ସରିଲା ପିପିଲି ଉପନିର୍ବାଚନ ପାଇଁ ମତଦାନ : ଇଭିଏମରେ ସିଲ୍ ପ୍ରାର୍ଥୀଙ୍କ ଭାଗ୍ୟ; ଆସନ୍ତା ୩ରେ ଭୋଟ ଗଣତି

ବହୁ ବୁଥରେ ଇଭିଏମ୍ରେ ତ୍ରୁଟି ଯୋଗୁଁ ବିଳମ୍ବିତ ରାତି ଯାଏଁ ଚାଲିଲା ମତଦାନ; ସଂଧ୍ୟା ୭ଟା ସୁଦ୍ଧା ୭୮.୨୪ ପ୍ରତିଶତ ଭୋଟିଂ

107

କନକ ବ୍ୟୁରୋ : ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି ପିପିଲି ଉପନିର୍ବାଚନ ପାଇଁ ମତଦାନ । ଭୋଟରମାନେ ସେମାନଙ୍କ ପରବର୍ତୀ ବିଧାୟକ ବାଛିଛନ୍ତି । ଇଭିଏମ୍ରେ ସିଲ୍ ହୋଇଛି ପ୍ରାର୍ଥୀଙ୍କ ଭାଗ୍ୟ । ଗତକାଲି ସଂଧ୍ୟା ୭ଟା ସୁଦ୍ଧା ପିପିଲିରେ ୭୮.୨୪ ପ୍ରତିଶତ ମତଦାନ ହୋଇଛି । କେତେକ ଇଭିଏମରେ ତ୍ରୁଟି ଯୋଗୁ ମତଦାନ ବିଳମ୍ବ ହୋଇଥିଲା । ଗୋଟିଏ ବୁଥରେ ରାତି ସାଢେ ୯ଟା ଯାଏଁ ଭୋଟିଂ ହୋଇଥିଲା । ବିଳମ୍ବିତ ରାତି ସୁଦ୍ଧା ସମସ୍ତ ଇଭିଏମ୍ ପୁରୀ ୱେୟାର ହାଉସରେ ପହଂଚିଛି । ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ଉପସ୍ଥିତରେ ସମସ୍ତ ଇଭିଏମ୍ ଓ ଅନ୍ୟ କାଗଜପତ୍ର ଯାଂଚ କରାଯାଇଥିଲା । ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତରେ ୱେର ହାଉସ୍ ଷ୍ଟ୍ରଙ୍ଗରୁମରେ ଇଭିଏମ୍ ରଖାଯାଇଛି । ପିପିଲି ଉପନିର୍ବାଚନ ପାଇଁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ୩୪୮ରୁ ୨୦୧ ସମ୍ବେଦନଶୀଳ ବୁଥ୍ ରହିଥିବା ବେଳେ ଏହା ଉପରେ କଡ଼ା ନଜର ରଖାଯାଇଥିଲା । ବିଭିନ୍ନ ବୁଥ୍ରେ ବିଏସ୍ଏଫ୍ ଓ ପୋଲିସ ମୁତୟନ କରାଯାଇଥିଲା । ଆସନ୍ତା ୩ ତାରିଖରେ ହେବ ଭୋଟ ଗଣତି ।

