ସ୍ଥଗିତ ରହିଲା ପିପିଲି ଉପ ନିର୍ବାଚନ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍ଥଗିତ ରହିଲା ଉପ ନିର୍ବାଚନ ।

284

କନକ ବ୍ୟୁରୋ: ବଢୁଥିବା ସଂକ୍ରମଣ ଭିତରେ ଆସିଛି ବଡ ଖବର । ପୁଣି ସ୍ଥଗିତ ରହିଲା ପିପିଲି ଉପ ନିର୍ବାଚନ । କରୋନା ସଂକ୍ରମଣ ବଢୁଥିବା ଦେଖି ପିପିଲି ଉପ ନିର୍ବାଚନକୁ ସ୍ଥଗିତ ରଖିଲେ ନିର୍ବାଚନ କମିଶନ । ତେବେ ସ୍ଥିତି ସୁଧୁରିବା ପରେ ଉପ ନିର୍ବାଚନ ନେଇ ପୁଣି ଥରେ ନୂଆକରି ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି କୁହାଯାଇଛି ।

କେବଳ ପିପିଲି ନୁହେଁ, ପଶ୍ଚିମବଙ୍ଗର ଦୁଇଟି ବିଧାନସଭା ଉପ ନିର୍ବାଚନକୁ ମଧ୍ୟ ନିର୍ବାଚନ କମିଶନ ଅନିର୍ଦ୍ଧିଷ୍ଟ କାଳ ପାଇଁ ସ୍ଥଗିତ ରଖିଛନ୍ତି । ଏନେଇ ବେଙ୍ଗଲ ଏବଂ ଓଡିଶାର ସିଇଓଙ୍କ ସହ କଥା ହେବା ପରେ ପରବର୍ତ୍ତୀ ମୁହୂର୍ତ୍ତରେ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ନିର୍ବାଚନ କମିଶନଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ପିପିଲିର କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ବିୟୋଗ ପରେ ପ୍ରଥମ କରି ପିପିଲି ଉପ ନିର୍ବାଚନ ସ୍ଥଗିତ ରହିଥିଲା । ପରେ ଏହାକୁ ଏପ୍ରିଲ ୧୩ ଏବଂ ଏହାପରେ ଏପ୍ରିଲ ୧୬ ତାରିଖକୁ ଘୁଞ୍ଚାଇ ଦିଆଯାଇଥିଲା । ଏବେ ସଂକ୍ରମଣ ବଢୁଥିବା ହେତୁ ଏହାକୁ ପୁଣି ଥରେ ସ୍ଥଗିତ ରଖାଯାଇଛି ।