ବେଙ୍ଗଳୁରୁ କାଫେ ବିସ୍ଫୋରଣକୁ ନେଇ ବଢୁଛି ରହସ୍ୟ । ସିସିଟିଭିରେ କଏଦ ସନ୍ଦିଗ୍ଧର ଚିତ୍ର । ଘଟଣାସ୍ଥଳରେ ଏନଆଇଏ ଓ ଏଏସଜି ଟିମର ତଦନ୍ତ ।

284

କନକ ବ୍ୟୁରୋ: ବେଙ୍ଗାଲୁରୁ କାଫେରେ ଶୁକ୍ରବାର ବୋମା ବିସ୍ଫୋରଣ ପରେ ଏହାକୁ ନେଇ ସାରା ଦେଶରେ ହଇଚଇ ଖେଳିଛି । ଏହି ବିସ୍ଫୋରଣ ପଛରେ ଆତଙ୍କବାଦୀ ହାତ ଅଛି କି ନାହିଁ , ତାକୁ ନେଇ ଖୋଳତାଡ଼ ଚାଲିଛି । ବିସ୍ଫୋରଣରେ ଆଇଡି ବ୍ୟବହାର କରାଯାଇଛି । ଏଥିରେ ୧୦ ଜଣ ଆହତ ହୋଇଛନ୍ତି । ଏହି ଘଟଣାକୁ ଖୁବ୍ ଗୁରୁତର ସହ ନେଇଛି କର୍ଣ୍ଣାଟକ ସରକାର । ତଦନ୍ତ ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ ହୋଇଛି । ଘଟଣାସ୍ଥଳରେ ଏଫଏସଏଲ, ବମ୍ ଡିସପୋଜାଲ ସ୍କ୍ୱାଡ ଓ ସ୍ୱତନ୍ତ୍ର ତାଲିମପ୍ରାପ୍ତ କୁକୁର ଦଳ ତଦନ୍ତ କରିଛି ।

ଅନ୍ୟପଟେ ବିସ୍ଫୋରଣ ଘଟାଇଥିବା ସନ୍ଦିଗ୍ଧକୁ ଚିହ୍ନଟ କରାଯାଇଥିବା କୁହାଯାଉଛି । ସିସିଟିଭି ଫୁଟେଜ୍ ଆଧାରରେ ଏହା ସମ୍ଭବ ହୋଇଛି । ସନ୍ଦିଗ୍ଧ ଜଣକଙ୍କ ବୟସ ୨୮ରୁ ୩୦ ବର୍ଷ ହେବ । ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇର ଟିମ୍ ମଧ୍ୟ ବେଙ୍ଗାଲୁରୁ ପହଂଚିଛି । ଏନଏସଜି ଟିମ୍ ମଧ୍ୟ ପହଂଚିଛି । ସେପଟେ ଏହି ବିସ୍ଫୋରଣ ପରେ ରାଜନୀତି ବି ତେଜିଛି । କର୍ଣ୍ଣାଟକର କଂଗ୍ରେସ ସରକାରକୁ ଟାର୍ଗେଟ କରିଛି ବିଜେପି । ଏପରିକି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟାଙ୍କ ଇସ୍ତଫା ଦାବି କରିଛି ବିଜେପି । ସେପଟେ ରାଜ୍ୟ ସରକାର କହିଛନ୍ତି ସବୁ ପ୍ରକାର ତଦନ୍ତ ହେଉଛି । ଅପରାଧୀଙ୍କୁ ଛଡ଼ାଯିବ ନାହିଁ । ଏହାସହ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।