କନକ ବ୍ୟୁରୋ : ଇଂଲଣ୍ଡର ପୂର୍ବତନ କ୍ରିକେଟର କେଭିନ ପିଟରସନ ପ୍ରଧାନମନ୍ତ୍ରୀ ମୋଦୀ ଓ ଭାରତକୁ ପ୍ରଂଶସା କରିବା ସହ ଧନ୍ୟବାଦ ଜଣାଇଛନ୍ତି । ଓମିକ୍ରନ ଭାରିଆଣ୍ଟ ଚିହ୍ନଟ ପରେ ପୂରା ବିଶ୍ୱ ଚିନ୍ତାରେ ପଡିଥିବା ବେଳେ ଅନେକ ଦେଶ ଆଫ୍ରିକୀୟ ଦେଶ ସହ ଯାତାୟତ ଉପରେ କଟକଣା ଲଗାଇଛନ୍ତି । କିନ୍ତୁ ଏଭଳି ସ୍ଥିତିରେ ଆଫ୍ରିକୀୟ ଦେଶ ଗୁଡିକୁ ସହଯୋଗର ହାତ ବଢାଇଛି ଭାରତ । କରୋନାର ନୂଆ ଭାରିଆଣ୍ଟ ଚିହ୍ନଟ ହୋଇଥିବା ଆଫିକ୍ରୀୟ ଦେଶ ଗୁଡିକୁ ଆବଶ୍ୟକୀୟ ଟୀକା, ଔଷଧ, ପରୀକ୍ଷଣ କିଟ୍, ପିପିଇ କିଟ୍, ଚିକିତ୍ସା ଉପକରଣ ଯୋଗାଇ ଦେବାକୁ ଘୋଷଣା କରିଛି ।

Advertisment

ଆଉ ଏଭଳି ଘୋଷଣା ପରେ ଇଂଲଣ୍ଡର ପୂର୍ବତନ କ୍ରିକେଟର କେଭିନ ପିଟରସନ ଭାରତକୁ ପ୍ରଂଶସା କରିଛନ୍ତି । ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଦେବା ସହ ଭାରତର ଯତ୍ନବାନ ପ୍ରକୃତିକୁ ବେଶ ପ୍ରଂଶସା କରିଛନ୍ତି । ପିଟରସନ ଟ୍ୱିଟ୍ କରି ଲେଖିଛନ୍ତି, ଭାରତ ପୁଣିଥରେ ନିଜର ଯତ୍ନବାନ ପ୍ରକୃତି ପୂରା ବିଶ୍ୱକୁ ଦେଖାଇଛି । ଭାଇଚାରା ଭିତ୍ତିରେ ସବୁଠୁ ଶ୍ରେଷ୍ଠ ଦେଶ ହେଉଛି ଭାରତ । ଏଥିପାଇଁ ଧନ୍ୟବାଦ । ଏହାସହ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟ୍ୟାଗ୍ କରି ନମସ୍କାର ଇମୋଜି ଛାଡିଛନ୍ତି ପିଟରସନ ।

ଏହାପୂର୍ବରୁ କରୋନାର ନୂଆ ଭାରିଆଣ୍ଟରେ ପ୍ରଭାବିତ ହୋଇଥିବା ଦେଶକୁ ସହାୟତାର ହାତ ବଢାଇବାକୁ ଘୋଷଣା କରିଥିଲା ଭାରତ । ଏଭଳି ସଙ୍କଟ ସମୟରେ ଆଫ୍ରିକୀୟ ଦେଶ ସହ ଛିଡା ଭାରତ ଛିଡା ହୋଇ ରହିବ ବୋଲି ବୈଦଶିକ ମନ୍ତ୍ରାଳୟ ଘୋଷଣା କରିଥିଲା । ଭାରତରେ ନିର୍ମିତ ଟୀକା ଏହି ପ୍ରଭାବିତ ଦେଶ ଗୁଡିକୁ ଯୋଗାଇବାକୁ ଭାରତ ପ୍ରସ୍ତୁତ ବୋଲି ବୟାନ ଜାରି କରାଯାଇଥିଲା ।