କନକ ବ୍ୟୁରୋ : ପିପିଲି ଉପନିର୍ବାଚନରେ ପିପିଲି ଓ ଡେଲାଙ୍ଗ ବ୍ଲକର ସମସ୍ତ ମତଦାନ କେନ୍ଦ୍ରରେ ଲାଗିଲା ସିସିଟିଭି କ୍ୟାମେରା । ଏହି କ୍ୟାମେରା ମାଧ୍ୟମରେ ଏହି ଦୁଇଟି ବ୍ଲକର ୧୭୫ ବୁଥ୍ରୁ ମତଦାନର ସିଧାପ୍ରସାରଣ କରାଯିବ । ପ୍ରଶାସନ ସିଧାସଳଖ ଭାବରେ ଏସବୁ ବୁଥ୍ ଉପରେ ନଜର ରଖିବେ । ମୋଟ ୩୪୮ଟି ବୁଥରେ ମତଦାନ କରାଯିବ । ଏଥିପାଇଁ ୬ ପ୍ଲାଟୁନ୍ କେନ୍ଦ୍ରୀୟ ସୁରକ୍ଷା ବଳ ମୁତୟନ ହୋଇଛନ୍ତି ।
ପୁଲିସ ପ୍ରଶାସନର ଉଚ୍ଚ ପଦାଧିକାରୀମାନେ ଭୋଟିଂ ଉପରେ ନଜର ରଖିବେ । କୋଭିଡ କଟକଣା ଭିତରେ ମତାଦନ ହେବାକୁ ଥିବାରୁ ପ୍ରତ୍ୟେକ ଭୋଟର ଡାହାଣ ହାତରେ ଗ୍ଲୋବ୍ସ ପିନ୍ଧି ଭୋଟ ଦେବେ । ଆଜି ସଂଧ୍ୟାରେ ପ୍ରଚାର ଶେଷ ହେବ । ପ୍ରଦୀପ ମହାରଥୀଙ୍କ ପରୋଲୋକ ପରେ ପିପିଲିରେ ଉପନିର୍ବାଚନ ହେଉଛି । ଏହି ଉପନିର୍ବାଚନରେ ପ୍ରାୟ ୨ ଲକ୍ଷ ୩୦ ହଜାର ଭୋଟର ମତ ସାବ୍ୟସ୍ତ କରିବେ । ୧୦ ଜଣ ପ୍ରାର୍ଥୀ ପିପିଲି ଆସନ ପାଇଁ ଲଢେଇ କରୁଛନ୍ତି ।