ପିପିଲି ଉପନିର୍ବାଚନରେ ପ୍ରାର୍ଥୀ ଭାବେ ବିଜେଡିରୁ ରୁଦ୍ରପ୍ରତାପ ମହାରଥୀ, ବିଜେପିରୁ ଆଶ୍ରିତ ପଟ୍ଟନାୟକ, କଂଗ୍ରେସରୁ ବିଶ୍ବକେଶନ ହରିଚନ୍ଦନ ମହାପାତ୍ର, ସିପିଆଏମ୍‌ଏଲ୍‌ରୁ ଅଶୋକ ପ୍ରଧାନ, ଅଖିଳ ଭାରତ ହିନ୍ଦୁ ମହାସଭାରୁ ଜୟପ୍ରକାଶ ସେଠୀ, ରିପବ୍ଲିକାନ୍‌ ପାର୍ଟି ଅଫ୍ ଇଣ୍ଡିଆରୁ ମହମ୍ମଦ ଇମାମୁଦ୍ଦିନ, କଳିଙ୍ଗ ସେନାର ପିଙ୍କଲିନ୍‌ ମହାନ୍ତି, ସ୍ବାଧୀନ ପ୍ରାର୍ଥୀ ଭାବେ ନଗେନ୍ଦ୍ରନାଥ ମିଶ୍ର, ସୁଲୋଚନା ସାହୁ ଓ ସ୍ବପ୍ନେଶ୍ବର ସାହୁ ନିର୍ବାଚନ ଲଢ଼ୁଛନ୍ତି। ଏଥିପାଇଁ ପିପିଲି ବ୍ଲକ୍‌ର ୧୯୯ଟି ଓ ଡେଲାଙ୍ଗ ବ୍ଲକ୍‌ର ୧୪୯ଟି ବୁଥ୍‌ରେ ଭୋଟରମାନେ ସେମାନଙ୍କ ମିଦାନ ଅଧିକାର ସାବ୍ୟସ୍ତ କରିଥିଲେ । ମକ୍‌ପୋଲ୍‌ ପରେ ସକାଳ ୭ଟାରୁ ବିଭିନ୍ନ ବୁଥ୍‌ରେ ମତଦାନ ଆରମ୍ଭ ହୋଇଥିଲା । କିନ୍ତୁ ପିପିଲି ଓ ଡେଲାଙ୍ଗ ବ୍ଲକ୍‌ର କିଛି ବୁଥ୍‌ରେ ଇଭିଏମ୍‌ ନ ଚାଲିବାରୁ ମତଦାନ ବିଳମ୍ବ ହୋଇଥିଲା । କେତେକ ବୁଥ୍‌ରେ ଭିଭିପାଟ୍‌ ବି ତ୍ରୁଟି ଦେଖା ଦେଇଥିଲା । ଲକ୍ଷ୍ମୀନାରାୟଣପୁର ପଞ୍ଚାୟତର ୧୫୪, ୧୫୭, ୧୬୧ ଓ ୧୬୭(କ) ନମ୍ବର ବୁଥରେ ଭିଭିପାଟ୍‌ରେ ତ୍ରୁଟି ଦେଖାଦେବାରୁ ଭୋଟ ଗ୍ରହଣ ବିଳମ୍ବ ହୋଇଥିଲା । ଟେକ୍ନିକାଲ୍‌ ଟିମ୍‌ ଯାଞ୍ଚ ପରେ ଅନେକ ଇଭିଏମ୍‌ର ବ୍ୟାଟେରି ଖରାପ ରହିଥିବା ଜଣାପଡ଼ିଥିଲା । ବ୍ୟାଟେରି ବଦଳାଯାଇ ନୂଆ ବ୍ୟାଟେରି ପଡ଼ିବା ପରେ ମତଦାନ ଆରମ୍ଭ ହୋଇଥିଲା । ଏଥିପାଇଁ ଅନେକ ‌ବୁଥ୍‌ରେ ଘଣ୍ଟାଏରୁ ଦୁଇ ଘଣ୍ଟା ପର୍ଯ୍ୟନ୍ତ ମତଦାନ ବିଳମ୍ବ ହୋଇଛି ।

ସେପଟେ  ପିପିଲି ନିର୍ବାଚନମଣ୍ଡଳୀର ୩୪୮ ବୁଥ୍‌ରେ ୧ ଲକ୍ଷ ୧୯ହଜାର ୨୦୬ଜଣ ପୁରୁଷ ଓ ୧ଲକ୍ଷ ୧୦ହଜାର ୭୯୦ଜଣ ମହିଳା, ଦୁଇଜଣ ତୃତୀୟ ଲିଙ୍ଗ ଭୋଟରଙ୍କୁ ମିଶାଇ ୨ଲକ୍ଷ ୨୯ହଜାର ୯୯୮ଜଣ ମତଦାନ ସାବ୍ୟସ୍ତ କରିବାର ଥିବାବେଳେ ସଂଧ୍ୟା ସୁଦ୍ଧା ପ୍ରାୟ ୧ଲକ୍ଷ ୬୦ହଜାର ଭୋଟର ମତଦାନ ସାବ୍ୟସ୍ତ କରିଛନ୍ତି । ପୂର୍ବରୁ ୧ହଜାର ୭୭ଜଣ ବୟସାଧିକ ଓ ଦିବ୍ୟାଙ୍ଗ ଭୋଟରଙ୍କ ମଧ୍ୟରୁ ପୋଷ୍ଟାଲ୍‌ ବାଲଟ୍‌ ଜରିଆରେ ୯୨୪ଜଣ ଭୋଟର ମତଦାନ କରିଛନ୍ତି । ପିପିଲି ବିଡିଓଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ପିପିଲିରେ ୭୯ ପ୍ରତିଶତ ଓ ଡେଲାଭ୍ଗରେ ୭୬ ପ୍ରତିଶତ ଭୋଟିଂ ଅର୍ଥାତ୍‌ ମୋଟ୍‌ ୭୭.୫ ପ୍ରତିଶତ ଭୋଟିଂ ହୋଇଛି ।