ପିପିଲି ଉପନିର୍ବାଚନ: ଷ୍ଟାର ପ୍ରଚାରକ ତାଲିକାରେ ନାହାନ୍ତି ସିନେମା ଷ୍ଟାର…

205

କନକ ବ୍ୟୁରୋ: ପିପିଲି ଉପନିର୍ବାଚନ, ଷ୍ଟାର ତାଲିକାରେ ନାହାନ୍ତି ଫିଲ୍ମ ଷ୍ଟାର । ପିପିଲି ଉପନିର୍ବାଚନ ପାଇଁ ଗତକାଲି ତିନି ପ୍ରମୁଖ ଦଳର ଷ୍ଟାର ପ୍ରଚାରକ ତାଲିକା ପକାଶ ପାଇଛି । ବିଜେପୁର, ବାଲେଶ୍ୱର, ତିର୍ତୋଲ ଆଦି ସବୁ ଉପ ନିର୍ବାଚନରେ ବିଜେଡି, ବିଜେପି ସିନେ ତାରକାଙ୍କୁ ମଇଦାନକୁ ଓହ୍ଲାଇ ପ୍ରଚାର ମାହୋଲକୁ ଜୋରଦାର କରନ୍ତି । ସିନେ ଅଭିନେତା କେଉଁଠି ରୋଡ ସୋ କରନ୍ତି ତ କେଉଁଠି ର୍ୟାଲି ଆଉ କେଉଁଠି ଡୋର ଟୁ ଡୋର କ୍ୟାମ୍ପନ କରନ୍ତି । କିନ୍ତୁ ପିପିଲି ଉପନିର୍ବାଚନ ପାଇଁ ପ୍ରକାଶ ପାଇଥିବା ବିଜେଡି ତାଲିକାରେ ଅରିନ୍ଦମ ରୟ, ମୁନ୍ନା ଖାଁ, ଆକାଶ ଦାସ ନାୟକଙ୍କ ଭଳି କ୍ରାଉଡ ପୁଲରଙ୍କୁ ଏହି ତାଲିକାରେ ସ୍ଥାନ ମିଳିନାହିଁ । ସେହିପରି ବିଜେପିର ମଧ୍ୟ ସିନେ ତାରକା ପିଙ୍କି ପ୍ରଧାନ, ଶ୍ରୀତମ ଦାସ, ହରିହର ମହାପାତ୍ର, ଅନୁ ଚୌଧୁରୀଙ୍କୁ ମିଳିନି ସ୍ଥାନ । କିନ୍ତୁ ସବୁ ନିର୍ବାଚନରେ ସିନେ ତାରକାଙ୍କୁ ମଇଦାନକୁ ଆଣି ପ୍ରଚାର କରାଯାଉଥିବା ବେଳେ ଏଥର ସିନେ ତାରକା ଉପରେ ଆସ୍ଥା ଦେଖାଇନାହାନ୍ତି ରାଜନୈତିକ ଦଳ ।

ପିପିଲି ଉପନିର୍ବାଚନ ପାଇଁ ସବୁ ରାଜନୈତିକ ଦଳ ପ୍ଲାନ ଆଉ ଗେମ ପ୍ରସ୍ତୁତ କଲେଣି । ଆସନ୍ତା ୨୦ ତାରିଖରୁ ପ୍ରଚାର ମାହୋଲ କମ୍ପିବ । କରୋନା କଟକଣା ହେତୁ ସବୁ ରାଜନୈତିକ ଦଳ ଛୋଟ ଛୋଟ ର୍ୟାଲି ଓ ସମାବେଶ କରି ଭୋଟରଙ୍କୁ ନିଜ ଆଡକୁ ଆକୃଷ୍ଟ କରିବାକୁ ଚେଷ୍ଟା କରିବ । ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ଭର୍ଚୁଆଲ ମାଧ୍ୟମରେ ପ୍ରଚାରର ମଙ୍ଗ ଧରିପାରନ୍ତି । ସେପଟେ ବିଜେପି ପ୍ରାର୍ଥୀଙ୍କ ପାଇଁ କିଛି କେନ୍ଦ୍ରମନ୍ତ୍ରୀ ମଧ୍ୟ ପ୍ରଚାର ମଇଦାନକୁ ଓହ୍ଲାଇ ପାରନ୍ତି । ବିଜେପି ରାଜ୍ୟ ସରକାରଙ୍କ ବିଫଳତା, ଫନୀ କ୍ଷତିଗ୍ରସ୍ତଙ୍କୁ ସହାୟତା ଦେବାରେ ଫେଲ ମାରିଥିବା କଥା ଉଠାଇ ପ୍ରଚାର କରିବ ।

ପଞ୍ଚାୟତ ନିର୍ବାଚନ ପୂର୍ବରୁ ପିପିଲି ଆସନ ବିଜେପି ଓ ବିଜେଡି ମର୍ଯ୍ୟାଦା ଓ ସମ୍ମାନ ପ୍ରଶ୍ନ । କିନ୍ତୁ ସବୁଠୁ ବଡ ଅଗ୍ନି ପରୀକ୍ଷା ଦେବ ବିଜେପି । ୨୦୧୪ ପରେ ଗୋଟିଏ ବି ଉପ ନିର୍ବାଚନ ଜିତିପାରିନି ଦଳ । ସେପଟେ କଂଗ୍ରେସ ଦଳ ପାଇଁ ମଧ୍ୟ ଏହି ଉପନିର୍ବାଚନ ସମ୍ମାନର ମାଇନେ ରଖୁଛି ।