ନେତା ବାଛୁଚି ପିପିଲି : କିଏ ହେବେ ପିପିଲିର ପରବର୍ତ୍ତୀ ବିଧାୟକ ? ମୈଦାନରେ ଅଛନ୍ତି ୧୦ ପ୍ରାର୍ଥୀ

ରୁଦ୍ର, ଆଶ୍ରିତ ଓ ବିଶ୍ୱକେଶନଙ୍କ ମଧ୍ୟରେ କଡ଼ା ଟକ୍କର, ଗଡ଼ ରକ୍ଷା ପାଇଁ ବିଜେଡ଼ିର ଜୋରଦାର ପ୍ରୟାସ; ବିଜେଡ଼ି ଗଡ଼ରେ ଧସେଇ ପଶିବାକୁ ବିଜେପିର ଉଦ୍ୟମ, କମବ୍ୟାକ ଆଶାରେ କଂଗ୍ରେସ

508

କନକ ବ୍ୟୁରୋ : ନେତା ବାଛୁଛି ପିପିଲି । କିଏ ହେବେ ପିପିଲିର ପରବର୍ତ୍ତୀ ବିଧାୟକ ? ସେଥିପାଇଁ ମତଦାନ ଆରମ୍ଭ ହୋଇଛି । ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ କରୋନାରେ ମୃତ୍ୟୁ ପରେ ଏହି ଉପନିର୍ବାଚନ ହେଉଛି । ତେବେ ଦୁଇ ଦୁଇଥର ନିର୍ବାଚନ ସ୍ଥଗିତ ରହିବା ପରେ ଶେଷରେ ହେଉଛି ଭୋଟିଂ । କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ଓ କରୋନା ସଂକ୍ରମଣ ଯୋଗୁଁ ନିର୍ବାଚନକୁ ସ୍ଥଗିତ ରଖିଥିଲେ ନିର୍ବାଚନ କମିଶନ୍ । ବିଜେଡି ଓ ବିଜେପି ପାର୍ଥୀଙ୍କୁ ଅପରିବର୍ତ୍ତିତ ରଖି କେବଳ କଂଗ୍ରେସକୁ ନୂଆ ପ୍ରାର୍ଥୀ ଦେବାପାଇଁ ସୁଯୋଗ ମିଳିଥିଲା ।

ତେଣୁ ଏବେ ବିଜେଡିର ରୁଦ୍ର ମହାରଥୀ, ବିଜେପିର ଆଶ୍ରୀତ ପଟ୍ଟନାକଙ୍କ ସହ କଂଗ୍ରେସରୁ ଲଢେଇ କରୁଛନ୍ତି ବିଶ୍ୱକେଶନ ହରିଚନ୍ଦନ । ଉପନିର୍ବାଚନକୁ କୋଭିଡ ମୁକ୍ତ ରଖିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ଏଥିପାଇଁ ୬୯୬ ଜଣ କର୍ମଚାରୀଙ୍କୁ ବୁଥ ବାହାରେ ନିୟୋଜିତ କରାଯାଇଛି । କୋଭିଡ ନିୟମାବଳୀ ପାଳନ ସଂପର୍କରେ ଏମାନେ କାର୍ଯ୍ୟ କରୁଛନ୍ତି । ଏହି ଉପନିର୍ବାଚନ ପରିଚାଳନା ପାଇଁ ମୋଟ୍ ୧ ହଜାର ୪୯୦ ଜଣ କର୍ମଚାରୀ ନିୟୋଜିତ ଅଛନ୍ତି । ନିର୍ବାଚନ ଦାୟିତ୍ୱରେ ଥିବା ସମସ୍ତ ଅଧିକାରୀଙ୍କୁ କୋଭିଡ ଟିକା ଦିଆଯାଇଛି ।

ସମସ୍ତ ପ୍ରାର୍ଥୀଙ୍କ ଦ୍ୱାରା ନିୟୋଜିତ ହୋଇଥିବା ଏଜେଂଟ, ଗଣତି ଏଜେଂଟଙ୍କୁ ବି ସ୍ୱତନ୍ତ୍ର ଶିବିର କରି କରୋନା ଟିକା ଦିଆଯାଇଛି । ମତଦାନ କେନ୍ଦ୍ରକୁ ଆସୁଥିବା ଭୋଟରଙ୍କ ଥର୍ମାଲ ସ୍କ୍ରିନିଂ କରାଯାଉଛି । ଅସ୍ୱଭାବିକ ତାପମାତ୍ରା ଥିଲେ କିମ୍ବା କରୋନାର କିଛି ଲକ୍ଷଣ ଦେଖା ଯାଉଥିଲେ ଏକ ଟୋକନ ଦେଇ ଶେଷ ୧ ଘଂଟାରେ ଭୋଟ୍ ଦେବାପାଇଁ ବ୍ୟବସ୍ଥା ହୋଇଛି । ୮୦ ବର୍ଷରୁ ଅଧିକ, ଦିବ୍ୟାଙ୍ଗ ଓ ସନ୍ଦିଗ୍ଧ କୋଭିଡ ଆକ୍ରାନ୍ତ ଭୋଟରଙ୍କ ପାଇଁ ପୋଷ୍ଟାଲ ବାଲାଟରେ ଭୋଟ ଗ୍ରହଣ କରାଯାଉଛି ।