ରୋଚକ ମୋଡରେ ପୁରୀ ଲୋକସଭା ଲଢ଼େଇ! ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ରଙ୍କୁ ଚ୍ୟାଲେଂଜ ଦେଲେ ସାଂସଦ ପିନାକୀ ମିଶ୍ର, କହିଲେ, ଟିଭି ପରଦା ଛାଡ଼ି ଖୋଲା ମଇଦାନରେ ମୋ ସହ ବିତର୍କ କରନ୍ତୁ ସମ୍ବିତ

424

କନକ ବ୍ୟୁରୋ : ପୁରୀ ଲୋକସଭା ଆସନରେ ଏଥର ହେଭିୱେଟ ଲଢେଇ । ଆଜି ଶୋଭାଯାତ୍ରାରେ ଯାଇ ବିଜେଡି ପ୍ରାର୍ଥୀ ପିନାକୀ ମିଶ୍ର ନାମାଙ୍କନ ଦାଖଲ କରିଛନ୍ତି । ଆଉ ପିନାକୀ ବିଜେପିର ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ରଙ୍କୁ କଟାକ୍ଷ କରି ବିତର୍କର ଆହ୍ୱାନ ଦେଇଛନ୍ତି । ଜାତୀୟ ଗଣମାଧ୍ୟମରେ ବିଜେପିର ପକ୍ଷ ରଖି ଭଲ ବକ୍ତା ଭାବେ ପରିଚିତ ସମ୍ବିତ କିପରି ଏହାକୁ ଗ୍ରହଣ କରୁଛନ୍ତି ତା ଉପରେ ରହିଛି ସମସ୍ତଙ୍କ ନଜର ।

ରୋଚକ ମୋଡରେ ପହଁଚିଛି ପୁରୀ ଲୋକସଭା ଲଢ଼େଇ । ନାମାଙ୍କନ ପତ୍ର ଦାଖଲ ପରେ ସାଂସଦ ପିନାକୀ ମିଶ୍ର ସିଧା ଟାର୍ଗେଟ କରିଛନ୍ତି ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ରଙ୍କୁ । ଜାତୀୟ ଟିଭି ଚ୍ୟାନେଲରେ ବିଜେପିର ପ୍ରତିନିଧିତ୍ୱ କରୁଥିବା ସମ୍ବିତ ପାତ୍ରଙ୍କୁ କଟାକ୍ଷ କରିଛନ୍ତି ପିନାକୀ । ପ୍ରଚାର ମଇଦାନକୁ ଓହ୍ଲାଇବା ପରେ ତାଙ୍କ ସହ ଡିବେଟ୍ କରିବାକୁ ସମ୍ବିତଙ୍କୁ ଚ୍ୟାଲେଂଜ ଦେଇଛନ୍ତି ପିନାକୀ । ଏପରିକି ସମ୍ବିତ ଦେଶର ଗୋଧୀ ଚ୍ୟାନେଲ ଗୁଡିକରେ ବସି ଡିବେଟ କରୁଛନ୍ତି । କିନ୍ତୁ ମୋ ସହ ସମ୍ବିତ ଡିବେଟ କରନ୍ତୁ ତାହା ପରେ ସତ କଣ ମୁଁ କହିବି ବୋଲି କହିଛନ୍ତି ପିନାକୀ ।

ପିନାକୀ ମିଶ୍ର ବନାମ ସମ୍ବିତ ପାତ୍ର । ବିଜେଡି ପ୍ରାର୍ଥୀ ପିନାକୀ ମିଶ୍ର ସୁପ୍ରିମକୋର୍ଟରେ ଜଣେ ବରିଷ୍ଠ ଆଇନଜୀବୀ । ସେପଟେ ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର, ଜଣେ ଡାକ୍ତର ଓ ଦଳର ଚର୍ଚ୍ଚିତ ଟିଭି ଚେହେରା । ପ୍ରତ୍ୟେକ ପ୍ରସଙ୍ଗରେ ଜାତୀୟ ଗଣମାଧ୍ୟମରେ ଦଳର ଆଭିମୁଖ୍ୟ ରଖିଥାନ୍ତି ସମ୍ବିତ । ଭଲ ବକ୍ତା ଭାବେ ମଧ୍ୟ ରହିଛି ତାଙ୍କର ଖ୍ୟାତି । ପିନାକୀଙ୍କ ଚ୍ୟାଲେଂଜକୁ ସେ କିପରି ଗ୍ରହଣ କରୁଛନ୍ତି, ତା’ ଉପରେ ରହିଛି ସମସ୍ତଙ୍କ ନଜର । ଉଭୟ ପିନାକୀ ଓ ସମ୍ବିତ ନିଜ ନିଜ ଶୈଳୀରେ ଆରମ୍ଭ କରି ଦେଇଛନ୍ତି ଜୋରଦାର ପ୍ରଚାର ।

ପୁରୀ ଲୋକସଭା ଆସନ ପାଇଁ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ଆରମ୍ଭ ହୋଇଯାଇଛି ବଳ କଷାକଷି । ବିଜେପି ଜାତୀୟ ରାଜନୀତିରେ ସଂପୃକ୍ତ ଥିବା ସମ୍ବିତ ପାତ୍ର ଦଳର ପ୍ରାର୍ଥୀ ହୋଇଛନ୍ତି । ପୁଣିଥରେ ସାଂସଦ ପିନାକୀ ମିଶ୍ରଙ୍କୁ ବିଜେଡି ପ୍ରାର୍ଥୀ କରିଥିବା ବେଳେ ସାମ୍ବାଦିକକୁ ନେତା ବନିଥିବା ସତ୍ୟପ୍ରକାଶ ନାୟକଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ ।