କେରଳରେ ଇତିହାସ ରଚିଲା ବାମ ମେଣ୍ଟ । ୨୦ ମନ୍ତ୍ରୀଙ୍କ ସହ ଶପଥ ନେଲେ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ । ଶପଥପାଠ କରାଇଲେ ରାଜ୍ୟପାଳ

218

କନକ ବ୍ୟୁରୋ : ସମ୍ପୂର୍ଣ୍ଣ କୋଭିଡ କଟକଣା ଭିତରେ ଆଜି ଦ୍ୱିତୀୟଥର ପାଇଁ କେରଳର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ସିପିଆଇଏମ୍ ନେତା ପିନାରାଇ ବିଜୟନ । ଥିରୁଅନ୍ତପୁରମ୍ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ କେରଳର ରାଜ୍ୟପାଳ ଆରିଫ୍ ମହମ୍ମଦ ମୁଖ୍ୟମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ୨୦ ଜଣ ବିଧାୟକ ବି ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ପିନାରାଇ ବିଜୟନଙ୍କ ମନ୍ତ୍ରୀ ମଣ୍ଡଳରେ ସିପିଆଇ ଓ ସିପିଏମ ବ୍ୟତୀତ ଏନସିପିରୁ ଏ.କେ ଶଶିନ୍ଦ୍ରନ, ଇଣ୍ଡିଆନ ନ୍ୟାସନାଲ ଲିଗ୍ ରୁ ଅହମ୍ମଦ ଦେବରକୋଭିଲ, ଆର ବିନ୍ଦୁ ଓ ପିଏ ମହମ୍ମଦ ରିୟାଜ ପ୍ରମୁଖ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।

କହିରଖୁ କି କେରଳ ବିଧାନସଭା ପାଇଁ ଏପ୍ରିଲ ୬ ତାରିଖରେ ଗୋଟିଏ ପର୍ଯ୍ୟାୟରେ ମତଦାନ ହୋଇଥିଲା । ଏହାପରେ ମେ ୨ ତାରିଖରେ ଭୋଟ ଗଣିତି ହୋଇଥିଲା ଏଥିରେ ବାମ ଗଣତାନ୍ତ୍ରିକ ମେଣ୍ଟ(ଏଲଡିଏଫ୍) ବହୁମତ ହାସଲ କରିଥିଲା । ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦି ଦଳ କଂଗ୍ରେସ ନେତୃତ୍ୱାଧିନ ୟୁଡିଏଫ ଓ ବିଜେପି ନେତୃତ୍ୱାଧିନ ଏନଡିଏକୁ ହରାଇ ୯୯ ଟି ଆସନରେ ବିଜୟୀ ହୋଇଥିଲା । ନିର୍ବାଚନ ଫଳାଫଳ ମୁତାବକ ୟୁଡିଏଫ୍ ୪୧ ଟି ଆସନରେ ବିଜୟୀ ହୋଇଥିବା ବେଳେ ବିଜେପି ଗୋଟିଏ ବି ଆସନରେ ବିଜୟୀ ହୋଇପାରି ନଥିଲା ।