କୁନିଝିଅ ଆଖିରୁ ହଜିଯାଉଛି ଜ୍ୟୋତି । ଆଖି କ୍ୟାନସରରେ ପୀଡିତ ଝିଅର ଚିକିତ୍ସା ପାଇଁ ଅସମର୍ଥ ଦିବ୍ୟାଙ୍ଗ ବାପା, ମା । ପୂଜାର ଚିକିତ୍ସା ପାଇଁ ସହାୟତା ଲୋଡିଲେ ପରିବାର ।

33

କନକ ବ୍ୟୁରୋ: ଭଗବାନ ଦିବ୍ୟାଙ୍ଗ ଦମ୍ପତ୍ତିଙ୍କ ଡାକ ଶୁଣିଲେ, କୋଳରେ ଶିଶୁଟିଏ ଦେଲେ । ହେଲେ ଖୁସି ବେଶି ଦିନ ପାଇଁ ରହିଲା ନାହିଁ । ଝିଅ ଜନ୍ମ ନେବାର ୭ ମାସ ପରେ ଆଖି କ୍ୟାନ୍ସରରେ ପୀଡିତ ହୋଇ ଗୋଟିଏ ଆଖିର ଦୃଷ୍ଟିଶକ୍ତି ହରାଇ ସାରିଥିବା ବେଳେ ଏବେ ଅନ୍ୟ ଆଖିରୁ ଜ୍ୟୋତି ହରାଉଛି । ଦିବ୍ୟାଙ୍ଗ ବାପା-ମାଆ କୁନି ଝିଅ ପୂଜାର ଉନ୍ନତ ଚିକିତ୍ସା ପାଇଁ ଅସମର୍ଥ ହେବାରୁ ଏବେ ସହାୟତା ପାଇଁ ନିବେଦନ କରିଛନ୍ତି ।

ଜନ୍ମରୁ ଆଲୋକ ଦେଖିନଥିବା ଦମ୍ପତି, ଝିଅ ଆଖିରେ ଦୁନିଆ ଦେଖିବେ ବୋଲି ଆଶା ରଖିଥିଲେ । ହେଲେ ସେହି ଆଶା ଧିରେ ଧିରେ ମଉଳି ଯାଉଛି । ସୁମିତ୍ରା ଓ ଅଶୋକଙ୍କ ଆଖିର ଜ୍ୟୋତି କୁନି ଝିଅ ପୂଜା, ଦିନକୁ ଦିନ ଦୁର୍ବଳ ହୋଇଯାଉଛି । ଜନ୍ମରୁ ଦେଖି ପାରୁଥିବା ଝିଅ ଆଖିରେ ମାଡି ଯାଉଛି ବହଳ ଅନ୍ଧାର । ଦେଢ ବର୍ଷର କୁନି ଝିଅ କ୍ୟାନ୍ସର ପୀଡିତ ହୋଇ ଗୋଟିଏ ଆଖିର ଦୃଷ୍ଟିଶକ୍ତି ହରାଇ ସାରିଥିବା ବେଳେ ଏବେ ଅନ୍ୟ ଆଖିରୁ ଦୃଷ୍ଟିଶକ୍ତି କମି ଯାଉଛି ।

ଅଶୋକ ଆଉ ସୁମିତ୍ରା ଦୁହେଁ ଜନ୍ମରୁ ଦିବ୍ୟାଙ୍ଗ । ଭୁବନେଶ୍ୱରରେ ରହୁଥିବା ଏହି ଦମ୍ପତିଙ୍କ କୋଳରେ ଦେଢ ବର୍ଷ ତଳେ ଜନ୍ମ ନେଇଥିଲା ଝିଅ ପୂଜା । ଅଶୋକ ଏକ କମ୍ପାନୀରେ ଡାଟା ଏଣ୍ଟ୍ରିରେ କାମ କରି ଯାହା ରୋଜଗାର କରୁଥିଲେ ସେଥିରେ ହସଖୁସିରେ ସଂସାର ଚାଲୁଥିଲା । ହେଲେ ଏ ଖୁସି ବେଶି ଦିନ ରହିଲା ନାହିଁ । ମହାମାରୀ ଯୋଗୁଁ ଚାକିରି ଚାଲିଯିବା ସହ କୁନି ଝିଅ ଆଖି କ୍ୟାନ୍ସର ରୋଗରେ ପୀଡିତ ହୋଇଗଲା । ଧାର କରଜ କରି ଝିଅକୁ କେମୋ ଦେବା ସହ ଅନ୍ୟାନ୍ୟ ଚିକିତ୍ସା କରାଇଲେ ବାପା-ମାଆ । ଏହାରି ଭିତରେ ପୂଜାର ଗୋଟିଏ ଆଖି ସଂପୂର୍ଣ୍ଣ ନଷ୍ଟ ହୋଇସାରିଛି । ଅନ୍ୟ ଆଖିରୁ ଧିରେ ଧିରେ ଜ୍ୟୋତି ହଜିଯାଉଛି, ସେ ଆଖିକୁ ଭଲ କରିବା ପାଇଁ ଲକ୍ଷାଧିକ ଟଙ୍କାର ଆବଶ୍ୟକତା ଥିବା ଡାକ୍ତର କହିବା ପରେ ଅଶୋକ ଆଉ ସୁମିତ୍ରା ଏବେ ଅସହାୟ ହୋଇପଡିଛନ୍ତି । ନିଜ ପାଖରେ ଆଉ ସମ୍ବଳ ନଥିବାରୁ ସହାୟତା ପାଇଁ ହାତ ଯୋଡି ଅନୁରୋଧ କରିଛନ୍ତି ଏହି ଦିବ୍ୟାଙ୍ଗ ଦମ୍ପତି ।