ପିପିଲି ଉପନିର୍ବାଚନ : ଇଭିଏମ୍ ଅଚଳ, ମତଦାନ ପ୍ରକ୍ରିୟାରେ ବିଳମ୍ୱ

76

କନକ ବ୍ୟୁରୋ : ପିପିଲି ଉପନିର୍ବାଚନ ପାଇଁ ଆଜି କୋଭିଡ୍ କଟକଣା ମଧ୍ୟରେ ସକାଳ ୭ଟାରୁ ମତଦାନ ପକ୍ରିୟା ଆରମ୍ଭ ହୋଇଛି । କେତେକ ମତଦାନ କେନ୍ଦ୍ରରେ ଇଭିଏମ୍ ଅଚଳ ହେବା କାରଣରୁ ମତଦାନ ପ୍ରକ୍ରିୟାରେ ବିଳମ୍ବ ଘଟିଥିବାର ସୂଚନା ମିଳିଛି । ପ୍ରାପ୍ତ ସୂଚନା ଅନୁଯାୟୀ, ନୂଆଶାସନ ଦକ୍ଷିଣସାହିର ୨୦୩ ନମ୍ବର ବୁଥ, ୧୩୯-ଏ ଓ ୧୭୭ ନମ୍ବର ବୁଥରେ ଇଭିଏମ୍ ଅଚଳ ହୋଇଛି । ଏଠାରେ ଲମ୍ବା ଲାଇନରେ ଠିଆ ହୋଇଥିବା ଭୋଟରମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ସୂଚନାଯୋଗ୍ୟ, ପିପିଲି ବ୍ଲକର ସମୁଦାୟ ୧୯୯ଟି ବୁଥ୍ ଓ ଡେଲାଙ୍ଗ ବ୍ଲକର ୧୪୯ଟି ବୁଥରେ ମତଦାନ ଜାରି ରହିଛି। ୧,୧୯,୨୦୬ ଜଣ ପୁରୁଷ ଭୋଟର ଓ ୧,୧୦,୭୯୦ଜଣ ମହିଳା ଭୋଟର ସେମାନଙ୍କର ମତଦାନ ସାବ୍ୟସ୍ତ କରିବେ। ଏହାବାଦ୍ ୨ ଜଣ ତୃତୀୟ ଲିଙ୍ଗ ଓ ୩୨୧ଜଣ ସର୍ଭିସ୍ ଭୋଟର୍ ମଧ୍ୟ ଭୋଟ୍ ଦେବେ । ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ହେବ।
ସେପଟେ ୨୦୧ଟି ବୁଥ୍ ସମ୍ବେଦନଶୀଳ ଥିବାରୁ ଏଠାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସମସ୍ତ ସମ୍ବେଦନଶୀଳ ବୁଥର ୱେବ୍କାଷ୍ଟିଂ ବ୍ୟବସ୍ଥା କରାଯାଇଛି । ୨୩ଟି ବୁବୁଥରେ ମାଇକ୍ରୋ ଅବଜର୍ଭର ଓ ୧୨ଟି ବୁଥରେ ଭିଡିଓ ଉତ୍ତୋଳନ ବ୍ୟବସ୍ଥା ହୋଇଛି । ୨୦ଟି ଆଦର୍ଶ ମତଦାନ କେନ୍ଦ୍ର ଖୋଲାଯାଇଛି ।

ଶୃଙ୍ଖଳିତ ମତଦାନ ପାଇଁ ୧୯୮୩ଜଣ ସୁରକ୍ଷା କର୍ମୀଙ୍କୁ ମୁତୟନ କରାଯାଇଛି । ୩୨ଟି ମୋବାଇଲ୍ ଟିମ୍ ବିଭିନ୍ନ ସ୍ଥାନରେ ପଇଁତରା ମାରୁଛନ୍ତି । ପିପିଲି ଓ ଡେଲାଙ୍ଗର ବିଭିନ୍ନ ସ୍ଥାନରେ କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବାହିନୀ ଓ ପୁଲିସ ମୁତୟନ ହୋଇଛନ୍ତି । ଦିବ୍ୟାଙ୍ଗ ମତଦାତାଙ୍କ ପାଇଁ ୩୪୮ଟି ବୁଥରେ ହ୍ବିଲ୍ ଚେୟାର ଓ ରାମ୍ପ ବ୍ୟବସ୍ଥା କରାଯାଇଛି । ବୁଥକୁ ନେବା ଆଣିବା ପାଇଁ ଡେଲାଙ୍ଗ ବ୍ଲକରେ ୭୧ ଏବଂ ପିପିଲି ବ୍ଲକରେ୨୮ଟି ଗାଡ଼ି ବ୍ୟବସ୍ଥା କରାଯାଇଛି । ଉପନିର୍ବାଚନ ପରିଚାଳନା ପାଇଁ ୩୪୮ ବୁଥ୍ ପାଇଁ ୩୪୮ଟି ପୋଲିଂ ପାର୍ଟି ଗଠନ କରାଯାଇଥିବାବେଳେ ପ୍ରତି ଟିମରେ ସୁରକ୍ଷା କର୍ମୀଙ୍କୁ ମିଶାଇ ୫ ଜଣ ରହିଛନ୍ତି । ୭୦ଟି ପୋଲିଂ ପାର୍ଟି ରିଜର୍ଭ ରଖାଯାଇଛି ।