କନକ ବ୍ୟୁରୋ: ଜଳ ପାଲଟିଛି ଜହର । ରାଉରକେଲାରେ କଲବଲ କଲାଣି ହଇଜା । ବେସରକାରୀ ଭାବେ ମୃତ୍ୟୁ ସଂଖ୍ୟା ୧୫ ହୋଇଥିବା ଥିବାବେଳେ ସରକାରୀ ଭାବେ ଏହା ୬ ବୋଲି କୁହାଯାଇଛି । ହଇଜା ବ୍ୟାପିବାର କାରଣ ଏ ଯାଏଁ ଜଣାପଡିନାହିଁ । ନମୂନା ପଠାଯାଇଛି , କାହାର ରିପୋର୍ଟ ଆସିନାହିଁ । ପ୍ରଶାସନ ଦାବି କରିଛି, ଶନିବାର କାହାର ମୃତ୍ୟୁ ହୋଇନାହିଁ । ପରିସ୍ଥିତି ଧିରେ ଧିରେ ସାମାନ୍ୟ ହେବାରେ ଲାଗିଛି । ଆକ୍ରାନ୍ତଙ୍କ ସଂଖ୍ୟା ବି କମୁଛି । ବର୍ତମାନ କେବଳ ୫୩ ଜଣଙ୍କ ଚିକିତ୍ସା ଚାଲିଛି । ଜଳସାଥୀ ଓ ୱାଟକୋର ପ୍ରତିନିଧି ବିଭିନ୍ନ ୱାର୍ଡରେ ବୁଲି ପାଣିର ମାନ ଯାଞ୍ଚ କରୁଛନ୍ତି । ସହରର ସମସ୍ତ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ୨୪ ଘଂଟା ପାଇଁ ଖୋଲା ରହିଛି । ସରକାର ଓ ପ୍ରଶାସନ ସତର୍କ ଅଛନ୍ତି ।
ପ୍ରଶାସନ ସ୍ଥିତି ନିୟନ୍ତ୍ରଣକୁ ଆସିିଛି ବୋଲି ଯେତେ ଦାବି କଲେ ବି ଗ୍ରାଉଣ୍ଡ ଜିରୋ ସ୍ଥିତି ଅଲଗା । ଆଶ୍ୱସ୍ତିକର କଥା ହେଲା , ମେଡିକାଲରେ ରୋଗୀ ସଂଖ୍ୟା କମୁଛନ୍ତି । କିନ୍ତୁ ବସ୍ତିରେ ଏବେ ବି ଲୋକେ ଗୋଳିଆ ପାଣି ପିଉଛନ୍ତି । ରାଉରକେଲାର ବିଭିନ୍ନ ଅଂଚଳ ବୁଲିବା ବେଳେ ଲୋକେ ଗୋଳିଆପାଣି ପିଉଥିବା ଦେଖିଛି କନକ ନ୍ୟୁଜ ଟିମ୍ । ବିଶେଷକରି ପାୱାର ହାଉସ, ପ୍ରଧାନପଲ୍ଲୀ ମଧୁସୁଦନପଲ୍ଲୀ ଓ ଉତ୍ତମ ବସ୍ତିରେ ଏବେ ବି ଗୋଳିଆ ପାଣି ଆସୁଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।
ହଇଜା ଅନେକ ପରିବାର ପାଇଁ ଆଣିଛି ଅଦିନିଆ ଝଡ । କିଏ ନିଜର ମାଆଙ୍କୁ ହରାଇଛି ତ କିଏ ପୁଣି ନିଜ ସମ୍ପର୍କୀୟଙ୍କୁ । ଅନେକ ବେସାହାରା ହୋଇଛନ୍ତି, ଅନେକଙ୍କ ସ୍ୱପ୍ନ ଉଜୁଡିଯାଇଛି । ଆଉ ସ୍ଥିତି ସ୍ୱାଭାବିକ ହେବାକୁ ସମସ୍ତେ ଅପେକ୍ଷା କରିଛନ୍ତି ।