ପିପିଲି ଚାନ୍ଦୁଆର ଚମକ ଛଡେଇ ନେଇଛି ଭୁବନେଶ୍ୱରରୁ ପୁରୀକୁ ଲମ୍ବିଥିବା ବାଇପାସ୍ । ବ୍ୟବସାୟ ରାସ୍ତାରେ କଣ୍ଟା ହୋଇଛି ବାଟ, ବଜାର ଦେଇ ଯାଉନି ବସ୍, ଆସୁନାହାନ୍ତି ଗ୍ରାହକ ।

174

କନକ ବ୍ୟୁରୋ : ଜିଲ୍ଲା ପ୍ରଶାସନର ଟାଳଟୁଳ ନୀତି ଓ ପରିବହନ ବିଭାଗର ନିରବତା ଯୋଗୁଁ ପିପିଲି ଚାନ୍ଦୁଆର ଚମକ ଛଡେଇ ନେଇଛି ବାଇପାସ୍ ରାସ୍ତା । ବାଇପାସ ରାସ୍ତା ହେବାରୁ ପିପିଲି ବଜାର ଦେଇ ଯାତାୟତ କରୁନାହିଁ ଯାତ୍ରୀ ବାହୀ ବସ୍ । ତେଣୁ ଚାନ୍ଦୁଆ ବ୍ୟବସାୟ ବାଧାପ୍ରାପ୍ତ ହୋଇଛି । ଖାଲି ଏହି ସମସ୍ୟା ନୁହେଁ, ବାଇପାସ୍ ଯୋଗୁଁ ପ୍ରାୟ ପିପିଲି ବଜାର ଠାରୁ ଅଢେଇ କିଲୋମିଟର ଦୂରରେ ଯାତ୍ରୀଙ୍କୁ ଓହ୍ଲାଇ ଦେଉଛି ବସ୍ । ତେଣୁ ପିପିଲି ବଜାରକୁ ଯିବା ପାଇଁ ବହୁ ଅସୁବିଧା ଭୋଗ କରୁଛନ୍ତି ଲୋକେ ।

ଚାନ୍ଦୁଆର ଚମକ ଛଡେଇ ନେଇଛି ରାସ୍ତା । ବ୍ୟବସାୟର ବାଟ ବନ୍ଦ କରିଦେଇଛି ବାଇପାସ୍ । ବାଇପାସ୍ ଦେଇ ବସ୍ ଯାତାୟତ କରୁଥିବାରୁ ପ୍ରଭାବିତ ହୋଇଛି ବିଶ୍ୱ ପ୍ରସିଦ୍ଧ ଚାନ୍ଦୁଆ ବ୍ୟବସାୟ । ବସ୍ ଗୁଡିକ ଯାତ୍ରୀଙ୍କୁ ନେଇ ବାଇପାସରେ ସିଧା ପୁରୀ ଓ ଭୁବନେଶ୍ୱର ଚାଲିଯାଉଛି । ତେଣୁ ପିପିଲିର ଚାନ୍ଦୁଆ ନଗରୀରେ ପହଞ୍ଚି ପାରୁନାହାନ୍ତି ଯାତ୍ରୀ ବା ପର୍ଯ୍ୟଟକ । ଆଗରୁ ପିପିଲି ବଜାର ଦେଇ ବସ ଚଳାଚଳ କରୁଥିବା ବେଳେ ଯାତ୍ରୀ ପିପିଲି ବଜାରରେ ଓହ୍ଲାଇ ଚାନ୍ଦୁଆ କିଣୁଥିଲେ, ବ୍ୟବସାୟୀ ଦୁଇ ପଇସା ପାଉଥିଲେ ।

କେବଳ ଚାନ୍ଦୁଆ ବ୍ୟବସାୟ ପ୍ରଭାବିତ ହୋଇଛି, ତା ନୁହେଁ, ସ୍ଥାନୀୟ ଲୋକେ ମଧ୍ୟ ବହୁ ଅସୁବିଧା ଭୋଗୁଛନ୍ତି । ପରିବହନ ବିଭାଗର ନିରବତା ଯୋଗୁଁ ଘରୋଇ ବସ୍ ଗୁଡିକ ପିପିଲି ବଜାର ନଦେଇ ବାଇପାସରେ ପଳାଉଛି । ଆଉ ପିପିଲି ବଜାର ଠାରୁ ଅଢେଇ କିଲୋମିଟର ଦୂରରେ ଯାତ୍ରୀଙ୍କୁ ଓହ୍ଲାଇ ଦେଉଛି । ଫଳରେ ସ୍କୁଲ, କଲେଜ, ବ୍ଲକ ଅଫିସ, ଡାକ୍ତରଖାନା ଓ କୋର୍ଟ ଭଳି ଗୁରୁତ୍ୱପୂର୍ଣ୍ଣ କାମ ପାଇଁ ଲୋକଙ୍କୁ ପିପିଲି ବଜାର ଯାଏଁ ଚାଲି ଚାଲି ଯିବାକୁ ପଡୁଛି । ଯାତ୍ରୀବାହୀ ବସ୍ ଗୁଡିକ ପିପିଲି ବଜାର ଦେଇ ଯିବାକୁ ପରମିଟ୍ ରହିଛି, କିନ୍ତୁ ଏହାର ଉଲଂଘନ କରାଯାଉଥିବା ଅଭିଯୋଗ ହୋଇଛି ।

ସେପଟେ ପରିବହନ ବିଭାଗ ପକ୍ଷରୁ ବିଭିନ୍ନ ସମୟରେ ଯାଂଚ କରାଯାଉଛି । ପରମିଟ୍ ଥାଇ ପିପିଲି ବଜାର ଦେଇ ବସ୍ ଚଳାଚଳ କରୁନଥିଲେ, ସେମାନଙ୍କ ପରମିଟ୍ ବାତିଲ କରାଯିବ ବୋଲି କହିଛନ୍ତି ପୁରୀ ଆଂଚଳିକ ପରିବହନ ଅଧିକାରୀ । କେବଳ ଘରୋଇ ବସ୍ ନୁହେଁ ସରକାରଙ୍କ ମୋ ବସ୍ ବି ବାଇପାସ୍ ଦେଇ ଯାତାୟତ କରୁଛି । ଫଳରେ କଟକ-ଭୁବନେଶ୍ୱର-ଅସ୍ତରଙ୍ଗ-କୋଣାର୍କ ଓ ପୁରୀରୁ ପିପିଲିକୁ ଆସୁଥିବା ଯାତ୍ରୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।