କୋରାପୁଟ କୋଟପାଡ଼ ମୁର୍ତାହାଣ୍ଡିରେ ଓଲଟିଲା ପିକଅପ ଭ୍ୟାନ : ୯ ମୃତ, ୧୩ ଆହତ, ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା

ଆହତଙ୍କୁ ଜଗଦଲପୁର ମେଡିକାଲ କଲେଜକୁ ସ୍ଥାନାନ୍ତର; ସିନ୍ଧିଗୁଡ଼ାରୁ ଦଶାହ କାର୍ଯ୍ୟ ସାରି ଛତିଶଗଡ଼ ଫେରୁଥିବା ବେଳେ ଅଘଟଣ

83

କନକ ବ୍ୟୁରୋ : ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ନେଇ ଗଲା ଜୀବନ । କୋରାପୁଟ ଜିଲ୍ଲା କୋଟପାଡ଼ ମୁର୍ତାହାଣ୍ଡିରେ ପିକଅପ୍ ଭ୍ୟାନ୍ ଓଲଟି ୯ ଜଣଙ୍କ ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ୧୩ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ପ୍ରଥମେ କୋଟପାଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଜଗଦଲପୁରର ଡୁମୁରିପାଲି ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି । ତେବେ ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା କରାଯାଇଛି । ଖବର ପାଇ ଅଗ୍ନିଶମବାହିନୀ ଓ ପୁଲିସ ପହଂଚି ଦୁର୍ଘଟଣାଗ୍ରସ୍ତଙ୍କୁ ଉଦ୍ଧାର କରିଥିଲେ ।

ସିନ୍ଧିଗୁଡ଼ାରୁ ଦଶାହ କାର୍ଯ୍ୟ ସାରି ଛତିଶଗଡ଼ କୁଲଚା ଗାଁକୁ ଫେରୁଥିବା ବେଳେ ସଡ଼କ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ଏକ ବୁଲାଣିରେ ପିକଅପ ଭ୍ୟାନ ଭାରସାମ୍ୟ ହରାଇ ଏକ ବିଲରେ ଓଲଟି ପଡିଥିଲା । ଫଳରେ ଗାଡି ତଳେ ଚାପି ହୋଇ ଘଟଣାସ୍ଥଳରେ ୭ ଜଣ ଓ କୋଟପାଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧୀନ ଅବସ୍ଥାରେ ୨ ଜଣଙ୍କ ମୃତ୍ୟୁ ହୋଇଛି ।  ଦୁର୍ଘଟଣା ଖବର ପାଇ ଆଖପାଖର ଲୋକେ ଆସି ଉଦ୍ଧାର କାମ ଆରମ୍ଭ କରିଥିଲେ । ଏହାପରେ ଅଗ୍ନିଶମବାହିନୀ ଓ କୋଟପାଡ ପୁଲିସ ଘଟଣାସ୍ଥଳରେ ପହଂଚି ଆହତଙ୍କୁ ଉଦ୍ଧାର କରି କୋଟପାଡ ମେଡିକାଲରେ ଭର୍ତ୍ତି କରିଥିଲେ । ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ଜଗଦଲପୁର ସ୍ଥିତ ଡୁମୁରିପାଲି ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି ।