ଦିଲ୍ଲୀ ପରେ ଓଡିଶାରେ ବାଣ ଫୁଟାଇବା ବନ୍ଦ କରିବାକୁ ହାଇକୋର୍ଟରେ ଦାଖଲ ହେଲା ଜନସ୍ୱାର୍ଥ ମାମଲା

103

କନକ ବ୍ୟୁରୋ : ଦିଲ୍ଲୀ ପରେ ମୁମ୍ବାଇ ଆଉ ଏବେ ଓଡ଼ିଶା । ଦୀପାବଳିରେ ବାଣ ଉପରେ କଟକଣା ନେଇ ସୃଷ୍ଟି ହୋଇଛି ଆଶଙ୍କା । ସୁପ୍ରିମକୋର୍ଟ ପ୍ରଦୁଷଣ କାରଣରୁ ଦିଲ୍ଲୀ ଓ ଏନସିଆରରେ ବ୍ୟାନ୍ ଲଗାଇଥିବା ବେଳେ ମୁମ୍ବାଇ ହାଇକୋର୍ଟ, ମହାରାଷ୍ଟ୍ରରେ ବାଣବିକ୍ରି ଉପରେ କଟକଣା ଲଗାଇଛନ୍ତି । ଆଉ ଆଜି ଓଡ଼ିଶା ହାଇକୋର୍ଟରେ ବାଣ ବନ୍ଦ ପାଇଁ ଦାଖଲ ହୋଇଛି ଜନସ୍ୱାର୍ଥ ମାମଲା ।

ଆଲୋକର ପର୍ବ ଦୀପାବଳିକୁ ସୃଷ୍ଟି ହୋଇଛି ଏଭଳି କିଛି ଆଶଙ୍କା, କାହିଁକି ନା’ ଓଡ଼ିଶାରେ ବାଣ ଉପରେ କଟକଣା ଲଗାଇବା ନେଇ ହାଇକୋର୍ଟରେ ଦାଖଲ ହୋଇଛି ଜନସ୍ୱାର୍ଥ ମାମଲା । ପରିବେଶ ପ୍ରଦୁଷଣର କାରଣ ଦର୍ଶାଇ ହାଇକୋର୍ଟରେ ମାମଲା ଦାୟର କରିଛନ୍ତି ସମାଜସେବୀ ସୁରେନ୍ଦ୍ର ପାଣିଗ୍ରାହୀ । ଯେଉଁଥିରେ ମୁଖ୍ୟ ଶାସନ ସଚିବ,ଆଇନ ସଚିବ, ଗୃହ ସଚିବ ଏବଂ ପୁଲିସ ଡିଜିଙ୍କୁ ପକ୍ଷଭୁକ୍ତ କରାଯାଇଛି । ପ୍ରଦୁଷଣ ମୁକ୍ତ ଦୀପାବଳି ଲକ୍ଷ୍ୟରେ ସୋମବାର ଦିଲ୍ଲୀ ଏବଂ ଏନ୍ସିଆରରେ ବାଣ ଉପରେ କଟକଣା ଲଗାଇଛନ୍ତି ସୁପ୍ରିମକୋର୍ଟ । ଆଉ ଏହାର ଠିକ୍ ଗୋଟିଏ ଦିନ ପରେ ମୁମ୍ବାଇ ହାଇକୋର୍ଟ ଶୁଣାଇଛନ୍ତି ଏକ ଅନୁରୁପ ରାୟ । ସାରା ମହାରାଷ୍ଟ୍ରର ଜନବସତି ଅଂଚଳରେ ବାଣ ବିକ୍ରି ଉପରେ ରୋକ୍ ଲାଗାଇଛନ୍ତି । ଏମିତିକି ପୂର୍ବରୁ ବାଣବିକ୍ରି ପାଇଁ ଦିଆଯାଇଥିବା ଲାଇସେନ୍ସକୁ ରଦ୍ଧ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏପଟେ ଓଡ଼ିଶାରେ, ହାଇକୋର୍ଟ ସମାନଧରଣର ନିଷ୍ପତ୍ତି ନିଅନ୍ତୁ ବୋଲି ଦାଖଲ ହୋଇଛି ଜନସ୍ୱାର୍ଥ ମାମଲା ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ସାରା ଦେଶରେ ବାଣ ଉପରେ ଲାଗିଥିବା କଟକଣାକୁ ନେଇ ବିଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଉଛି । ବିଶିଷ୍ଟ କଥାକାର ଚେତନ ଭଗତ ଏହାକୁ ଖୋଲାଖୋଲି ବିରୋଧ କରିବା ସହ ଏହି ନିଷ୍ପତ୍ତିି ବିରୁଦ୍ଧରେ ଛିଡା ହେବା ପାଇଁ ଆହ୍ୱାନ ଦେଇଛନ୍ତି ।
ଏବେ ପ୍ରଶ୍ନ ଉଠୁଛି-
– ପ୍ରଦୁଷଣ ପାଇଁ ଦୀପାବଳିକୁ ଦାୟୀ କରାଯାଇ ପାରିବ କି ?
– ସଂସ୍କୃତି ଓ ପରମ୍ପରାକୁ କଟକଣା ଦ୍ୱାରା ବାନ୍ଧି ହେବ କି ?
– ନ୍ୟାୟିକ କଟକଣା ବଦଳରେ ଆଉ କୌଣସି ବାଟ ନାହିଁ କି ?