ଦରବୃଦ୍ଧି ବେଳେ ସାମ୍ନାକୁ ଆସିଲା ପିଆଜ ଚୋରିର ଚିତ୍ର : ପୁଣେରେ ଅଢେଇ ଲକ୍ଷ ଟଙ୍କାର ପିଆଜ ଚୋରି କରି ୪ ଗିରଫ; ତାଲା ଭାଙ୍ଗି ଚାଷୀଙ୍କ ଠାରୁ ଲୁଟିଥିଲେ ୫୮ ବସ୍ତା ପିଆଜ

215

କନକ ବ୍ୟୁରୋ : ଚାରିଆଡେ ଏବେ ଗ୍ରାହକଙ୍କ ମୁଣ୍ଡରେ ପଡିଛି ଚଡକ । ବଜାରରେ କିଲୋପ୍ରତି ଏବେ ଦର ୮୦ ଉପରେ ପଂହଚିଛି । ଗ୍ରାହକଙ୍କ ମେନ୍ୟୁରୁ ହଜିଯାଇଛି ପିଆଜ । ଏଭଳି ସ୍ଥିତିରେ ମହାରାଷ୍ଟ୍ରରୁ ଆସିଛି ପିଆଜି ଚୋରିର ଖବର । ପୁନେର ଗ୍ରାମାଂଚଳ ପୁଲିସ ପିଆଜ ଚୋରି ଅଭିଯୋଗରେ ୪ ଜଣଙ୍କୁ ଗିରଫ କରିଛି ।

ଏମାନେ ବ୍ୟାରାକରୁ ୫୮ ବସ୍ତା ପିଆଜ ଚୋରି କରି ନେଇଯାଇଛନ୍ତି । ଏହାର ମୂଲ୍ୟ ପ୍ରାୟ ୨ ଲକ୍ଷ ୩୫ ହଜାର ହେବ । ଅକ୍ଟୋବର ୨୧ରେ ଏଭଳି ଘଟଣା ଘଟିଥିବାବେଳେ ଏବେ ଏହା ସାମ୍ନାକୁ ଆସିଛି । ପିଆଜ ରଖାଯାଇଥିବା ବ୍ୟାରାକର ତାଲା ଭାଙ୍ଗି ଏହି ଚୋରି କରିଥିଲେ ପିଆଜ ଚୋର । ସଂପୃକ୍ତ ଲୋକଙ୍କଠାରୁ ୪୯ ବସ୍ତା ପିଆଜ ଜବତ କରାଯାଇଛି ।

ମହାରାଷ୍ଟ୍ରର ପୁନେ ଓ ନାସିକ ଅଂଚଳ ମୁଖ୍ୟତଃ ପିଆଜ ଚାଷ ପାଇଁ ପ୍ରସିଦ୍ଧ । ଏହି ଅଂଚଳର ହଜାର ହଜାର ଏକ୍ଟର ଜମିରେ ପିଆଜ ଚାଷ ହୋଇଥାଏ । ଚାଷୀଙ୍କ ମୁଖ୍ୟ ଚାଷ ହେଉଛି ପିଆଜ । ଏଭଳି ସ୍ଥିତିରେ ଏଭଳି ପିଆଜ ଚୋରି ବେଶ ଚର୍ଚ୍ଚାର ବିଷୟ ହୋଇଛି ।