୩୪୮ ବୁଥରେ ମତ ଦେଉଛନ୍ତି ୨ଲକ୍ଷ ୩୦ ହଜାର ଭୋଟର : କରୋନା କଟକଣା ଭିତରେ ଚାଲିଛି ଭୋଟିଂ

ସୁରକ୍ଷା ଦୃଷ୍ଟିରୁ ୧୭୫ ବୁଥରେ ମତଦାନର ହେଉଛି ସିଧାପ୍ରସାରଣ ; କେନ୍ଦ୍ରୀୟ ଫୋର୍ସ ସହ ବ୍ୟାପକ ପୋଲିସ ମୂତୟନ

136

କନକ ବ୍ୟୁରୋ : କରୋନା କାଳରେ ପିପିଲେ ପଡୁଛି ଭୋଟ୍ । ପିପିଲି ଏନଏସିର ୧୬ଟି ୱାର୍ଡ, ପିପିଲି ବ୍ଲକର ୨୫ ପଂଚାୟତ ଏବଂ ଡେଲାଙ୍ଗ ବ୍ଲକର ୨୧ଟି ପଂଚାୟତକୁ ନେଇ ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀ । ମତଦାନ ପାଇଁ ଏହି ନିର୍ବାଚନ କ୍ଷେତ୍ରରେ ମୋଟ୍ ୨୭୩ଟି ବୁଥ ଥିବାବେଳେ କରୋନା ପାଇଁ ଅତିରିକ୍ତ ୭୫ଟି ବୁଥ କରାଯାଇଛି । ପିପିଲି ବ୍ଲକ ଓ ଏନଏସିରେ ୧୫୪ଟି ବୁଥ ଥିବାବେଳେ ଅଧିକ ୪୫ଟି ବୁଥ କରାଯାଇଛି । ସେହିପରି ଡେଲାଙ୍ଗ ବ୍ଲକରେ ୧୧୯ଟି ବୁଥ ରହିଥିବାବେଳେ ୩୦ଟି ଅତିରିକ୍ତ ବୁଥ କରାଯାଇଛି । ଉପନିର୍ବାଚନରେ ୧ ଲକ୍ଷ ୧୯ ହଜାର ୨୦୬ ପୁରୁଷ, ୧ ଲକ୍ଷ ୧୦ ହଜାର ୭୯୦ ମହିଳା ଏବଂ ୨ ଜଣ ତୃତୀୟ ଲିଙ୍ଗ ଭୋଟର ଅଛନ୍ତି । ମୋଟ୍ ୨ ଲକ୍ଷ ୨୯ ହଜାର ୯୯୮ ଭୋଟର ୩୪୮ ଭୋଟ ଗ୍ରହଣ କେନ୍ଦ୍ରରେ ମତଦାନ କରିବେ ।

ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ସ୍ୱତନ୍ତ୍ର ମତଦାନର ବ୍ୟବସ୍ଥା କରାଯାଇଛି । ୨୦୧ଟି ବୁଥକୁ ସମ୍ବେଦନଶୀଳ ଭାବେ ଚିହ୍ନଟ କରାଯାଇଛି । ଶାନ୍ତି ଶୃଙ୍ଖଳା ବଜାୟ ରଖିବା ସହ ଅବାଧ ଓ ମୁକ୍ତ ନିର୍ବାଚନ ପାଇଁ ୩ କମ୍ପାନି ବିଏସଏଫଙ୍କ ସହ ପ୍ରାୟ ୨ ହଜାର ପୋଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ପୁରୀ ଏସପିଙ୍କ ନେତୃତ୍ୱରେ ୩୨ଟି ମୋବାଇଲ ସୁରକ୍ଷା ଦଳ ଗଠନ କରାଯାଇଛି । ଯାହାକୁ ୭ଜଣ ଡିଏସପି ଏବଂ ୩ ଜଣ ଏଏସପି ସହାୟତା କରିବେ । ସମ୍ବେଦନଶୀଳ ବୁଥଗୁଡିକରେ କେନ୍ଦ୍ରୀୟ ସଶସ୍ତ୍ର ବଳ ସହିତ ୱେବ କ୍ୟାମେରା ମୁତୟନ ହୋଇଛି ।