କାହିଁକି କେନ୍ଦ୍ର ମନ୍ତ୍ରୀଙ୍କୁ ପ୍ରଶଂସା କଲେ ବିଜେଡି ସାଂସଦ : ଦଳ ଭିତରେ ଉଠିଲା ବିରୋଧର ସ୍ୱର

22

କନକ ବ୍ୟୁରୋ : କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେଡି ସାଂସଦ ପିନାକୀ ମିଶ୍ରଙ୍କ ପ୍ରଶଂସା ପରେ ଏବେ ଆରମ୍ଭ ହୋଇଛି ରାଜନୀତି । ପ୍ରଶଂସା ପରେ ଆରମ୍ଭ ହୋଇଛି ସମାଲୋଚନା । ପିନାକୀଙ୍କୁ ସମାଲୋଚନା କରିଛନ୍ତି ବିଜେଡି ନେତା । ପିନାକୀଙ୍କୁ ତାତ୍ସଲ୍ୟ କରି ଦାମ କହିଛନ୍ତି ଯେ ଯାହାକୁ ଚନ୍ଦ୍ରସ୍ୱାମୀ,ଇନ୍ଦିରାଗାନ୍ଧୀ,ସଂଜୟ ଓ ରାହୁଲ ଗାନ୍ଧୀ ଭଲ ଲାଗିଥିଲେ, ତେଣୁ ତାଙ୍କୁ ଧର୍ମେନ୍ଦ୍ର ଭଲ ଲାଗିବେ ।

ଓଡିଆ ପୁଅ ହିସାବରେ ମୁଁ ଧର୍ମେନ୍ଦ୍ରଙ୍କ ପାଇଁ ଗର୍ବିତ କିନ୍ତୁ ସେ ଓଡିଶାର ସ୍ୱାର୍ଥ ଓ ସ୍ୱାଭିମାନୀ ବିରୋଧୀ କାମ କରୁଛନ୍ତି ବୋଲି ଦାମ ରାଉତ କହିଛନ୍ତି । ସେହିପରି ଦେବାଶିଷ ସାମନ୍ତରାୟ ଓ ବିଷ୍ଣୁ ଦାସ ମଧ୍ୟ ପିନାକୀଙ୍କୁ ସମାଲୋଚନା କରିଛନ୍ତି । ବିଜେଡି ଓ ବିଜେପୁରକୁ ନେଇ ବିଜେଡି ବିଜେପି ମଧ୍ୟରେ ବଳ କଷାକଷି ସମୟରେ ଧର୍ମେନ୍ଦ୍ରଙ୍କୁ ପ୍ରଶଂସା ଠିକ ନୁହେଁ ବୋଲି ବିଷ୍ଣୁଦାସ କହିଛନ୍ତି । ସେହିପରି ଧର୍ମେନ୍ଦ୍ରଙ୍କୁ ପ୍ରଶଂସା କରି ପିନାକୀ ଦଳ ବିରୋଧୀ କାମ କରିଛନ୍ତି ବୋଲି ଦେବାଶିଷ କହିଛନ୍ତି । ସେପଟେ ବିଜେପି ମୁଖପାତ୍ର ସଜ୍ୱନ ଶର୍ମା କହିଛନ୍ତି ଯେ ନବୀନ ପଟ୍ଟନାୟକଙ୍କ ଇଂଗିତରେ ଦେବାଶିଷ ଏପରି କହିଛନ୍ତି ଯାହାକୁ ଓଡିଶାବାସୀ ଗ୍ରହଣ କରୁନାହାନ୍ତି ।

 ଗତକାଲି ପିନାକୀ ମିଶ୍ର କହିଥିଲେ ଯେ, ଗଲା ୪୦ ବର୍ଷ ଭିତରେ ଦେଶ ଏଭଳି ଜଣେ ଭାଗ୍ୟବାନ ପେଟ୍ରୋଲିୟମ ମନ୍ତ୍ରୀ ପାଇଛି । ଧର୍ମେନ୍ଦ୍ର ଜଣେ ଦକ୍ଷ ଓ କଠିନ ପରିଶ୍ରମୀ ବ୍ୟକ୍ତି । ସେଥିପାଇଁ ପ୍ରଧାନମନ୍ତ୍ରୀ ତାଙ୍କ ଉପରେ ଆସ୍ଥା ପ୍ରକଟ କରି ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟର ଦାୟିତ୍ୱ ଦେଇଛନ୍ତି । ସାଂସଦ ଆହୁରି କହିଥିଲେ ଯେ, ଏଥିପାଇଁ ଧର୍ମେନ୍ଦ୍ରଙ୍କୁ ଅନେକ ଚ୍ୟାଲେଞ୍ଜର ସମୁଖୀନ ହେବାକୁ ପଡିବ । ତେଣୁ ଚ୍ୟାଲେଞ୍ଜକୁ ସଫଳତାର ସହ ସମୁଖୀନ ହେବା ସହ କାର୍ଯ୍ୟରେ ସଫଳ ହୁଅନ୍ତୁ ବୋଲି ଶୁଭେଛା ଜଣାଇଥିଲେ ପିନାକୀ ।