ପିପିଲିରେ କେମିତି ହେବ ନିର୍ବାଚନ ପ୍ରଚାର ? ରାଜନୈତିକ ଦଳ ମାନିବେ କି କରୋନା କଟକଣା ? ୨ ସପ୍ତାହ ଭିତରେ ଶୀର୍ଷ ଛୁଇଁପାରେ ମହାମାରୀର ଦ୍ୱିତୀୟ ଲହର, ୨ ସପ୍ତାହ ଭିତରେ ରହିଛି ପିପିଲିର ଉପନିର୍ବାଚନ ।

246

କନକ ବ୍ୟୁରୋ : ପିପିଲିରେ କେମିତି ହେବ ନିର୍ବାଚନ ପ୍ରଚାର । ବଡ ପ୍ରଶ୍ନ ହେଲା ରାଜନୈତିକ ଦଳ ମାନିବେ କି କରୋନା କଟକଣା ? କାରଣ କରୋନା ସଂକ୍ରମଣ ବଢି ବଢି ଚାଲିଛି । ୨ ସପ୍ତାହ ଭିତରେ ଶୀର୍ଷ ଛୁଇଁ ପାରେ କରୋନାର ଦ୍ୱିତୀୟ ଲହର । ୨ ସପ୍ତାହ ଭିତରେ ଆସୁଛି ପିପିଲି ଉପ-ନିର୍ବାଚନ । ଏହି ପ୍ରଶ୍ନ ସେତେବେଳେ ଉଠିଛି ଯେତେବେଳେ ପଶ୍ଚିମବଙ୍ଗ, କେରଳ, ତାମିଲନାଡୁ, ପୁଡୁଚେରୀ ଏବଂ ଆସାମରେ ନିର୍ବାଚନ କ୍ୟାମ୍ପେନ ବେଳେ ନେତା ଓ କର୍ମୀ କୌଣସି କୋଭିଡ କଟକଣା ମାନିନଥିଲେ ।

କରୋନାର ଦ୍ୱିତୀୟ ଲହର ଭିତରେ ପିପିଲି ଉପନିର୍ବାଚନ ହେବାକୁ ଯାଉଛି । କରୋନାର ଏହି ଲହର କେତେ ବିପଦ ପୂର୍ଣ୍ଣ ହେବ, ତାହା ସଂପୂର୍ଣ୍ଣ ଭାବେ ଜଣାପଡିବା ପୂର୍ବରୁ ଜଙ୍ଗଲର ନିଆଁ ଭଳି ସଂକ୍ରମଣ ବଢି ଚାଲିଛି । ଆଉ ଦୁଇ ସପ୍ତାହ ଭିତରେ ଉପନିର୍ବାଚନ । ଗଣତନ୍ତ୍ରର ଏହି ପର୍ବରେ ପାର୍ଟିମାନେ ପ୍ରଚାର ବି କରିବେ । କିନ୍ତୁ ମନେ ରଖିବାକୁ ହେବ, ଏହା ସାଧାରଣ ପରିସ୍ଥିତି ନୁହେଁ, କରୋନାର ଦ୍ୱିତୀୟ ଲହର ଜୋରଦାର ଚାଲିଛି ।

ମାତ୍ର କିଛି ଦିନ ପୂର୍ବରୁ ପଶ୍ଚିମବଙ୍ଗ ଓ ଆସାମରେ ରାଜୈନିତକ ଦଳଙ୍କ ଏହି ଜନସଭା ଦେଖିଲେ, କେହି ହୁଏତ ବିଶ୍ୱାସ କରିପାରିବେ ନାହିଁ, କରୋନା ବିପଦପୂର୍ଣ୍ଣ ହୋଇ ମାଡି ଆସୁଛି । ଅବଶ୍ୟ ପାଂଚଟି ରାଜ୍ୟରେ ନିର୍ବାଚନ ଆରମ୍ଭ ହୋଇଗଲାଣି ଏବଂ ଜନସଭା ସରିଗଲାଣି । କିନ୍ତୁ ସେମାନେ ମନେ ରଖିବା ଦରକାର, ରାଜନୈତିକ ଆବଶ୍ୟକତା ଏକ ମହାମାରୀ ଠାରୁ ଅଧିକ ଜରୁରୀ ନୁହେଁ ।

ଓଡିଶାର ୧୦ଟି ଜିଲ୍ଲାରେ ଆସନ୍ତାକାଲିଠାରୁ ନାଇଟ କର୍ଫ୍ୟୁ ଆରମ୍ଭ ହେବ । ଗୋଟିଏ ପଟେ ନାଇଟ କର୍ଫ୍ୟୁ ପରି କଟକଣା, ଆଉ ଗୋଟିଏ ପଟେ ପିପିଲିରେ ଆସୁଛି ଉପନିର୍ବାଚନ । ଏଭଳି ପରିସ୍ଥିତିରେ ପିପିଲି ନିର୍ବାଚନ ପ୍ରଚାର କେମିତି ହେବ ତାକୁ ନେଇ ରାଜନୈତିକ ଦଳଗୁଡିକ ମଧ୍ୟ ଚିନ୍ତା କଲେଣି । ତେବେ ଆଇନ ସମସ୍ତଙ୍କ ପାଇଁ ସମାନ ହେବା ଦରକାର । ସେ ସାଧାରଣ ଜନତା ହୁଅନ୍ତୁ କିମ୍ବା ଶାସନ ଓ ବିପକ୍ଷରେ ଥିବା ରାଜନୈତିକ ଦଳ ।