କନକ ବ୍ୟୁରୋ: ମତଦାନ ଚାଲିଥିବା ବେଳେ ବୁଥ୍ ଭିତରେ ଆକ୍ରମଣ କରିଥିବା ବିଜେପି ପ୍ରାର୍ଥୀ ଓମ୍ ପ୍ରକାଶ ମିଶ୍ରଙ୍କୁ ଖୋଜୁଛି ପୁଲିସ। ସତ୍ୟବାଦୀ ନିର୍ବାଚନମଣ୍ଡଳୀର ବିଜେପି ପ୍ରାର୍ଥୀ ଓମ୍ ପ୍ରକାଶ ମିଶ୍ର ବୁଥ୍ ଭିତରେ ପିସ୍ତଲ ବାହାର କରି ଗୁଳି ଫୁଟାଇବାକୁ ଉଦ୍ୟମ କରିଥିଲେ। ପ୍ରିଜାଇଡିଂ ଅଫିସରଙ୍କୁ ପିଟିଥିଲେ। ନିର୍ବାଚନୀ କାଗଜପତ୍ର ଚିରିବା ସହ ଇଭିଏମ୍ ଭାଙ୍ଗିଥିଲେ। ଏତଲାରେ ଏ କଥା ଉଲ୍ଲେଖ କରିଛନ୍ତି ସତ୍ୟବାଦୀ ନିର୍ବାଚନମଣ୍ଡଳୀ ୭୮ ନଂ ବୁଥର ପ୍ରିଜାଇଡିଂ ଅଫିସର ଶିବରାମ ମହାପାତ୍ର। ତାଙ୍କ ଏତଲାକୁ ଭିତ୍ତି କରି ପୁଲିସ ମାମଲା ରୁଜୁ କରି ୨ ଜଣଙ୍କୁ ଗିରଫ କରିଛି। ତେବେ ଓମ୍ପ୍ରକାଶ ଫେରାର ହୋଇଯାଇଛନ୍ତି। ତାଙ୍କୁ ଗିରଫ କରିବା ପାଇଁ ଗତକାଲି ପୁଲିସର ୩ଟି ଟିମ୍ ଭୁବନେଶ୍ବର ହଂସପାଳସ୍ଥିତ ତାଙ୍କ ବାସଭବନ ସମେତ ବିଭିନ୍ନ ସ୍ଥାନରେ ଚଢଉ କରିଥିଲା। କିନ୍ତୁ ପୁଲିସକୁ ଖାଲି ହାତରେ ଫେରିବାକୁ ପଡ଼ିଥିଲା।
ପ୍ରିଜାଇଡିଂ ଅଫିସର ଶିବରାମ ମହାପାତ୍ରଙ୍କ ଏତଲା ଅନୁଯାୟୀ, ୨୩ ତାରିଖରେ (ମଙ୍ଗଳବାର) ମତଦାନ ଶୃଙ୍ଖଳାର ସହ ଚାଲିଥିଲା। ମତଦାନ ସରିବାକୁ ଆଉ ମାତ୍ର ୧୦ ମିନିଟ୍ ଥିବା ବେଳେ ସତ୍ୟବାଦୀ ନିର୍ବାଚନମଣ୍ଡଳୀର ୭୮ ନଂ ବୁଥ୍ରେ ପହଞ୍ଚିଥିଲେ ବିଜେପି ପ୍ରାର୍ଥୀ ଓମ୍ ପ୍ରକାଶ ଏବଂ ତାଙ୍କ ସମର୍ଥକ। ଆଗ ପାଟିତୁଣ୍ଡ, ହୋ’ହଲ୍ଲା କରିଥିଲେ। ବୁଥ୍ ଭିତରେ ଏପରି ନକରିବାକୁ ତାଙ୍କୁ ଅନୁରୋଧ କରିଥିଲେ ନିର୍ବାଚନ କର୍ମଚାରୀମାନେ। ମାତ୍ର ଶୁଣି ନଥିଲେ ଓମ୍ ଏବଂ ତାଙ୍କ ସମର୍ଥକମାନେ। ଇଭିଏମ୍ ଫିଙ୍ଗାଫୋପଡ଼ା କରିବା ସହ ଗୁରୁତ୍ବପୂର୍ଣ୍ଣ ନିର୍ବାଚନୀ କାଗଜପତ୍ର