କନକ ବ୍ୟୁରୋ: ଟିକେ ଭାବନ୍ତୁ ତ ଆପଣ ବିମାନରେ ଯାତ୍ରା କରୁଥିବେ ହେଲେ ବିମାନରେ କୌଣସି ପାଇଲଟ୍ ନଥିବେ । ଆପଣ ଓ ଆପଣଙ୍କ ଭଳି ଶହେ ଦୁଇ ଶହ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଗୋଟିଏ ସ୍ଥାନରୁ ଆଉ ଏକ ସ୍ଥାନରେ ସୁରକ୍ଷିତ ଭାବେ ପହଞ୍ଚାଇବ ରିମୋଟ୍ ମେସିନ୍ । କଥାଟା ଅଡୁଆ ଲାଗୁଛି ନା ହେଲେ ଏହା ଆଗକୁ ସତ ହେବାକୁ ଯାଉଛି । ସେଦିନ ଆଉ ବେଶି ଦୂର ନୁହେଁ ଯେବେ ଆପଣ ରୋବୋ ପ୍ଲେନରେ ବିମାନ ଯାତ୍ରାର ମଜା ନେବେ ।

Advertisment

ସେଲ୍ଫ ଡ୍ରାଇଭ୍ କାର୍ ଓ ମେଟ୍ରୋ ପରେ ଏବେ ଆସିବାକୁ ଯାଉଛି ଅଟୋ ଫ୍ଲାଇଙ୍ଗ ପ୍ଲେନ୍ । ଆକାଶରେ ଉଡିବ ପାଇଲଟ୍ ବିହୀନ ବିମାନ । ଆମେରିକାର ଆଭିଏସନ୍ କମ୍ପାନୀମାନେ ଏନେଇ ପରୀକ୍ଷା ନୀରିକ୍ଷା ଚଳାଇଛନ୍ତି । ପାସେଞ୍ଜର ପ୍ଲେନକୁ ଅଟୋନୋମସ୍ କରିବାକୁ କମ୍ପାନୀ ଗୁଡିକ ଜୋରସୋରରେ ନିଜ କାମକୁ ଆଗେଇ ନେଉଥିବା ଜଣାପଡିଛି ।

ଆଜିକା ସମୟରେ ଯେତେବେଳେ ଏୟାର ଟ୍ରାଫିକ୍ ଓ ଏୟାର କାର୍ଗୋ ସେବାର ଆବଶ୍ୟକତା ବଢିବାରେ ଲାଗିଛି ଏଥିପାଇଁ ଆବଶ୍ୟକ ମାନବ ସମ୍ବଳ ସମସ୍ୟାକୁ ଦୂରେଇବାକୁ ଅଟୋନୋମସ୍ ପାଇଲଟ୍ ଯୁଗରେ ପାଦ ଦେବାର ସମୟ ଆସିଯାଇଛି । ଏହାର ଅର୍ଥ କେବଳ କାର୍ଗୋ ବିମାନକୁ ପାଇଲଟ୍ ବିହୀନ କରାଯିବ ତା ନୁହେଁ ବରଂ ଆକାଶରେ ଉଡିବ ପାଇଲଟ୍ ବିହୀନ ବା ଅଟୋମେଟିକ୍ ଯାତ୍ରୀବାହୀ ବିମାନ । ଏଥିପାଇଁ ଆମେରିକାରେ ଚାଲିଛି ଜୋରଦାର ପରୀକ୍ଷଣ ।

