କନକ ବ୍ୟୁରୋ: ହାତରେ ପ୍ରଚାର ପାଇଁ ଆଉ କେବଳ ୩ ଦିନ ବାକି ଥିବା ବେଳେ ଶେଷ ସୁଯୋଗକୁ ହାତଛଡ଼ା କରୁ ନାହାନ୍ତି ଦଳର ନେତା ଓ ପ୍ରାର୍ଥୀ । ବିଜେଡି ମହିଳା ଭୋଟ ବ୍ୟାଙ୍କ ଉପରେ ନଜର ରଖି ମହିଳା ସମାବେଶ କରିଛି । ପିପିଲି ଅଞ୍ଚଳର ସବୁ ମହିଳା ନେତ୍ରୀଙ୍କୁ ଏକାଠି କରି ରୁଦ୍ର ମହାରଥୀଙ୍କୁ ଭୋଟ ଦେବା ପାଇଁ କହିଛି । ବିଜେଡି ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ସାଂସଦ ପିନାକୀ ମିଶ୍ର ଓ ପ୍ରାର୍ଥୀ ରୁଦ୍ର ମହାରଥୀ ଭୋଟରଙ୍କୁ ଅନେକ ପ୍ରତିଶ୍ରୁତି ଦେଇଛନ୍ତି । ଖାଲି ସେତିକି ନୁହେଁ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଓ କାଳିଆ ପରି ଯୋଜନାକୁ ନେଇ ଭୋଟରଙ୍କ ପାଖକୁ ଆସିଛି ବିଜେଡି ।

Advertisment

୨୦୧୯ ସାଧାରଣ ନିର୍ବାଚନରେ ପିପିଲିରେ ଅମାନତ ହରାଇଥିବା କଂଗ୍ରେସ ଏବେ ଗଡ଼ ସଜାଡ଼ିବା ପାଇଁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରଚାର ମଙ୍ଗ ଧରିଥିଲେ । ପିସିସି ସଭାପତି ପ୍ରାର୍ଥୀ ବିଶ୍ୱକେଶନ ହରିଚନ୍ଦନଙ୍କ ସହ ତାଙ୍କ ଟିମ୍ ଗାଁ ଗାଁ ବୁଲି ଭୋଟ୍ ଭିକ୍ଷା କରିଛନ୍ତି । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦୋଷ ଦୁର୍ବଳତାକୁ ପାଥେୟ କରି ଭୋଟ ହାତେଇବାକୁ ଲକ୍ଷ୍ୟ ରଖିଛି କଂଗ୍ରେସ ।

ସେପଟେ ବିଜେଡିକୁ କଡା ଟକ୍କର ଦେବାକୁ ପ୍ରସ୍ତୁତ ହେଉଥିବା ବିଜେପି ପ୍ରଚାରକୁ ଜୋରଦାର କରିଛି । ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ସହ ବିଧାୟକ ଓ ଛାମୁଆ ସଂଗଠନ ଡେଲାଙ୍ଗ ବ୍ଳକରେ ପ୍ରଚାର କରିଛନ୍ତି । ଫନି କ୍ଷତିଗ୍ରସ୍ଥଙ୍କୁ ସହାୟତା ମିଳିନଥିବା, ପକ୍କାଘର ଯୋଜନାରେ ବ୍ୟାପକ ଅନିୟମିତତା ଓ ପିପିଲିରେ ଆଇନ ଶୃଙ୍ଖଳା ମୁଖ୍ୟ ପ୍ରସଙ୍ଗ କରିଛି ବିଜେପି । ପିପିଲିର ଏହି ଉପ ନିର୍ବାଚନ ଏକ ନିର୍ବାଚନ ହୋଇପାରେ । ହେଲେ ଏହା ଆଗକୁ ପଞ୍ଚାୟତ ନିର୍ବାଚନ ଉପରେ ବଡ଼ ପ୍ରଭାବ ପକାଇପାରେ । ଉଭୟ ବିଜେପି ଓ ବିଜେଡି ପାଇଁ ଏହି ଆସନ ସମ୍ମାନର ପ୍ରଶ୍ନ ପାଲଟିଛି ।