ସକାଳ ୮ଟାରୁ ଆରମ୍ଭ ହେବ ପିପିଲି ଉପ ନିର୍ବାଚନ ଭୋଟ୍ ଗଣତି । ପଢନ୍ତୁ, କଣ କହିଲେ ମୁଖ୍ୟ ନିର୍ବାଚନ ଅଧିକାରୀ…

138

କନକ ବ୍ୟୁରୋ: ପିପିଲି ଉପ ନିର୍ବାଚନ ପାଇଁ ଶେଷ ହୋଇସାରିଛି ଭୋଟିଂ । ଯାହାର ଫଳାଫଳ ଆସନ୍ତାକାଲି ଆସିବାକୁ ଯାଉଛି । ଆସନ୍ତାକାଲି ସକାଳ ୮ଟାରୁ ପିପିଲି ଉପ ନିର୍ବାଚନର ଭୋଟ ଗଣତି ଆରମ୍ଭ ହେବ । ପ୍ରଥମେ ପୋଷ୍ଟାଲ ବାଲାଟ୍ ଏବଂ ସକାଳ ସାଢେ ୮ଟାରୁ ଇଭିଏମ୍ ଭୋଟ ଗଣତି ଆରମ୍ଭ ହେବ ବୋଲି ଶନିବାର ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ ।

ତେବେ ଭୋଟ୍ ଗଣତି ପାଇଁ ମୋଟ ୧୪ଟି ଟେବୁଲ ପ୍ରସ୍ତୁତ କରାଯାଇଛି । ଯେଉଁଥିରେ ମୋଟ ୬୨ ଜଣ ସରକାରୀ ଅଧିକାରୀଙ୍କୁ ଗଣତି ପାଇଁ ନିୟୋଜିତ କରାଯିବ । ଖାଲି ସେତିକି ନୁହେଁ, ସୁରକ୍ଷା ବ୍ୟବସ୍ଥାକୁ ଆଖି ଆଗରେ ରଖି ତ୍ରି-ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି । ତେବେ ଭୋଟ୍ ଗଣତି ସମୟରେ ସମସ୍ତ ପ୍ରକାର କୋଭିଡ୍ କଟକଣା ପାଳନ ହେବ ବୋଲି ସିଇଓ ସୂଚନା ଦେଇଛନ୍ତି । ଗଣତି ହଲ ଭିତରକୁ ଯିବାକୁ ହେଲେ କୋଭିଡ୍ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି । ରାଜନୈତିକ ଦଳର ଏଜେଣ୍ଟ ମାନେ ମଧ୍ୟ ଏହି ସମୟରେ ଉପସ୍ଥିତ ରହିପାରିବେ । ତା ସହିତ ଗଣମାଧ୍ୟମର କର୍ମଚାରୀ କେବଳ କ୍ୟାମେରି ନେଇ ଗଣତି ହଲ ଭିତରକୁ ଯାଇପାରିବେ ।

ସୂଚନାଯୋଗ୍ୟ ଯେ, ପିପିଲି ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ଶେଷ ହୋଇସାରିଛି । ଆସନ୍ତାକାଲି ଏହାର ଗଣତି କରାଯିବ । ଏହି ଭୋଟ ହିଁ ପିପିଲି ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବ । କିଏ ପିପିଲିର ଆଗାମୀ ବିଧାୟକ ହେବ ଆସନ୍ତାକାଲି ଭୋଟ୍ ଗଣତି ପରେ ହିଁ ଜଣାପଡିବ । ତେଣୁ ଏହି ଭୋଟଗଣତିକୁ ସୂଚାରୁ ରୂପେ କରିବା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ହୋଇଛି ବୋଲି ସେ ସୂଚନା ଦେଇଛି ।