ବିଶାଳ ଶୋଭା ଯାତ୍ରାରେ ପାର୍ଟି ଅଫିସରୁ ବାହାରିଲେ ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ : ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦାଖଲ କରିବେ ନାମାଙ୍କନ ପତ୍ର

ସେପଟେ କଂଗ୍ରେସ ପ୍ରାର୍ଥୀ ବି ଆଜି କରିବେ ପ୍ରାର୍ଥୀପତ୍ର ଦାଖଲ

151

କନକ ବ୍ୟୁରୋ :  ଆଜି ନାମାଙ୍କନ ଦାଖଲ କରିବେ ବିଜେଡି ଓ କଂଗ୍ରେସ ପ୍ରାର୍ଥୀ । ପିପିଲି ପାର୍ଟି ଅଫିସ୍ରୁ ନାମାଙ୍କନ ପତ୍ର ଦାଖଲ ପାଇଁ ପୁରୀ ଅଭିମୁଖେ ବିଶାଳ ଶୋଭାଯାତ୍ରାରେ ବାହାରିଛନ୍ତି ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ । ସମର୍ଥକ ଓ ଦଳୀୟ କର୍ମୀଙ୍କ ସହ ରୁଦ୍ର ପ୍ରତାପ ମହାରଥୀ ପୁରୀ ଯାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିବେ ।

ସେହିପରି ଦଳୀୟ ସମର୍ଥକଙ୍କ ଗହଣରେ ଯାଇ ନାମାନଙ୍କ ଦାଖଲ କରିବେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ । ଏପଟେ ନାମାଙ୍କନ ଦାଖଲ କରିସାରିଥିବା ବିଜେପି ପ୍ରାର୍ଥୀ ପିପିଲିରେ ଆଜିଠାରୁ ହାଇଭୋଲଟେଜ୍ କ୍ୟାମ୍ପେନ ଆରମ୍ଭ କରିବେ । ଏବେ ବିଜେଡିର ନୂଆ ମୁହଁ ସହ ବିରୋଧୀଙ୍କ ପୁରୁଣା ଚେହେରା ମଧ୍ୟରେ ଲଢେଇ ହେବ । ଗତ ନିର୍ବାଚନରେ ବିଜେଡିକୁ, ବିଜେପି କଡା ଟକ୍କର ଦେଇଥିବାବେଳେ କଂଗ୍ରେସର ଭୋଟହାର ବହୁ ତଳକୁ ଖସି ଆସିଥିଲା । ବିଜେଡି ୫୧ପ୍ରତିଶତ ଭୋଟ ସହ ୮୮ହଜାର ୫୧୮ଭୋଟ ପାଇଥିଲେ ।

ବିଜେପିର ଆଶ୍ରିତ ପଟ୍ଟନାୟକ ୪୨ପ୍ରତିଶତ ସହ ୭୨ହଜାର ୭୩୧ ହଜାର ଓ କଂଗ୍ରେସ ପ୍ରାର୍ଥୀ ୬ପ୍ରତିଶତ ସହ ପାଇଥିଲେ ୯ହଜାର ୮୩୦ ଭୋଟ୍ । ତେଣୁ ବିରୋଧୀ ଶିବିରର ରଣନୀତି ଉପରେ ସମସ୍ତଙ୍କ ନଜର ରହିଛି । ତେବେ ଉପନିର୍ବାଚନରେ ବିରୋଧୀଙ୍କୁ ବାରମ୍ବାର ମାତ ଦେଉଥିବା ବିଜେଡି ବିରୋଧରେ ରଣନୀତି ପ୍ରସ୍ତୁତ କରିବା ନିଶ୍ଚିତ ରୂପେ ବିରୋଧୀଙ୍କ ପାଇଁ ଚ୍ୟାଲେଞ୍ଜ ହେବ ।