ପିପିଲି ଉପନିର୍ବାଚନ ପାଇଁ ବିଜେପିର ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ : ଜାତୀୟ ମହାସଚିବ ଅରୁଣ ସିଂ କଲେ ଘୋଷଣା ; ବିଜେଡି ଓ କଂଗ୍ରେସ କାହାକୁ କରିବେ ପ୍ରାର୍ଥୀ 

98

କନକ ବ୍ୟୁରୋ : ପିପିଲି ବିଧାନସଭା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ । ବିଜେପି ରାଷ୍ଟ୍ରୀୟ ମହାସଚିବ ଅରୁଣ ସିଂହ ଏହି ଘୋଷଣା କରିଛନ୍ତି । ପୁଣି ଥରେ ଆଶ୍ରିତଙ୍କ ଉପରେ ଭରସା କରିଛି ଦଳ । ଗତ ନିର୍ବାଚନରେ ମଧ୍ୟ ବିଜେପିର ପ୍ରାର୍ଥୀ ହୋଇଥିଲେ ଆଶ୍ରିତ । ହେଲେ ବିଜେଡି ନେତା ପ୍ରଦୀପ ମହାରଥୀଙ୍କ ଠାରୁ ସେ ହାରି ଯାଇଥିଲେ । ତେବେ ଗତ ନିର୍ବାଚନରେ ମହାରଥୀଙ୍କୁ ସେ କଡ଼ା ଟକ୍କର ଦେଇଥିଲେ ।

୭୨ ହଜାରରୁ ଅଧିକ ଭୋଟ ପାଇବାରେ ସଫଳ ହୋଇଥିଲେ । ଏଥର ଉପନିର୍ବାଚନରେ ପୁଣିଥରେ ତାଙ୍କୁ ପ୍ରାର୍ଥୀ କରି ପିପିଲି ଆସନ ଜିତିବାକୁ ଲକ୍ଷ୍ୟ ରଖିଛି ଦଳ । ପିପିଲି ଉପନିର୍ବାଚନ ପାଇଁ ପ୍ରଥମେ ବିଜେପି ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବିଜେଡି ଓ କଂଗ୍ରେସ କାହାକୁ ପ୍ରାର୍ଥୀ କରିବ, ତାକୁ ଅପେକ୍ଷା କରାଯାଇଛି । ପ୍ରଦୀପ ମହାରଥୀଙ୍କ ମୃତ୍ୟୁ ପରେ ପିପିଲି ବିଧାନସଭା ଆସନ ଖାଲି ପଡିଛି । ଉପନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ରହିଛି ମାର୍ଚ୍ଚ ୩୦ ତାରିଖ । ଏପ୍ରିଲ ୧୭ ତାରିଖରେ ମତଦାନ ହେବ ।