ପିପିଲିରେ କେମିତି ହେବ ଭୋଟ? ସୂଚନା ଦେଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଆୟୋଗ, ଭୋଟରଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ।

119

କନକ ବ୍ୟୁରୋ : ଆସନ୍ତା ୩୦ରେ ପିପିଲି ଉପ-ନିର୍ବାଚନ ପାଇଁ ପଡିବ ଭୋଟ । ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଆୟୋଗ ସୁଶୀଲ କୁମାର ଲୋହାନି । କରୋନା କାଳରେ ନିର୍ବାଚନ ହେଉଥିବାରୁ ଅନେକ ଦିଗ ଉପରେ ଦୃଷ୍ଟି ଦିଆଯାଇଛି ।  କୋଭିଡ ଗାଇଡ଼ ଲାଇନ ଅନୁଯାୟୀ ୭୨ ଘଣ୍ଟା ପୂର୍ବରୁ ସାଇଲେଣ୍ଟ ପିରିୟଡ଼ ଲାଗୁ ହେବା କଥା । ସେହି ଅନୁଯାୟୀ ଗତକାଲି ସନ୍ଧ୍ୟା ୬ ରୁ ସାଇଲେଣ୍ଟ ପିରିୟଡ଼ ଲାଗୁ ହୋଇଛି । ପୁଲିଂ ପାର୍ଟି ପେଣ୍ଠକଟା ରେ ରହିଛନ୍ତି । ସେଠାରୁ ବୁଥକୁ ଯିବେ ପୁଲିଂ ପାର୍ଟି । ନିର୍ବାଚନମଣ୍ଡଳୀରେ ବିନା କାରଣରେ ବାହାର ଲୋକ ବୁଲୁଥିଲେ କାର୍ଯ୍ୟାନୁଷ୍ଠାନ ନେଇପାରିବ ଜିଲ୍ଲା ପ୍ରଶାସନ ।

ନିର୍ବାଚନ ପରିଚାଳନା ପାଇଁ ୨୨୦୦ ଜଣ ପୁଲିଂ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି ।  ଏହାସହ ପାଖାପାଖି ୨୦୦୦ ପୋଲିସ କର୍ମଚାରୀ, ବିଏସଏଫର ୩ଟି ଟିମ୍ ମୁତୟନ କରାଯାଇଛି । ୩୨ଟି ମୋବାଇଲ ପାର୍ଟି ନିୟୋଜିତ ହେବେ । ଆଉ ଏସପିଙ୍କ ନେତୃତ୍ୱରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବ । ମୋଟ ୩୪୮ଟି ବୁଥରୁ ୨୦୧ଟି ବୁଥକୁ ସମ୍ବେଦନଶୀଳ ବୁଥ ଭାବେ ଚିହ୍ନଟ କରାଯାଇଛି । ଯେଉଁଠି ମାଇକ୍ରୋ ଅବଜରଭର କିମ୍ବା ସେଣ୍ଟ୍ରାଲ ଫୋର୍ସ ମୁତୟନ କରାଯିବ । ଏହାବ୍ୟତୀତ ଏହି ବୁଥ୍ ଗୁଡିକରେ ୱେବକାଷ୍ଟ ଓ ସିସିଟିଭି ମଧ୍ୟ ଲଗାଯିବ । ପିପିଲିରେ ମୋଟ ୨ ଲକ୍ଷ ୨୯ ହଜାର ୯୯୮ ଭୋଟର ରହିଛନ୍ତି ।

ନିର୍ବାଚନରେ ସଂପୃକ୍ତ ଥିବା ସମସ୍ତ କର୍ମଚାରୀ ୨ଟି ଡୋଜ ଟିକା ନେଇଥିବା ଆବଶ୍ୟକ । ଆଉ ଏହାର ବ୍ୟବସ୍ଥା ମଧ୍ୟ କରିଥିଲା ଜିଲ୍ଲା ପ୍ରଶାସନ । ଡ୍ୟୁଟିକୁ ଆସିବା ବେଳେ କର୍ମଚାରୀମାନେ ୨ଟି ଡୋଜ ଟିକା ନେଇଥିବାର ପ୍ରମାଣପତ୍ର ଧରିକି ଆସିବେ । ୩୪୮ଟି ଭିଭିପାଟର ବ୍ୟବହାର କରାଯିବ । କୌଣସି ଇଭିଏମରେ ତ୍ରୁଟି ଦେଖାଦେଲେ ତୁରନ୍ତ ଏହାକୁ ସଜାଡିବେ । କିଛି ଇଭିଏମ ଗଚ୍ଛିତ ରଖାଯାଇଛି । ୮୦ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ବ୍ୟକ୍ତି, କୋଭିଡ ଆକ୍ରାନ୍ତ ଓ ଭିନ୍ନକ୍ଷମ ବ୍ୟକ୍ତି ଘରେ ରହି ପୋଷ୍ଟାଲ ଭୋଟ ଦେଇପାରିବେ ବୋଲି ଗାଇଡଲାଇନ ଆସିଥିଲା । ଆଉ ଯେଉଁଥିରେ ୯୨୪ଟି ପୋଷ୍ଟାଲ ବାଲାଟ ମିଳିଛି ।

କୋଭିଡ ଗାଇଡ଼ ଲାଇନ ଭିତରେ ହେବ ନିର୍ବାଚନ । ପ୍ରତି ବୁଥରେ ୧୦୦୦ ଜଣ ମତ ଦାତା ଭୋଟ ଦେଇ ପାରିବେ । ତେବେ ଏହି ସମୟରେ ସାମାଜିକ ଦୂରତା, ମାସ୍କ ଓ ସାନିଟାଇଜେସନ ବ୍ୟବସ୍ଥା କରାଯିବ । ଭୋଟର ଆଇକର୍ଡ଼ ପରେ ୧୧ ଟି ଅନ୍ୟ ଆଇଡି ଦେଖାଇ ଲୋକମାନେ ଭୋଟ ଦେଇ ପାରିବେ । ପ୍ରତ୍ୟେକ ଭୋଟରଙ୍କୁ ହ୍ୟାଣ୍ଡ ଗ୍ଲୋଭସ ଦିଆଯିବ । ଏହା ବାଦ ମାକ୍ସ ଓ ସାନିଟାଇଜେସନ ବ୍ୟବସ୍ଥା କରାଯିବ । ସମସ୍ତଙ୍କର ଥର୍ମାଲ ସ୍କାନିଂ କରାଯିବ ।  ଯେଉଁମାନଙ୍କର ଅଧିକ ତାପମାତ୍ରା ଅଧିକ ଥିବ ସେମାନଙ୍କୁ ଚିରକୁଟ ଦିଆଯାଇ ପଠାଯିବ । ଶେଷ ଘଣ୍ଟାରେ ସେମାନେ ଆସି ଭୋଟ ଦେବେ । ସେଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ନିର୍ବାଚନ ପ୍ରଚାର ସମୟରେ ଆସିଥିବା ଆଚରଣ ବିଧିର ଉଲଂଘନ ର ୩ ଟି ଅଭିଯୋଗକୁ ତଦନ୍ତ କରାଯାଇଛି । କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦେଶ ଦିଆଯାଇଛି । ଏଥିପାଇଁ ୫ ହଜାର ଟଙ୍କା ଫାଇନ ବି କଟାଯାଇଛି ।