ପିପିଲି ଲଢ଼େଇ, ଆରମ୍ଭ ହେଲା କସରତ: ରଣନୀତି ଆପଣାଉଛନ୍ତି ରାଜନୈତିକ ଦଳ

111

କନକ ବ୍ୟୁରୋ: ବାଜିଲା ଉପନିର୍ବାଚନୀ ବିଗୁଲ । ଚଳଚଂଚଳ ତିନି ମୁଖ୍ୟ ରାଜନୈତିକ ଦଳ । ସେପ୍ଟେମ୍ବର ୨୦ ତାରିଖରୁ ବିଦ୍ଧିବଦ୍ଧ ଭାବେ ପ୍ରଚାର ମଇଦାନକୁ ଓହ୍ଳାଇବେ ବିଜେଡି, ବିଜେପି ଓ କଂଗ୍ରେସ । କିନ୍ତୁ ତା ପୂର୍ବରୁ ତିନି ଦଳ ପାର୍ଟି ଅଫିସ ଠୁ ଆରମ୍ଭ କରି ଗାଁ କୁ ଗାଁ ବୁଲି ପ୍ରଚାର ଆରମ୍ଭ କରି ଦେଇଛନ୍ତି । ସବୁ ଦଳର ବରିଷ୍ଠ ନେତାମାନେ ମଧ୍ୟ ପିପିଲିରେ ଡେରା ପକାଇଲେଣି ।

ପିପିଲି ଲଢେଇ ପାଇଁ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି । ଯଦିଓ ଏହି ନିର୍ବାଚନ ସରକାର ତିଆରି କରିବନି କିମ୍ବା ସରକାର ଭାଙ୍ଗିବନି କିନ୍ତୁ ଏହା ଏକ ମର୍ଯ୍ୟାଦାର ଲଢେଇ । ମହିଳାଙ୍କ ସମର୍ଥନ ପାଇବା ପାଇ କଷରତ ଆରମ୍ଭ କରିଦେଇଛି ବିଜେଡି । ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ ନିଜେ ଖାଦ୍ୟ ପରଷୁଥିବା ଦେଖିବାକୁ ମିଳିଛି ।

୨୦୧୯ ବିଧାନସଭା ନିର୍ବାଚନରେ ପିପିଲିରେ ପ୍ରାୟ ୧୬ ହଜାର ଭୋଟରେ ହାରିଥିବା ଆଶ୍ରିତ ପଟ୍ଟନାୟକ ଏଥର ପୁରା ଦମରେ ନିର୍ବାଚନକୁ ଓହ୍ଲାଇବା ପାଇଁ ଅଂଟା ଭିଡିଛନ୍ତି । ଦଳର ବରିଷ୍ଠ କର୍ମୀମାନଙ୍କୁ ନେଇ ବୈଠକ କରୁଛନ୍ତି ବିଜେପି ପ୍ରାର୍ଥୀ । ସେପଟେ କଂଗ୍ରେସ ଟିକଟରୁ ପ୍ରଥମ ଥର ପାଇଁ ନିର୍ବାଚନକୁ ଓହ୍ଳାଇଛନ୍ତି ବିଶ୍ୱକେତନ ହରିଚନ୍ଦନ ମହାପାତ୍ର । ଆଗରେ ବିଜେଡି ଓ ବିଜେପି ଭଳି ବଡ ବଡ ଆହ୍ୱାନ ଥିବାରୁ ରଣନୀତି ପ୍ରସ୍ତୁତି କରୁଛନ୍ତି ବିଶ୍ୱକେତନ ।

ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ପିପିଲିରେ ଉପ ନିର୍ବାଚନ ସ୍ଥିତ ହୋଇଥିଲା । କିନ୍ତୁ ଏପ୍ରିଲ ମାସରେ କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ହଠାତ୍ କରୋନାରେ ମୃତ୍ୟୁ ହୋଇଗଲା । ତେଣୁ ପିପିଲି ଉପ ନିର୍ବାଚନ ପୁଣି ଘୁଂଚି ଯାଇଥିଲା । ଏହା ପରେ କରୋନା ସଂକ୍ରମଣ ପାଇଁ ନିର୍ବାଚନ ସ୍ଥଗିତ ହୋଇଥିଲା । ସେପ୍ଟେମ୍ବର ୩୦ରେ ନିର୍ବାଚନ ହେବାକୁ ଥିବା ବେଳେ ଅକ୍ଟୋବର ୩ରେ ଫଳାଫଳ ପ୍ରକାଶ ପାଇବ । ଦେଖାଯାଉ ପିପିଲିର ବିଜୟ ମୁକୁଟ କିଏ ପିନ୍ଧିବ