ପାଇଲଟ୍ ବିହୀନ ରୋବୋ ପ୍ଲେନର ସ୍ୱପ୍ନକୁ ସତ କରିବାରେ ଦେଶର ଏକାଧିକ ନାମୀ କମ୍ପାନୀ ନିୟୋଜିତ ଅଛନ୍ତି । ଏକ୍ସ ୱିଙ୍ଗ, ରିଲାଏବଲ ରୋବୋଟିକ୍ସ, ଫେଡ୍ ଏକ୍ସ, ୟୁପିଏସ୍, ଡିଏଚଏଲ, ଫ୍ରେଞ୍ଚ ଆଭିଏସନ୍ କମ୍ପାନୀ ଓ ଅମାଜନ୍ ପରି କମ୍ପାନୀ ଗୁଡିକ ଏହି ଗବେଷଣାରେ ସାମିଲ ଅଛନ୍ତି । ଆମେରିକାର କାଲିଫର୍ଣ୍ଣିଆରେ ଏହାର ଗବେଷଣା ଜାରି ରହିଛି । ଏଠାରେ ଏ ସମସ୍ତ କମ୍ପାନୀ ବିଭିନ୍ନ ସମୟର ନିଜ ନିଜର ଜ୍ଞାନ କୌଶଳକୁ ପ୍ରଦର୍ଶନ କରୁଛନ୍ତି । ଏମାନଙ୍କ ମଧ୍ୟରୁ ରେଲାଏବଲ ରୋବୋଟିକ୍ସ କମ୍ପାନୀ ଅଟୋନୋମସ୍ ସିଷ୍ଟମକୁ ଡେଭଲପ କରିବାରୁ ଅଧିକ ସଫଳ ହୋଇଛି । ଆସନ୍ତା ବର୍ଷ କମ୍ପାନୀକୁ ଫେଡେରାଲ ଆଭିଏସନ୍ ଆଡମିନିଷ୍ଟ୍ରେସନ୍ (ଏଫଏଏ) ସାର୍ଟିଫିକେଟ୍ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି । ଏହି ସଫଳତା ସହ ରେଲାଏବଲ ରୋବୋଟିକ୍ସକୁ ଆମେରିକା ସେନା ବିଭାଗ ପକ୍ଷରୁ ପାଇଲଟ୍ ବିହୀନ ବିମାନ ଗଢିବାକୁ ଅନୁମତି ମିଳିଥିବା ଜଣାପଡିଛି ।

୨୦୧୪ରେ ଇଣ୍ଡୋନେସିଆରୁ ଆସୁଥିବା ବିମାନ ଯେପରି ସମୁଦ୍ର ମଝିରେ ଦୁର୍ଘଟଣାର ଶିକାର ହୋଇଥିଲା । ଯେପରି ତା’ର ପୁନରାବୃତ୍ତି ନଘଟେ ତାକୁ ଗୁରୁତ୍ୱ ଦେଇଛନ୍ତି ଗବେଷଣାରେ ସାମିଲ ସମସ୍ତ ଆଭିଏସନ୍ କମ୍ପାନୀ । ଯଦି ବିମାନରେ କିଛି ଯାନ୍ତ୍ରୀକ ତ୍ରୁଟି ଘଟେ ତେବେ କିପରି ଜଳପଥରେ ମଧ୍ୟ ବିମାନ ଅବତରଣ କରିପାରିବ ସେନେଇ ରୋବୋ ପ୍ଲେନରେ ବ୍ୟବସ୍ଥା ରଖିବାକୁ ଗୁରୁତ୍ୱ ଦିଆଯାଉଛି ।

ବିମାନ ଉଡାଣ କ୍ଷେତ୍ରରେ କିଛି ସମୟରେ ଦୀର୍ଘ ଉଡାଣ ନେଇ ପାଇଲଟ୍ ଥକିଯିବା ବା କାହାରି ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ଛୁଟିରେ ରହିବା ପରି ସମସ୍ୟା ଦେଖାଯାଏ । ହେଲେ ଆଗକୁ ପାଇଲଟ୍ ବିହୀନ ବିମାନ ଉଡିଲେ ଏ ସମସ୍ୟା ଗୁଡିକୁ ସହଜରେ ଦୂରାଯାଇପାରିବ ବୋଲି ମତ ପ୍ରକାଶ ପାଇଛି ।