ପଞ୍ଚାୟତ ନିର୍ବାଚନ ପୂର୍ବରୁ ସବୁ ଦଳ ପାଇଁ ଏସିଡ଼ ଟେଷ୍ଟ । କାଲି ପିପିଲି ଉପନିର୍ବାଚନ ମତଗଣନା ।

156

କନକ ବ୍ୟୁରୋ : ଆସନ୍ତାକାଲି ପ୍ରକାଶ ପାଇବ ପିପିଲି ଫଳାଫଳ । ପଂଚାୟତ ନିର୍ବାଚନ ପୂର୍ବରୁ ଆସିବାକୁ ଥିବା ଏହି ରେଜଲ୍ଟ ରାଜ୍ୟର ପ୍ରତିଟି ଦଳ ପାଇଁ ଏକ ବାର୍ତା ଦେବ । କେତେ ବ୍ୟବଧାନରେ କିଏ ଜିତିବ ଏବଂ କାହାର ଭୋଟ ପ୍ରତିଶତ କେତେ ରହିବ ତା ଉପରେ ସମସ୍ତଙ୍କ ନଜର ରହିଛି । ସକାଳ ୮ରୁ ପୋଷ୍ଟାଲ ବାଲଟ ଓ ସାଢେ ୮ଟାରୁ ଇଭିଏମ୍ ଭୋଟ ଗଣତି କରାଯିବ । ଛୋଟ ନିର୍ବାଚନର ବଡ ଫଳ ଦର୍ଶାଇବ କାହାର ଗ୍ରହଣୀୟତା କେତେ ।

ରାତି ପାହିଲେ ପିପିଲି ଫଳ । କିଏ ମାରିବ ବାଜି ? ବର୍ଷକର ବ୍ୟବଧାନ ପରେ ପିପିଲି ନୂଆ ବିଧାୟକଙ୍କୁ ପାଇବାକୁ ଯାଉଛି । ତ୍ରିସ୍ତରୀୟ ସୁରକ୍ଷା ବଳୟରେ ୩୪୮ଟି ବୁଥର ଇଭିଏମରେ କଏଦ ହୋଇଛି ପ୍ରାର୍ଥୀଙ୍କ ଭାଗ୍ୟ । ସକାଳ ୮ରୁ ପୋଷ୍ଟାଲ ଓ ୮ଟା ୩୦ରୁ ଇଭିଏମ ଭୋଟ ଗଣତି କରାଯିବ । ମୋଟ୍ ୧୪ଟି ଟେବୁଲରେ ୨୪ ରାଉଣ୍ଡ ଗଣତି ହେବ, ଏଥିପାଇଁ ୬୨ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି । ଗଣତି ଶେଷ ହେବା ପରେ ଭିଭିପାଟ ଏବଂ ଇଭିଏମ ଫଳାଫଳକୁ ମେଳ କରାଯିବ ।

ଛୋଟ ନିର୍ବାଚନର ବଡ଼ ଫଳ । ପଞ୍ଚାୟତ ନିର୍ବାଚନ ଆଗରୁ ମିଳିବ ବାର୍ତ୍ତା । ଉପ-ନିର୍ବାଚନରେ ୭୮.୨୪% ମତଦାନ ହୋଇଛି । ଅର୍ଥାତ୍ ୨୦୧୯ ସାଧାରଣ ନିର୍ବାଚନ ତୁଳନାରେ ଏହି ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରାୟ ୨ ପ୍ରତିଶତ ଅଧିକ ଭୋଟ୍ ପଡିଛି । ଗତ ନିର୍ବାଚନରେ ୧୫ ହଜାର ୭୮୭ ଭୋଟ୍ ବ୍ୟବଧାନରେ ବିଜେଡିର ପ୍ରଦୀପ ମହାରଥୀ ବାଜିମାତ୍ କରିଥିଲେ । ଯେହେତୁ ଚଳିତଥର ଅଧିକ ପ୍ରତିଶତ ମତଦାନ ହୋଇଛି, ତେଣୁ ଭୋଟ୍ କାହାର ବଢିବ ଆଉ କାହାର କମିବ, ତାର ଏକ ବଡ ସଙ୍କେତ ରାଜ୍ୟ ରାଜନୀତିକୁ ମିଳିବ ।

ଆଗକୁ ରହିଛି ପଂଚାୟତ ନିର୍ବାଚନ । ତେଣୁ ପିପିଲି ଭୋଟ୍ ଫଳାଫଳର କିଛି ବାର୍ତ୍ତା ବି ସାମ୍ନାକୁ ଆସିବ ।
– ଯଦି ବିଜେଡି ଜିତେ ଏବଂ ଭୋଟ୍ ବ୍ୟବଧାନ ବଢେ, ତେବେ ଶାସକ ଦଳ ପାଇଁ ଆଗକୁ ଅନୁକୁଳ ବାତାବରଣ ରହିପାରେ
– ଯଦି ବିଜେଡି ଜିତେ ହେଲେ ବ୍ୟବଧାନ କମ ରୁହେ, ତେବେ ଦଳ ସାମ୍ନାରେ ଆଗାମୀ ନିର୍ବାଚନ ସହଜ ହେବନାହିଁ
– ପିପିଲିରେ ଯଦି ବିଜେପି ଜିତେ, ତେବେ ବିଜେଡି ପାଇଁ ଆଗାମୀ ଦିନରେ ସବୁଠାରୁ ବଡ ଆହ୍ୱାନ ଆସିବ
– ଯଦି ବିଜେପି ୨୦୧୯ରେ ପାଇଥିବା ଭୋଟ୍ ବଜାୟ ରଖିବାରେ ବିଫଳ ହୁଏ, ତେବେ ଦଳର ନିର୍ବାଚନ ପରିଚାଳନା ଉପରେ ପ୍ରଶ୍ନ ଉଠିବ
– କଂଗ୍ରେସର ପ୍ରଦର୍ଶନ କିଭଳି ରହିବ, ଦଳ କେଉଁ ସ୍ଥାନ ହାସଲ କରିବ, ତାଉପରେ ଦଳର ଭବିଷ୍ୟତ ଅନେକାଂଶରେ ନିର୍ଭର କରିବ ।