ଛିଣ୍ଡାଇ ଦେଇଥିଲେ। ଏଥିରେ ଆପତ୍ତି କରିଥିଲେ ଉଭୟ ଭୋଟର ଏବଂ କର୍ମଚାରୀ। ସେତେବେଳେ ପ୍ରାୟ ୨ ଶହରୁ ଅଧିକ ଭୋଟର ଭୋଟ୍ ଦେବା ଲାଗି ଅପେକ୍ଷା କରିଥିଲେ। ପ୍ରାର୍ଥୀଙ୍କ ଆଚରଣ ଯୋଗୁ ଉତ୍ତେଜନା ବଢ଼ିବା ସହ ହିଂସାକାଣ୍ଡ ସ୍ଥିତି ଉପୁଜିଥିଲା। ଏତିକି ବେଳେ ଅତର୍କିତ ଭାବେ ଓମ୍ ପ୍ରକାଶ ନିଜର ବନ୍ଧୁକ ବାହାର କରି ଗୁଳି ଫୁଟାଇବାକୁ ଚେଷ୍ଟା କରିଥିଲେ। ଲୋକେ ଭୟଭୀତ ହୋଇଯାଇଥଲେ।
ତେବେ କିଛି ସମୟ ପରେ ଭୋଟରମାନେ ଏକାଠି ହୋଇ ଘେରିଯିବାରୁ ଓମ୍ ପ୍ରକାଶଙ୍କ ବନ୍ଧୁକ ତଳେ ପଡ଼ିଯାଇଥିଲା। ସେ ବନ୍ଧୁକ ଛାଡ଼ି ଘଟଣାସ୍ଥଳରୁ ପଳାଇଥିଲେ। ଖବର ପାଇ ଗଡ଼ିଶାଗଦା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଗୁଳି ଭର୍ତ୍ତି ଏକ ବନ୍ଧୁକ ଜବତ କରିଥିଲା। ପ୍ରିଜାଇଡିଂ ଅଫିସରଙ୍କ ଏତଲାକୁ ଭିତ୍ତି କରି ଗଡ଼ିଶାଗଦା ପୁଲିସ୍ ନିର୍ବାଚନରେ ବାଧା ଦେଇଥିବା, ଦଙ୍ଗା ସୃଷ୍ଟି କରିଥିବା, ପିସ୍ତଲ ଦେଖାଇ ଆତଙ୍କ ସୃଷ୍ଟି ଅଭିଯୋଗରେ ମାମଲା ରୁଜୁ କରିଛି। ଏହି ଘଟଣାରେ ଓମ୍ ପ୍ରକାଶଙ୍କ ସମର୍ଥକ କୁହାଯାଉଥିବା ଖୋର୍ଦ୍ଧା ଅଞ୍ଚଳର ମାନସ ସାମନ୍ତରାୟ (୩୨) ଏବଂ କଣାସ ଅଞ୍ଚଳର ଅକ୍ଷୟ କୁମାର ବିଶ୍ବାଳ (୩୪)ଙ୍କୁ ପୁଲିସ ଗିରଫ କରିଛି। ତେବେ, ଓମ୍ ପ୍ରକାଶ ଫେରାର ହୋଇଯାଇଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/01/arrest-generic_650x400_71463458726.jpg)
/kanak/media/post_attachments/wp-content/uploads/2019/04/EVM-7-300x169.jpg)
/kanak/media/post_attachments/wp-content/uploads/2019/04/bjp-worker-300x201.jpg)