର ଭୋଟ୍ ପାଇଥିବା ବିଜେପି ୨୦୧୯ ବେଳକୁ ୭୨ ହଜାରରେ ପହଂଚାଇଥିଲା । ଗତ ନିର୍ବାଚନରେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ମାତ୍ର ୧୫ ହଜାର ଭୋଟରେ ପ୍ରଦୀପ ମହାରଥୀଙ୍କଠାରୁ ହାରିଥିଲେ । ଆଶ୍ରିତଙ୍କ ରହିଛି ପ୍ରବଳ ସାଂଗଠନିକ ଦକ୍ଷତା । କେନ୍ଦ୍ରୀୟ ନେତାଙ୍କ ପ୍ରଚାର ଓ କେନ୍ଦ୍ରୀୟ ଯୋଜନା ଆଧାରରେ ନିର୍ବାଚନୀ ବୈତରଣୀ ପାର ହେବାକୁ ଲକ୍ଷ୍ୟ ରଖିଛନ୍ତି ବିଜେପିର ପ୍ରର୍ଥୀ । ସେହିପରି ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପରେ କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର । ସହାନୁଭୂତିର ଭୋଟ ବ୍ୟାଙ୍କ ଆଶାରେ ଅଛନ୍ତି କଂଗ୍ରେସର ପ୍ରାର୍ଥୀ । ଡେଲାଙ୍ଗ ମାଟିର ପୁଅ ହୋଇଥିବାରୁ କ୍ଷେତ୍ରୀୟ ଭୋଟ ପାଇବେ ବୋଲି ଦୃଢୋକ୍ତି କରୁଛନ୍ତି ବିଶ୍ୱକେଶନ ।