ଅନ୍ଧାରରେ ସୁନେତ୍ର ଯୋଜନା । ଚଷମା ପାଇଁ ୬ ମାସର ଅପେକ୍ଷା

388

କନକ ବ୍ୟୁରୋ : ୨୦୧୯ ମସିହାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ସୁନେତ୍ର ଯୋଜନା ଖୋର୍ଦ୍ଧାରେ ସଂପୂର୍ଣ୍ଣ ବିଫଳ ହୋଇଥିବା ଅଭିଯୋଗ ହୋଇଛି । ଜିଲ୍ଲାର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଛାଡନ୍ତୁ, ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଖି ପରୀକ୍ଷାର ୬ ମାସ ପରେ ମିଳୁଛି ପାୱାର ଚଷମା! ସେତେବେଳେକୁ ରୋଗୀଙ୍କ ଆଖିର ପାୱାର ପରିବର୍ତନ ହୋଇଯାଉଛି । ଏମିତି ସୁଫଳ ଦେଉଥିବା ଯୋଜନା କାହା ପାଇଁ ବୋଲି ଅଭିଯୋଗ କରିଛନ୍ତି ରୋଗୀ ଓ ଖୋର୍ଦ୍ଧାବାସୀ । ଅନେକ ସମୟରେ ଅଭାବୀ ରୋଗୀଟିଏ ଅଧିକ ଖର୍ଚ୍ଚାନ୍ତ ହୋଇ ବାହାରୁ ଚଷମା କିଣିବାକୁ ବାଧ୍ୟ ହେଉଛନ୍ତି ।

ରାଜ୍ୟର ସମସ୍ତ ଡାକ୍ତରଖାନାରେ ରୋଗୀଙ୍କ ଆବଶ୍ୟକତା ଅନୁସାରେ ଚଷମା ଯୋଗାଇବା ପାଇଁ ତାମିଲନାଡୁର ଏକ ସଂସ୍ଥାକୁ ଦାୟିତ୍ୱ ଦିଆଯାଇଛି । ତେଣୁ ରୋଗୀଙ୍କ ପାଖରେ ଚଷମା ପହଂଚିବାରେ ବିଳମ୍ବ ହେଉଛି । ଏହି ପ୍ରସଙ୍ଗରେ ଜଟଣୀ ବିଧାୟକ ସୁରେଶ ରାଉତରାୟ କହିଛନ୍ତି, ଓଡିଶାରେ ଚଷମା ପ୍ରସ୍ତୁତ କରି ରୋଗୀଙ୍କ ଆଖି ପରୀକ୍ଷୀ ପରେ ତୁରନ୍ତ ଦିଆଯାଉ ।

ସେପଟେ ଏ ସଂପର୍କରେ ପ୍ରତିକ୍ରିୟା ଦେଉନାହାନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଓ ଚକ୍ଷୁ ବିଭାଗର ମୁଖ୍ୟ ।