ନୀଳ ରଙ୍ଗର କୁକୁରଙ୍କୁ ନେଇ ଚର୍ଚ୍ଚା । ଘଟଣା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

197

କନକ ବ୍ୟୁରୋ : ନୀଳ ରଙ୍ଗର କୁକୁର । ଏକଥା ଶୁଣି ଆପଣଙ୍କୁ ଟିକେ ଅଜବ ଲାଗିପାରେ । କାରଣ ଆମେ ନୀଳ ବର୍ଣ୍ଣ ଶୃଗାଳ କଥା ଶୁଣିଛେ । କେମିତି ସେ ନୀଳ କୁଣ୍ଡରେ ପଡି ନୀଳବର୍ଣ୍ଣ ହେଇଯାଇଥିଲା । ହେଲେ ନୀଳ ରଙ୍ଗର କୁକୁର କଥା ଆମେ କେବେ ବି ଶୁଣିନେ କି ଦେଖିନେ । କାରଣ ଆମ ଦେଶରେ କୁକୁରଙ୍କ ରଙ୍ଗ ଭିନ୍ନ ଭିନ୍ନ ହୋଇଥାଏ । କଳା, ଧଳା, କସରିଆ କିମ୍ବା କଳାଧଳା ମିଶା ଏମିତି ରଙ୍ଗ । ହେଲେ ଆପଣ ନୀଳ ରଙ୍ଗର କୁକୁର କଥା କେବେ ଶୁଣିଛନ୍ତି । ଆପଣଙ୍କୁ ବି ଚମକେଇ ଦେଲା ନା ଏହି କଥା । ଆଜ୍ଞା ଖବରଟା ହିଁ ସେମିତି । ଏମିତି ରଙ୍ଗର କୁକୁର ଋଷରେ ଦେଖିବାକୁ ମିଳିଛି । ତେବେ ଚାଲନ୍ତୁ ଜାଣିବା ଘଟଣା କ’ଣ ।

ଋଷିଆର ଏହି ଖବରକୁ ନେଇ ଏବେ ଚର୍ଚ୍ଚା । କାରଣ ଏଠାରେ ଥିବା କୁକୁରଙ୍କ ରଙ୍ଗ ଧୀରେ ଧୀରେ ନୀଳ ହୋଇଯାଉଛି । ହେଲେ ଏଠାକାର କୁକୁରଙ୍କ ରଙ୍ଗ ଏମିତି ନୀଳ ନୁହେଁ, କିନ୍ତୁ ରସାୟନିକ ପଦାର୍ଥର ପ୍ରଭାବ ଯୋଗୁଁ ଏମିତି ହୋଇଯାଉଛି । ମସ୍କୋ ଠାରୁ ୩୭୦ କିଲୋମିଟର ପୂର୍ବରେ ଥିବା ଜିରଜିସ୍କ ସହରରେ ଏମିତି ଦେଖିବାକୁ ମିଳିଛି । ଏଠାରେ ଥିବା କୁକୁର ଗୁଡିକ ନୀଳ ଓ ସବୁଜ ରଙ୍ଗର ଦେଖାଯାଉଛନ୍ତି । ସେଠାକାର ମିଡିଆ ଏହି ଖବରର ଖୁଲାସା କରିଛି । ସେଠାରେ ଥିବା ଏକ ଖାଲି ରସାୟନିକ ପ୍ଲାଂଟ ଯୋଗୁ କୁକରଙ୍କ ଏମିତି ଅବସ୍ଥା । ଏହା ସେମାନଙ୍କ ଜୀବନ ପ୍ରତି ବିପଦ ମଧ୍ୟ ସୃଷ୍ଟି କରୁଛି ବୋଲି କହିଛନ୍ତି ପଶୁପ୍ରେମୀ । କାରଣ ଏହି କେମିକାଲ ଗୁଡିକ କୁକୁରଙ୍କ ଶରୀରରେ ଲାଗିବା ଦ୍ୱାରା ସେମାନେ ରୋଗାଗ୍ରସ୍ତ ହେଇଯାଉଛନ୍ତି ।

ସେମାନଙ୍କ ଶରୀରରେ ଅସହ୍ୟ ଜ୍ୱଳନ ହେବା ସହ, ଦେହ କୁଣ୍ଡାଇ ହେଉଛି ଏମିତିକି ସେମାନଙ୍କ ଦେହରୁ ରକ୍ତସ୍ରାବ ହେଉଛି, ଯାହା ଫଳରେ ସେମାନଙ୍କର ମୃତ୍ୟୁ ହେଉଛି । ଜଣେ ପଶୁପ୍ରେମୀ କହିଛନ୍ତି କି ଏହା ଏକ ସ୍ୱତନ୍ତ୍ର ପ୍ରକାରର ରଙ୍ଗ । ଆଉ ଏହାର ସିଧା ସଂସ୍ପର୍ଶରେ ଏହି କୁକୁର ମାନେ ଆସିବା ଦ୍ୱାରା ଏମିତି ଏମାନଙ୍କ ରଙ୍ଗ ବଦଳିଯାଉଛି । ୨୦୧୫ ମସିହାରେ ଏହି କେମିକାଲ ପ୍ଲାଂଟଟି ଦେବାଳିଆ ହେଇଗଲା, ତେଣୁ ପରବର୍ତ୍ତୀ ସମୟରେ ଏହାକୁ ବନ୍ଦ କରିଦିଆଗଲା, ଫଳରେ ଏହା କୁକୁରଙ୍କ ବାସସ୍ଥଳୀ ପାଲଟିଗଲା, କିନ୍ତୁ ଏଠାରେ ଥିବା କେମିକାଲ ଏବେ ଏମାନଙ୍କ ପାଇଁ ମୃତ୍ୟୁଦୂତ ସାଜିଛି । ଏମିତି ରୋଗାଗ୍ରସ୍ତ ହୋଇ କୁକୁର ଗୁଡିକ ପ୍ରାଣ ହରାଇଛନ୍ତି । ତେବେ ଏହି କମ୍ପାନୀଟି ପ୍ଲାଂଟ ଚାରିପଟେ ପାଚେରୀ କରିଦେବାରୁ ଏବେ ଆଉ କୁକୁର ଗୁଡିକ ଯାଉନାହାନ୍ତି, ହେଲେ ଯେହେତୁ ଏ ସ୍ଥାନଟିରେ ବରଫ ରହିଛି ତେଣୁ ଏହି ବୁଲା କୁକୁର ଗୁଡିକ ବରଫରେ ଖେଳିବା ବେଳେ ସେମାନଙ୍କ ରଙ୍ଗ ନୀଳ ହେଇଯାଉଛି । ଆଉ କିଛି ଦିନ ପରେ ଏମାନେ ରୋଗରେ ଆକ୍ରାନ୍ତ ହେଉଛନ୍ତି । ତେବେ ଏମିତି ଘଟଣା ଭାରତରେ ମଧ୍ୟ ୨୦୧୭ରେ ଦେଖିବାକୁ ମିଳିଥିଲା । ମୁମ୍ବାଇର ଏକ ନଦୀରେ କିଛି କୁକୁର ପାଣିରେ ବୁଡି ଯେତେବେଳେ ବାହାରିଲେ, ସେତେବେଳେ ସେମାନେ ନୀଳ ରଙ୍ଗର ହେଇଯାଇଥିଲେ । ସ୍ଥାନୀୟ ଏକ ଫ୍ୟାକ୍ଟ୍ରିରୁ ନିର୍ଗତ କେମିକାଲର ପ୍ରଭାବରୁ ଏମିତି ହୋଇଥିଲା ।