କୋଣାର୍କରେ ଉତ୍ସବର ମାହୋଲ । ସନ୍ଧ୍ୟାରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ କମ୍ପୁଛି ମୁକ୍ତାକାଶ ରଙ୍ଗମଞ୍ଚ ।

105

କନକ ବ୍ୟୁରୋ : ବିଶ୍ୱ ଐତିହ୍ୟ କୋଣାର୍କ ମନ୍ଦିର ଏବେ ଚଳଚଞ୍ଚଳ । ମୁକ୍ତାକାଶ ଖୋଲା ମଞ୍ଚରେ ଯୋଡ଼ି ହୋଇଛି ନୃତ୍ୟ ମହାକୁମ୍ଭ । ରଙ୍ଗବେରଙ୍ଗ ଆଲୋକମାଳାରେ ସଜେଇ ହୋଇଛି କୋଣାର୍କ । ସେପଟେ ରାଜ୍ୟ ପର୍ଯ୍ୟଟକ ବିଭାଗ ଦ୍ୱାରା ଚନ୍ଦ୍ରଭାଗା ବେଳାଭୂମିରେ ଆୟୋଜିତ ହୋଇଛି ୧୨ତମ ଅନ୍ତର୍ଜାତୀୟ ବାଲୁକା କଳା । ଯାହାକୁ ଦେଖିବାକୁ ପର୍ଯ୍ୟଟକଙ୍କ ଭିଡ ଜମୁଛି ।

ଚଳଚଞ୍ଚଳ ଐତିହାସିକ ଅର୍କକ୍ଷେତ୍ର । କୋଣାର୍କ ସୂର୍ଯ୍ୟ ମନ୍ଦିରର କାରୁକାର୍ଯ୍ୟ ଦେଖିବା ପରେ ଚନ୍ଦ୍ରଭାଗା ବେଳଭୂମୀରେ ବିତୁଛି ପର୍ଯ୍ୟଟକଙ୍କ ସମୟ । ବେଳାଭୂମୀ ତ ସବୁ ବେଳେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରେ । ହେଲେ ଏବେ ବେଳାଭୂମିରେ ଶୋଭାପାଉଛି ବାଲୁକା ଶିଳ୍ପୀଙ୍କ ସୁନ୍ଦର କାରୁକାର୍ଯ୍ୟ । ୧୨ତମ ଅନ୍ତର୍ଜାତୀୟ ବାଲୁକା କଳା ପ୍ରଦର୍ଶନୀରେ ୧୨ଟି ରାଜ୍ୟର ୧୦୦ ଜଣ ଶିଳ୍ପୀ ୩୦ଟି ଷ୍ଟଲରେ ସେମାନଙ୍କ କଳା ପ୍ରଦର୍ଶନ କରୁଛନ୍ତି ।

ଦେଖଣାହାରୀଙ୍କ ମନ ଜିଣିବାକୁ ସୁନ୍ଦର ଆଲୋକ ମାଳାରେ ସଜେଇ ହୋଇଛି ସୂର୍ଯ୍ୟ ମନ୍ଦିର । ସକାଳେ ବେଳାଭୂମିରେ ବାଲୁକା କଳା ଦେଖୁଥିବା ପର୍ଯ୍ୟଟକ ଶୀତୁଆ ସନ୍ଧ୍ୟାରେ ସାସ୍କୃତିକ କାର୍ଯ୍ୟକ୍ରମର ଭରପୁର ମଜା ଉଠାଉଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ କୋଣାର୍କ ଉତ୍ସବର ପ୍ରଥମ ସନ୍ଧ୍ୟାରେ ଓଡ଼ିଶୀ ନୃତ୍ୟା ବିଦୁଷି ମେଧାବୀ ମୁଦୁଗଲ ଓ ସାଥି ପରିବେଷଣ କରିଥିଲେ ନର୍ତନ ଗଣେଶ । ଦ୍ୱିତୀୟ ଚରଣରେ କଥକ ନୃତ୍ୟ ଶିଳ୍ପୀ ଭାସ୍ୱତ ମିଶ୍ର ଓ ସାଥି ପରିବେଷଣ କରିଥିଲେ ନଟରାଜଙ୍କ ଶିବ ପଞ୍ଚାକ୍ଷର ଦର୍ଶକଙ୍କ ମନକୁ ଛୁଇଁଥିଲା ।

କରୋନା କଟକଣା ଭିତରେ ବୁଧବାର ଠାରୁ ଆରମ୍ଭ ହୋଇଛି ବାଲୁକା କଳା । ଆହୁରି ୪ ଦିନ ପର୍ଯ୍ୟଟକ ବେଳାଭୂମିରେ ବାଲୁକା କଳା ଦେଖିବାକୁ ମିଳିବ । ସେପଟେ ସୂର୍ଯ୍ୟ ମନ୍ଦିର ପରିସରରେ ହେଉଥିବା ଶାସ୍ତ୍ରୀୟ ବାଦ୍ୟ, ନୃତ୍ୟ ଓ ସଙ୍ଗୀତର ମହାକୁମ୍ଭ କୋଣାର୍କକୁ କୋଳାହଳମୟ କରୁଛି ।