ଅନଲାଇନରେ ପାଠ ପଢିବା ପାଇଁ ମିଳିବ ମାଗଣା ଇଣ୍ଟରନେଟ ସେବା : ସମସ୍ତ ବିଦ୍ୟାର୍ଥୀଙ୍କୁ ୧୦ଜିବି ଡାଟା ଦେବେ ସରକାର ; ଜାଣନ୍ତୁ କ’ଣ ରହିଛି ଏହା ପଛର ସତ୍ୟତା ?

657

କନକ ବ୍ୟୁରୋ : ତାଣ୍ଡବ ରଚୁଛି କରୋନା । ଜନଜୀବନ ଉପରେ ବେଶ୍ କୁପ୍ରଭାବ ପକାଇବା ସହିତ ମାନସିକ ଓ ଶାରୀରିକ କଷ୍ଟ ଦେଉଛି । ମହାମାରୀକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ବନ୍ଦ ରହିଛି । ସମସ୍ତ ଛାତ୍ରଛାତ୍ରୀ ଅନଲାଇନରେ ପାଠ ପଢୁଛନ୍ତି । ଏହାରି ମଧ୍ୟରେ ସରକାରଙ୍କ ତରଫରୁ ବଡ ଘୋଷଣା ହୋଇଥିବା ନେଇ ଏକ ମେସେଜ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।


ଭାଇରାଲ ମେସେଜରେ ଲେଖା ହୋଇଛି, କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ବନ୍ଦ ରହିଛି । ଏହାରି ମଧ୍ୟରେ ଛାତ୍ରଛାତ୍ରୀଙ୍କ ପାଠପଢା ବିଶେଷ ପ୍ରଭାବିତ ହୋଇଛି । ସେଥିପାଇଁ ଛାତ୍ରଛାତ୍ରୀଙ୍କ ପାଇଁ ବଡ ଘୋଷଣା କରାଯାଇଛି । ସରକାରଙ୍କ ତରଫରୁ ମାଗଣା ଇଣ୍ଟରନେଟ ସେବା ଯୋଗାଇ ଦିଆଯିବ । ଜଣେ ବିଦ୍ୟାର୍ଥୀ ପିଛା ୧୦ଜିବି ଡାଟା ମିଳିବ । ଫଳରେ ବିଦ୍ୟାର୍ଥୀମାନେ ଅନଲାଇନରେ ପରୀକ୍ଷା ଦେଇପାରିବେ ଏବଂ ମହାମାରୀ ମଧ୍ୟରେ ଶିକ୍ଷା ସମାପ୍ତ କରିପାରିବେ । ଏହି ଭାଇରାଲ ମେସେଜ ଏକ ଲିଙ୍କ ମଧ୍ୟ ଦିଆଯାଇଛି । ମାଗାଣାରେ ଇଣ୍ଟରନେଟ ସେବା ପାଇବା ପାଇଁ ଲିଙ୍କରେ କ୍ଲିକ୍ କରିବାକୁ ପଡିବ ଏବଂ ଏଥିରେ ଦିଆଯାଇଥିବା ଫର୍ମକୁ ପୂରଣ କରିବାକୁ ହେବ । ଶେଷରେ ମେସେଜଟିକୁ ଅଧିକରୁ ଅଧିକ ଶେୟାର କରି ମାଗଣା ସେବାର ଲାଭ ଉଠାଇବା ପାଇଁ ମଧ୍ୟ ପୋଷ୍ଟଟିରେ ଉଲ୍ଲେଖ ରହିଛି ।

ତେବେ, ଏହି ମେସେଜଟି ଭାଇରାଲ ହେବା ପରେ ପିଆଇବି ଫ୍ୟାକ୍ଟ ଚେକ୍ ତରଫରୁ ସ୍ପଷ୍ଟୀକରଣ ଦିଆଯାଇଛି । ଭାଇରାଲ ହେଉଥିବା ମେସେଜଟି ଫେକ୍ ଅଟେ । ସରକାର ଏଭଳି କୌଣସି ନିଷ୍ପତ୍ତି ନେଇନାହାନ୍ତି । ପୂର୍ବରୁ ମଧ୍ୟ ଏଭଳି ଏକ ମିଥ୍ୟା ଖବର ଖୁବ୍ ଭାଇରାଲ ହୋଇଥିଲା । ଯେଉଁଥିରେ ଅନଲାଇନରେ ପାଠ ପଢିବା ପାଇଁ ସରକାରଙ୍କ ତରଫରୁ ମାଗଣା ସ୍ମାର୍ଟ ଫୋନ ମିଳିବ ବୋଲି ସୂଚନା ଦିଆଯାଇଥିଲା ।