ୟୁପି ପିଲଭିଟ୍ ବ୍ୟାଘ୍ର ଅଭୟାରଣ୍ୟରେ ଅଭାବନୀୟ ଘଟଣା: ଜଙ୍ଗଲରେ ପଶି ମହାବଳ ବାଘକୁ ପିଟିପିଟି ମାରିଦେଲେ ଲୋକେ

284

କନକ ବ୍ୟୁରୋ: ଗାଁରେ ପଶି ଲୋକଙ୍କୁ ଆକ୍ରମଣ କଲା ବାଘ । ବାଘକୁ ଖୋଜି ଜଙ୍ଗଲରେ ପିଟିପିଟି ମାରିଦେଲେ ଗାଁ ଲୋକେ । ଏପରି ଏକ ଅଭାବନୀୟ ଘଟଣା ଘଟିଛି ଉତରପ୍ରଦେଶ ପିଲଭିଟ୍ ସଂରକ୍ଷିତ ଜଙ୍ଗଲ ନିକଟ ଅଂଚଳରେ । ମଣିଷ ମାରିବାକୁ ଗାଁରେ ପଶିଥିବା ବାଘକୁ ଗାଁ ନିକଟ ଜଙ୍ଗଲରେ ଖୋଜିବା ପରେ ଶେଷରେ ଠାବ କରିବା ପରେ ତାକୁ ଘେରି ଯାଇଥିଲେ ଲୋକେ । ସମସ୍ତଙ୍କ ହାତରେ ଥିଲା ଲାଠି । ଆଖିବୁଜା ପିଟି ଚାଲିିଲେ ବାଘକୁ । ତେବେ ଲୋକଙ୍କ ସଂଘବଦ୍ଧ ଆକ୍ରମଣରୁ ନିଜକୁ ବଂଚାଇ ଖସିପାରିନଥିଲା ବାଘଟି । କାରଣ ଚାରିପଟୁ ଘେରିଥିଲେ ଗାଁ ଲୋକେ । ଶେଷରେ ଗାଁ ଲୋକଙ୍କ ମାଡରେ ଘାଇଲା ହୋଇ ଆଖି ବୁଜିଥିଲା ବାଘଟି ।

ଖବରପାଇ ବନବିଭାଗ ପ୍ରାୟ ୩ ଘଂଟା ପରେ ପହଁଚି ବାଘର ଶବକୁ ଉଦ୍ଧାର କରିଥିଲା । ଶବ ବ୍ୟବଚ୍ଛେଦରୁ ଜଣାପଡିଛି ବାଘର ପଂଜରା ହାଡ ଭାଙ୍ଗି ହୃତପିଣ୍ଡ ଭିତରେ ପଶି ଯାଇଛି । ଗୋଡର ହାଡ ଭାଙ୍ଗି ଚୁରମାର ହୋଇଯାଇଛି । ଫୁସଫୁସରେ ଲାଗିଛି ଗଭୀର ଆଘାତ । ବାଘ ଦେହର ଅନେକ ସ୍ଥାନରେ ରହିଛି ଗଭୀର ଆଘାତ ଚିହ୍ନ । ଏହି ମାମଲାରେ ୧୯୬୦ ଜଙ୍ଗଲ ଜୀବଜନ୍ତୁ ନିର୍ଯାତନା ନିରୋଧ ଆଇନ ଅନୁସାରେ,୩୧ ଗ୍ରାମବାସୀ ଓ ୧୨ ଜଣ ଅଜ୍ଞାତ ଲୋକଙ୍କ ବିରୋଧରେ ମାମଲା ରୁଜୁ କରିଛି ବନବିଭାଗ ।

ପିଲଭିଟ୍ ବ୍ୟାଘ୍ର ଅଭୟାରଣ୍ୟର ନିର୍ଦେଶକଙ୍କ ସୂଚନା ଅନୁସାରେ ମୃତ ବାଘର ବୟସ ପ୍ରାୟ ୫ ବର୍ଷ ହେବ । ଉତ୍ତରପ୍ରଦେଶର ପିଲଭିଟ୍ ନିକଟ ଦେଉରିଆ ଗାଁରେ ଏହି ଘଟଣା ଘଟିଛି । ମାଟିଆନା ଗାଁରେ ଜଣକୁ ବାଘଟି ଆକ୍ରମଣ କରିବା ପରେ ଲୋକେ ତାତି ଉଠିଥିଲେ । ଏହା ପରେ ବାଘକୁ ଖୋଜିବା ଆରମ୍ଭ କରିଥିଲେ । ଶେଷରେ ଦେଉରିଆ ଗାଁ ନିକଟରେ ବାଘକୁ ଦେଖିବା ପରେ ଗୋଡେଇ ଗୋଡେଇ ପିଟିପିଟି ମାରି ଦେଇଥିଲେ ।