ରାଜ୍ୟପାଳଙ୍କ ଅଭିଭାଷଣରେ ସଫଳତାର ଗୋଲାପୀ ଚିତ୍ର: ପ୍ରତିବାଦରେ କକ୍ଷତ୍ୟାଗ କଲେ କଂଗ୍ରେସ ବିଧାୟକ

80

କନକ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି ଷୋଡଶ ବିଧାନସଭାର ଶେଷ ଅଧିବେଶନ । ଅଧିବେଶନର ପ୍ରଥମ ଦିନରେ ଗୃହକୁ ସମ୍ବୋଧନ କରି ସରକାରଙ୍କ ସଫଳତା ବଖାଣିଛନ୍ତି ରାଜ୍ୟପାଳ ରଘୁବର ଦାସ । ଶ୍ରୀମନ୍ଦିର ପ୍ରକଳ୍ପ ଓ ସମଲେଇ ପ୍ରକଳ୍ପକୁ ସେ ପ୍ରଂଶସା କରିଛନ୍ତି । ଅଭିଭାଷଣ ନେଇ ବିରୋଧୀ ପ୍ରତିକ୍ରିୟା ରଖି କହିଛନ୍ତି, ରାଜ୍ୟପାଳଙ୍କ ମୁହଁରେ ଅସତ୍ୟ କୁହାଇଛନ୍ତି ସରକାର । ଆଉ ବିଜେଡି ଜବାବ ଦେଇଛି, ଯାହା ବିକାଶ ହୋଇଛି ଅଭିଭାଷଣରେ ପ୍ରତିଫଳିତ ହୋଇଛି ।

ଆରମ୍ଭ ହେଲା ଷୋଡ଼ଶ ବିଧାନସଭାର ଶେଷ ଅଧିବେଶନ । ପ୍ରଥମ ଦିନରେ ରାଜ୍ୟ ସରକାରଙ୍କ ସଫଳତା ଓ ଉପଲବ୍ଧି, ବଖାଣିଛନ୍ତି ରାଜ୍ୟପାଳ ରଘୁବର ଦାସ । ରାଜ୍ୟପାଳ ଭାବେ ଏହା ତାଙ୍କର ପ୍ରଥମ ଅଭିଭାଷଣ । ପ୍ରାୟ ୨ ଘଂଟା ଧରି ବିକାଶର ଗୋଲାପୀ ଚିତ୍ର ଆଙ୍କିଛନ୍ତି ରଘୁବର ଦାସ । ୮୦୦ କୋଟି ଟଙ୍କା ବ୍ୟୟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଭୁରିଭୁରି ପ୍ରଶଂସା କରିଛନ୍ତି ରାଜ୍ୟପାଳ । ସେହିପରି ୨୦୦ କୋଟି ଟଙ୍କାର ସମଲେଇ ପ୍ରକଳ୍ପକୁ ପ୍ରଶଂସା କରିବା ସହ ଲିଙ୍ଗରାଜ ମନ୍ଦିରର ଚାରିପାଖର ଉନ୍ନତିକରଣ କାର୍ଯ୍ୟ ଚାଲିଥିବା କହିଛନ୍ତି ରାଜ୍ୟପାଳ ।

ଗୋଲାପୀ ଚିତ୍ର ଆଙ୍କିଲେ ରାଜ୍ୟପାଳ
ଗ୍ରାମାଂଚଳର ବିକାଶ ପାଇଁ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ
ଯୁବ ସଶକ୍ତୀକରଣ ପାଇଁ ‘ନୂଆ-ଓ’ କାର୍ଯ୍ୟକ୍ରମ
ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ
‘୫-ଟି ଓ ମୋ ସରକାର’ କାର୍ଯ୍ୟକ୍ରମରେ ରୂପାନ୍ତରଣ
୨୦୨୭ ଶେଷ ସୁଦ୍ଧା ମେଟ୍ରୋ ଟ୍ରେନ୍ ଚଳାଚଳ ଲକ୍ଷ୍ୟ
ମାତୃ ମୃତ୍ୟୁହାର ହ୍ରାସରେ ଦେଶରେ ଦ୍ୱିତୀୟ ସ୍ଥାନ ହାସଲ
କୃଷି ଓ କୃଷକର ଉନ୍ନତି, ଖାଦ୍ୟଶସ୍ୟ ଉତ୍ପାଦନ ବୃଦ୍ଧି
ଓଡ଼ିଶା ମିଲେଟ୍ ମିସନର ସଫଳତା
ସଂପର୍କରେ ଗୋଟି ଗୋଟି ବଖାଣିଛନ୍ତି ରାଜ୍ୟପାଳ ରଘୁବର ଦାସ ।
ସରକାରଙ୍କ ସଫଳତା ନେଇ ରାଜ୍ୟପାଳ ତାଙ୍କ ଅଭିଭାଷଣରେ ଯାହା କହିଛନ୍ତି, ତା’ର ପ୍ରତିବାଦ କରି କଂଗ୍ରେସ ବିଧାୟକ କକ୍ଷତ୍ୟାଗ କରିଥିଲେ । କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର କହିଛନ୍ତି –
ରାଜ୍ୟ ସରକାର ପ୍ରସ୍ତୁତ କରିଥିବା ଭାଷଣରେ ତଥ୍ୟ ଠିକ୍ ନାହିଁ
ସେହିପରି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି –
ରାଜ୍ୟପାଳଙ୍କ ମୁହଁରେ ଅସତ୍ୟ କୁହାଇଛନ୍ତି ସରକାର

ଅନ୍ୟପଟେ ସରକାରୀ ଦଳର ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି କହିଛନ୍ତି, ରାଜ୍ୟରେ ଯାହା ବିକାଶ ହୋଇଛି, ରାଜ୍ୟପାଳଙ୍କ ଅଭିଭାଷଣରେ ତାହା ପ୍ରତିଫଳିତ ହୋଇଛି । ପରଲୋକଗତ ପୂର୍ବତନ ରାଜ୍ୟପାଳ ଏମ୍ ଏମ୍ ରାଜେନ୍ଦ୍ରନ ଏବଂ ୬ ଜଣ ପୂର୍ବ ବିଧାୟକଙ୍କ ଉଦ୍ଦେଶ୍ୟରେ ଶୋକପ୍ରସ୍ତାବ ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ । ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଆସନ୍ତା ୮ ତାରିଖରେ କାମଚଳା ବଜେଟ ଉପସ୍ଥାପନ କରିବେ ରାଜ୍ୟ ସରକାର ।