ହାତଠାରରୁ ହାତଗଣ୍ଠି: ଆତ୍ମୀୟତା ଆଗରେ ହାର ମାନିଲା ଅକ୍ଷମତା । ପାଟି ସିନା ଫିଟୁନି, ହାତ ଠାରରେ ହୃଦୟର କଥା କହି ନୂଆ ଜୀବନ ଆରମ୍ଭ କଲେ ଦିବ୍ୟାଙ୍ଗ ଯୋଡି ।

284

କନକ ବ୍ୟୁରୋ: ସେ ମତେ ଦେଖିଛି, ମୁଁ ତାକୁ ଦେଖିଛି… ସେ ମତେ ବୁଝିଛି, ମୁଁ ତାକୁ ବୁଝିଛି… ଏଇ ବୁଝାବୁଛି, ଏଇ ଦେଖା ଚାହାଁ ଭିତରେ ଦୁହେଁ ଦୁହିଁଙ୍କର ହୋଇଛୁ । ପାଟି ଖୋଲି ସିନା ପ୍ରେମର ପରିଭାଷା କେହି କାହାକୁ କହି ପାରୁନୁ ହେଲେ ଏଠି ଆଖି କଥା କହୁଛି, ଓଠ ଦେଉଛି ଇସାରା । ମନ ତଳର ଅକୁହା କଥା, କୁଆଁରୀ ଲାଜକୁ ଠାରରେ ଠାରରେ କହି ସାତ ଜନମର ସାଥୀ ପାଲଟିଛନ୍ତି ସସ୍ମିତା ଓ ପତିତପାବନ

ବାବୁ ୱେଡ୍ସ ସସ୍ମିତା । ସଜ୍ଜିତ କାର ଭିତରେ ବସିଥିବା ଏ ସୁନ୍ଦର ଯୋଡି ଦିବ୍ୟାଙ୍ଗ । ଜନ୍ମରୁ ଏମାନେ କଥା କହିପାରନ୍ତିନି । ବାକ ବାଧିତ ହୋଇଥିବା କାରଣରୁ ମନର ପରିଭାଷା ହାତର ଠାରରେ କୁହନ୍ତି । ଆଉ ସେହି ହାତର ଠାର ହାତଗଣ୍ଠିରେ ଶେଷ ହୋଇଛି ।

କନିଆଁ ସସ୍ମିତା ନାୟକଙ୍କ ଘର ଭୁବନେଶ୍ୱର ଚନ୍ଦ୍ରଶେଖରପୁର ହୋଇଥିବା ବେଳେ ବର ପତିତପାବନଙ୍କ ଘର ବାଲେଶ୍ୱର ଜିଲ୍ଲା ବାହାନଗା ଅସିମିଳା ଅଞ୍ଚଳରେ । ଉଭୟଙ୍କ ପରିବାର ସେମାନଙ୍କ ବହିବା ପାଇଁ ଚିନ୍ତିତ ଥିବାବେଳେ ସମାଜରେ ସେମାନଙ୍କୁ କିଏ ବାହାହେବ ଏହି ଚିନ୍ତାରେ ଥିଲେ ପରିବାର ଲୋକେ । ହେଲେ ଉଭୟ ବାକ୍ ବାଧିତ ହୋଇଥିବାରୁ ଦେଖା ଚାହାଁ ପରେ ଏବେ ସେମାନଙ୍କ ବିବାହ ହୋଇଛି । ସୋର କୁଶଳେଶ୍ୱର ଶିବ ମନ୍ଦିରରେ ହିନ୍ଦୁ ରୀତିନୀତିରେ ଦୁହିଁଙ୍କ ବିବାହ ହୋଇଛି । ଆଉ ସସ୍ମିତାଙ୍କ ମଥାରେ ଲାଗିଛି ସ୍ୱାମୀଙ୍କ ସିନ୍ଦୂର ।

ବିବାହ ପରେ କ୍ୟାମେରା ଆଗରେ ଠାରରେ ଠାରରେ ସସ୍ମିତା କହିଛନ୍ତି ମୋ ସ୍ୱାମୀ ସବୁଠୁ ସୁନ୍ଦର । ପତିତପାବନ ବି ଶଙ୍ଖା ସିନ୍ଦୂର ପିନ୍ଧାଇ ସସ୍ମିତାଙ୍କୁ ସାରା ଜୀବନ ପାଇଁ ସାଥୀ କରିଛନ୍ତି । ଆଉ ଲାଲ ଟୁକୁଟୁକୁ ସାଧବ ବୋହୂ କରି ଘରକୁ ନେଇଛନ୍ତି… ଦିବ୍ୟାଙ୍ଗ ହୋଇ ବି ଏମାନେ ଜୀବନକୁ କେତେ ଖୁସିରେ ଜିଇଁ ପାରନ୍ତି ତାହା ଏ ନୂଆ ସମ୍ପର୍କର ବସା ବାନ୍ଧିଥିବା ନବଦମ୍ପତ୍ତିଙ୍କୁ ଦେଖିଲେ ବୁଝି ହେଉଛି…