ପିପିଲିରେ ଉପନିର୍ବାଚନ : ଆଜି ସନ୍ଧ୍ୟାରେ ସରୁଛି ପ୍ରଚାର

ଶେଷ ଦିନରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରାର୍ଥୀ, ନେତାଙ୍କ ଜୋରଦାର ପ୍ରୟାସ; ବିଭିନ୍ନ ପଂଚାୟତରେ ସଭା କରୁଛନ୍ତି ୩ ଦଳର ଷ୍ଟାର କ୍ୟାମ୍ପେନର

72

କନକ ବ୍ୟୁରୋ : ପିପିଲି ଉପନିର୍ବାଚନ ପାଇଁ ଆଜି ସଂଧ୍ୟାରେ ସରୁଛି ପ୍ରଚାର । ଭୋଟରଙ୍କ ପାଖରେ ପହଂଚିବାକୁ ଆଜି ଗୋଟିଏ ଦିନ ସମୟ ଥିବାରୁ ପ୍ରାର୍ଥୀ ଓ ସମର୍ଥକ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛନ୍ତି । ସବୁ ରାଜନୈତିକ ଦଳ ନେତା ଓ କର୍ମୀ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି । ବିଜେଡି, ବିଜେପି ଓ କଂଗ୍ରେସ ପକ୍ଷରୁ ଷ୍ଟାର ପ୍ରଚାରକ ବିଭିନ୍ନ ପଂଚାୟତରେ ସଭା କରି ପ୍ରଚାର କରୁଛନ୍ତି ।

ଗତକାଲି ବର୍ଷା ସତ୍ୱେ ମଧ୍ୟ ପ୍ରାର୍ଥୀ ଓ ନେତା ପ୍ରଚାର କରୁଥିବା ଦେଖିବାକୁ ମିଳିଥିଲା । ବିଜେଡି ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀ, ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ଓ କଂଗ୍ରେସ ପ୍ରାର୍ଥୀ ବିଶ୍ୱକେଶନ ହରିଚନ୍ଦନଙ୍କ ପାଇଁ ଭୋଟ୍ ମାଗିଛନ୍ତି । ପିପିଲି ଉପନିର୍ବାଚନ ପାଇଁ ଆସନ୍ତା ୩୦ ତାରିଖରେ ମତଦାନ ହେବ । ତିନି ତାରିଖରେ ଭୋଟ୍ ଗଣତି କରାଯିବ ।

ପିପିଲି ସାତସଂଖ ସ୍ଥିତ ବିଜେପି କାର୍ଯ୍ୟାଳୟ ଉପରେ ବୋମାମାଡ଼ । ବିଳମ୍ବିତ ରାତିରେ ଏହି ବୋମାମାଡ଼ ହୋଇଥିବା ସୂଚନା ରହିଛି । କାର୍ଯ୍ୟାଳୟର ଉପର ମହଲାର ଅସ୍ଥାୟୀ ଟେଣ୍ଡ ସାମାନ୍ୟ ପୋଡି ଯାଇଛି । ସେଠାରେ ଉପସ୍ଥିତ ଥିବା ଦଳୀୟ କାର୍ଯ୍ୟକତାମାନେ ସଙ୍ଗେ ସଙ୍ଗେ ନିଆଁକୁ ଲିଭାଇଥିଲେ । ଘଟଣା ସମ୍ପର୍କରେ ଖବର ପାଇ ସାତସଙ୍ଖ ଫାଣ୍ଡି ଅଧିକାର ସେଠାରେ ପହଂଚି ପେଟ୍ରୋଲ ବୋତଲକୁ ଜବତ କରିଥିବା ସୂଚନା ରହିଛି ।