ସପୁରୀ ଚାଷ ଦେଇଛି ନୂଆ ପରିଚୟ । ବାର୍ଷିକ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି କେନ୍ଦ୍ରାପଡ଼ାର ସପୁରୀ ଚାଷୀ ।

188

କନକ ବ୍ୟୁରୋ : ରୋଜଗାରର ମାଧ୍ୟମ ପାଲଟିଛି ସପୁରୀ ଚାଷ । ୨ ଏକର ଜମିରେ ଉନ୍ନତ କିଶମର ସପୁରୀ ଚାରା ଲଗାଇ ଭଲ ଅମଳ ପାଉଛନ୍ତି କେନ୍ଦ୍ରାପଡାର ସଫଳ ସପୁରୀ ଚାଷୀ । ଜିଲ୍ଲା ତଥା ଜିଲ୍ଲା ବାହାରେ ବିକ୍ରୟ କରି ବାର୍ଷିକ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି । ପାଖାପାଖି ୧୨ ବର୍ଷ ହେଲା ସପୁରୀ ଚାଷ କରୁଛନ୍ତି ଚାଷୀ ମହେଶ୍ୱର ବସନ୍ତିଆ ।

ହଳଦୀ ଗୁରୁଗରୁ ପାଚିଲା ସପୁରୀରେ ମହକୁଛି ଚାଷୀଙ୍କ ବଗିଚା । ଗଛ ପାଚିଲା ସପୁରୀ କିଣିବାକୁ ବିଲ ମୁଣ୍ଡାରେ ଜମୁଛି ସ୍ଥାନୀୟ ଲୋକଙ୍କ ଭିଡ଼ । କେନ୍ଦ୍ରାପଡ଼ା ମାର୍ଶାଘାଇ ବ୍ଲକ କିଶୋଟିବାଲି ଗାଁ ସଫଳ ସପୁରୀ ଚାଷୀ ମହେଶ୍ୱର ବସନ୍ତିଆ । ଚାଷ ପ୍ରତି ଥିବା ଅହେତୁକ ଭଲ ପାଇବା ତାଙ୍କୁ ଏହି ସଫଳତା ଦେଇଛି । ପଡ଼ିଆ ପଡ଼ିଥିବା ୨ ଏକର ଜମିରେ ସପୁରୀ ଚାଷ କରି ଭଲ ଲାଭ ପାଉଛନ୍ତି ମହେଶ୍ୱର । ୧୨ ବର୍ଷ ହେଲା ସପୁରୀ ଚାଷ ଆରମ୍ଭ କରିଥିବା ମହେଶ୍ୱର ଜଣେ ସଫଳ ସପୁରୀ ଚାଷୀ ଭାବେ ତାଙ୍କର ପରିଚୟ ସୃଷ୍ଟି କରିଛନ୍ତି । ଦିନକୁ ୩ରୁ ୪ କ୍ୱିଂଟାଲ ସପୁରି ତାଙ୍କ ଜମିରୁ ଅମଳ ହେଉଥିବା ବେଳେ ସେସବୁ କେନ୍ଦ୍ରପଡ଼ା ସହିତ ଜିଲ୍ଲା ବାହାରେ ବିକ୍ରି କରନ୍ତି ମହେଶ୍ୱର । ଚାଷ କାମରେ ମହେଶ୍ୱରଙ୍କୁ ସହଯୋଗ କରନ୍ତି ତାଙ୍କ ପୁଅ ତପନ ବସନ୍ତିଆ । ବାର୍ଷିକ ଲକ୍ଷାଧିକ ଟଙ୍କାର ରୋଜଗାର ଦେଉଛି ସପୁରି ଚାଷ ।

ଉଦ୍ୟାନ ବିଭାଗରୁ କୁଇନ ଜାତୀୟ ଉନ୍ନତ କିଶମର ସପୁରି ଚାରା ଆଣି ମହେଶ୍ୱର ତାଙ୍କ ବଗିଚାରେ ଚାଷ କରିଛନ୍ତି । ଏହି ସପୁରୀ ଚାରା ଲଗାଇବାର ପ୍ରାୟ ୨ ବର୍ଷ ପରେ ଫଳ ଆସିଥାଏ । ଫଳ ଆସିବାର ୪ ମାସ ପରେ ସପୁରୀ ଅମଳ ହୋଇଥାଏ । ପ୍ରତିବର୍ଷ ଫେବୃଆରି ମାସରୁ ସପୁରୀ ଧରିବା ଆରମ୍ଭ ହୋଇଥାଏ । ଗୋଟିଏ ଗୋଟିଏ ସପୁରୀର ଓଜନ ଦେଢ କିଲୋରୁ ୨ କିଲେ ଓଜନ ରହୁଥିବା ବେଳେ କିଲୋ ପ୍ରତି ୪୦ ଟଙ୍କାରେ ବିକ୍ରି କରାଯାଉଛି । କେନ୍ଦ୍ରାପଡା ସହିତ କଟକ, ଭୁବନେଶ୍ୱର, ଜଗତସିଂହପୁର ଏବଂ ଯାଜପୁର ଜିଲ୍ଲାର ବ୍ୟବସାୟୀ ମାନେ ମହେଶ୍ୱଙ୍କ ବଗିଚାକୁ ଆସି ସପୁରୀ କିଣି ନେଉଛନ୍ତି । ଜିଲ୍ଲା ତଥା ଜିଲ୍ଲା ବାହାରୁ ଅନେକ ଉତ୍ସାହୀ ଚାଷି ମହେଶ୍ୱରଙ୍କ ସପୁରୀ ବଗିଚାକୁ ଆସି ବୁଲି ଦେଖିବା ସହିତ ଚାଷ କରିବାର ପ୍ରଣାଳି ବିଷୟରେ ବୁଝି ଚାରା ନେଇ ଚାଷ ଆରମ୍ଭ କରିଛନ୍ତି ।

ମହେଶ୍ୱର ଜଣେ ସଫଳ ସପୁରୀ ଚାଷୀ ଭାବରେ ଭଲ ଦୁଇପଇସା ରୋଜଗାର କରି ଆତ୍ମନିର୍ଭରଶୀଳ ହେବା ସହିତ ସ୍ଥାନୀୟ ଅଂଚଳରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ।